ସୁନାବେଶରେ ଝଲସିଲେ ଶ୍ରୀଜିଉ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ, ଦୋଳଗୋବିନ୍ଦ ଅଭିଷେକ ନୀତି ସଂପନ୍ନ

ସୁନାବେଶରେ ଝଲସିଲେ ଶ୍ରୀଜିଉ

ପୁରୀ :  କାର୍ତ୍ତିକ ପୂର୍ଣ୍ଣିମା (ରାସ ପୂର୍ଣିମା) ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜାଧିରାଜ ବେଶ ତଥା ସୁନାବେଶ କରାଯାଇଛି। ଏଥିସହ ଦୋଳଗୋବିନ୍ଦ ଅଭିଷେକ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। କିନ୍ତୁ କରୋନା କଟକଣା ପାଇଁ ଭକ୍ତମାନେ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଗତକାଲି ରାତି ୧୧ଟା ୨୫ରେ ରାତ୍ର ପହୁଡ଼ ପରେ ଆଜି ସକାଳ ୫ଟାରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇଥିଲା। ସକାଳ ୫ଟା ୫୦ରେ ଭିତର ଶୋଧ, ୫ଟା ୫୫ରେ ମଙ୍ଗଳ ଆଳତି, ୬ଟାରେ ମଇଲମ, ସାଢ଼େ ୬ଟାରେ ତଡ଼ପ ଲାଗି, ୬ଟା ୪୫ରେ ଅବକାଶ ପୂଜା ଶେଷ ପରେ ସକାଳ ୭ଟାରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଅର୍ଥାତ୍‌ ସାଢ଼େ ୮ଟାରେ ବେଶ ଲାଗି ଶେଷ ହୋଇଥିଲା। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର ନୀତିରୀତି, ବେଶ, ଭୋଗ ଆଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ। ଆଜି ଏହି ବେଶ ମେକାପ, ପୁଷ୍ପାଳକ ଓ ଖୁଣ୍ଟିଆ ସେବକଙ୍କ ଦ୍ବାରା ସଂପାଦିତ ହୋଇଥିଲା। ଶ୍ରୀଜିଉ ବିଭିନ୍ନ ପାଟବସ୍ତ୍ରରେ ସଜ୍ଜିତ ହୋଇଥିଲେ। ଭିତରଛୁ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ, ତଳିଛ ମହାପାତ୍ର ବଡ଼ଠାକୁର ବଳଭଦ୍ରଙ୍କୁ ଓ ପୁଷ୍ପାଳକ ମା’ ସୁଭଦ୍ରାଙ୍କୁ ସୁବର୍ଣ୍ଣ ଅଳଙ୍କାର ଓ ପୁଷ୍ପ ଅଳଙ୍କାର ଲାଗି କରିଥିଲେ।

ପରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲବ ଆଦି ନୀତି ବଢ଼ିବା ପରେ ସକାଳ ଧୂପ ପ୍ରସାଦ ବାହାରି ପାଣି ପଡ଼ିଥିଲା। ବାଳଧୂପ ସହ ଅନ୍ୟାନ୍ୟ ନୀତି ପରେ ଅପରାହ୍ଣ ଗୋଟାଏ ୪୫ରେ ଭୋଗମଣ୍ଡପ ଶେଷ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କ ବେଶ ଓଲାଗି କରାଯାଇଥିଲା ଓ ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe