ସୁନାବେଶରେ ଆଗଭଳି ସୁନା ପିନ୍ଧୁନାହାନ୍ତି ଶ୍ରୀଜିଉ

ନିନ୍ଦା କଲେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ, କହିଲେ ମହାପ୍ରଭୁ ପିନ୍ଧୁଛନ୍ତି ଭଙ୍ଗା ମୁକୁଟ

ସୁନାବେଶରେ ଆଗଭଳି ସୁନା ପିନ୍ଧୁନାହାନ୍ତି ଶ୍ରୀଜିଉ

ପୁରୀ : ଆଜି (ରବିବାର) ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ସୁନାର ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ। କିନ୍ତୁ ସୁନାବେଶରେ ସୁନା ଅଳଙ୍କାର ଲାଗିକୁ ନେଇ ଏବେ ବିବାଦ ଠିଆ ହୋଇଛି। ଆଗରୁ ଯେଉଁଭଳି ଓ ଯେତେ‌ ପ୍ରକାରର ସୁନା ଅଳଙ୍କାର ଶ୍ରୀଜିଉଙ୍କୁ ଲାଗି ହେଉଥିଲା, ଏବେ ଆଉ ସେଭଳି ଲାଗି ହେଉନାହିଁ। ମହାପ୍ରଭୁ ଭଙ୍ଗା ମୁକୁଟ(କୀରିଟ) ପିନ୍ଧୁଛନ୍ତି। ମହାପ୍ରଭୁଙ୍କ କେତେ ଅଳଙ୍କାର ରହିଛି, ତାକୁ ବି ଅନ୍ଧାରରେ ରଖାଯାଇଛି। ସବୁ ସୁନା ଅଳଙ୍କାର ଅଛି କି ନାହିଁ, ତାହା ବି ସନ୍ଦେହ ଘେରରେ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ମହାପ୍ରଭୁଙ୍କ ସୁନାବେଶ ପୂର୍ବରୁ ଏଭଳି ମନ୍ତବ୍ୟ ରଖିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ପୂର୍ବଭଳି ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ଲାଗି ସହ ରତ୍ନଭଣ୍ଡାରରେ କେତେ ସୁନା ଅଳଙ୍କାର ଗଚ୍ଛିତ ରହିଛି, ତାକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବାକୁ ସେ ମତ ଦେଇଛନ୍ତି।

