ସୁନ୍ଦରଗଡ଼ରେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚା: ଜନମଞ୍ଚରେ ପରୀକ୍ଷା ଦେଲେ ପ୍ରାର୍ଥୀ

Advertisment

ଉଭୟ ମୌଖିକ ଓ ଲିଖିତ ପରୀକ୍ଷା ଦେଲେ

ଉଭୟ ମୌଖିକ ଓ ଲିଖିତ ପରୀକ୍ଷା ଦେଲେ

ସୁନ୍ଦରଗଡ଼ରେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚା: ଜନମଞ୍ଚରେ ପରୀକ୍ଷା ଦେଲେ ପ୍ରାର୍ଥୀ

ସୁନ୍ଦରଗଡ଼/ହେମଗିର : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ମାଲୁପଡ଼ା ଗାଁରେ ସରପଞ୍ଚ ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେଇଥିବାର ଖବର ଗତ ସପ୍ତାହରେ ରାଜ୍ୟବ୍ୟାପି ଚର୍ଚ୍ଚିତ ହୋଇଥିଲା। ପ୍ରଥମେ ‘ସମ୍ବାଦ’ରେ ପ୍ରକାଶିତ ଏହି ଖବରକୁ ପରେ ଜାତୀୟସ୍ତରର ଉଭୟ ହିନ୍ଦୀ ଓ ଇଂରାଜି ଗଣମାଧ୍ୟମ ମଧ୍ୟ ପ୍ରକାଶ କରିଥିଲେ। ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ଯୋଗ୍ୟତା ପରଖିବା ପାଇଁ ଗାଁ ଲୋକେ ଏହି ପରୀକ୍ଷା ଆୟୋଜନ କରିଥିଲେ। ଏବେ ଏହି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ୍‌ ମୁଣ୍ଡେରକ୍ଷେତ ପଞ୍ଚାୟତରେ ମଧ୍ୟ ପ୍ରାର୍ଥୀମାନଙ୍କ ପାଇଁ ଆୟୋଜିତ ହୋଇଛି ଜନମଞ୍