publive-image harekrsna.com

କୁହାଯାଏ, ପ୍ରତିବର୍ଷ ସୁନାବେଶରେ ଶ୍ରୀଜିଉ ରତ୍ନଖଚିତ ମହଣ ମହଣ ସୁନାର ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ରଥାରୁଢ଼ ଅବସ୍ଥାରେ ଦର୍ଶନ ଦେଇଥାନ୍ତି। ସୁନାର କିରୀଟ, କୁଣ୍ଡଳ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ପିନ୍ଧିଥାନ୍ତି ମହାବାହୁ। କିନ୍ତୁ କିଛି ବର୍ଷ ହେବ ଆଉ ମହାପ୍ରଭୁଙ୍କୁ ଆଗଭଳି ସୁନା ଅଳଙ୍କାର ସୁନାବେଶରେ ଲାଗି ହେଉନଥିବା କହିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଶ୍ରୀ ସ୍ବାଇଁ ମହାପାତ୍ର। ଶ୍ରୀ ସ୍ବାଇଁ ମହାପାତ୍ର କହିଛନ୍ତି, ମୁଁ ପୂର୍ବରୁ ଦେଖିଛି ସୁନାବେଶରେ ମହାପ୍ରଭୁ ୨୦ରୁ ୨୫ ପ୍ରକାର ସୁନାର ମାଳି ପିନ୍ଧିଥାନ୍ତି। ଏହା ସହ ଅନ୍ୟାନ୍ୟ ଅଳଙ୍କାର ବି ପରିଧାନ କରିଥାନ୍ତି। ଏବେ ଆଗଭଳି ଅଳଙ୍କାର ପିନ୍ଧୁନାହାନ୍ତି। ଯେଉଁ ମୁକୁଟ ପିନ୍ଧୁଛନ୍ତି, ତାହା ବହୁଦିନରୁ ଭାଙ୍ଗିଗଲାଣି। ତଥାପି ସୁନାବେଶରେ ଏହି ଭଙ୍ଗା ମୁକୁଟ ଲାଗି ହେଉଛି। ମହାପ୍ରଭୁଙ୍କ କ୍ବିଣ୍ଟାଲ କ୍ବିଣ୍ଟାଲ ସୁନା ଅଳଙ୍କ‌ାର ଭଣ୍ଡାର ଘରେ ଅଛି। ଭକ୍ତ ବି ସୁନା ଅଳଙ୍କାର ଦାନ ଦେଉଛନ୍ତି। ଯିଏ ବିଶ୍ବର ମାଲିକ, ସେ କାହିଁକି ଭଙ୍ଗା ଜିନିଷ ପିନ୍ଧିବେ। ସରକାର ଏବେ ହଜାର ହଜାର ଟଙ୍କା ଶ୍ରୀମନ୍ଦିର ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି। ସେଠି କ’ଣ ମହାପ୍ରଭୁଙ୍କ ସୁନା ଅଳଙ୍କାର ମରାମତି କରି ହେବନି? ଭଗବାନ ଭଙ୍ଗା ଦଦରା ସୁନା ଅଳଙ୍କାର କାହିଁକି ପିନ୍ଧିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସତେ ଯେପରି ମହାପ୍ରଭୁଙ୍କ ସୁନା ଅଳଙ୍କାର ଲାଗି କରିବାର ଅବା ଭଙ୍ଗା ଅଳଙ୍କାର ମରାମତି କରିବାର କାହାରି ଇଚ୍ଛା ନାହିଁ।

publive-image

ପୂର୍ବରୁ ପ୍ରତିହାରୀ ସେବକ, ଶ୍ରୀମନ୍ଦିର ପୁଲିସଙ୍କ ସୁରକ୍ଷା ଭିତରେ ମହାପ୍ରଭୁଙ୍କ ସୁ‌ନାବେଶ ଅନୁଷ୍ଠିତ ହେଉଥିଲା। ଅଧିକ ସୁନାଗହଣା ମହାପ୍ରଭୁ ପିନ୍ଧୁଥିଲେ। ଏବେ ହଜାର ହଜାର ପୁଲିସ ଜଗି ରହୁଛନ୍ତି। ପିମ୍ପୁଡ଼ି ଯିବାକୁ ଜାଗା ନାହିଁ। ଅଥଚ ସୁନାବେଶରେ ସୁନା ଲାଗିରେ ଊଣା କରୁଛନ୍ତି। ଏଥିପାଇଁ ମୁଁ ବହୁତ ଦୁଃଖିତ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ମୁଁ ଜାଣିନି, କିନ୍ତୁ ପ୍ରଭୁଙ୍କର କି କି ସୁନା ଅଳଙ୍କାର ରହିଛି, କେତେ ପରିମାଣର ରହିଛି, ସମସ୍ତେ ଜାଣିବା କଥା। ପଦ୍ମନାଭ ମନ୍ଦିର ହେଉ କି ଅନ୍ୟାନ୍ୟ ଦେବଦେବୀ ମନ୍ଦିରରେ ସମସ୍ତ‌େ ପ୍ରଭୁଙ୍କ କେତେ ଅଳଙ୍କାର ଅଛି ଜାଣୁଛନ୍ତି। ଶ୍ରୀମନ୍ଦିର କ୍ଷେତ୍ରରେ କାହିଁକି ଏହାକୁ ଅନ୍ଧାର ଭିତରେ ରଖାଯିବ ବୋଲି ଶ୍ରୀ ସ୍ବାଇଁ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe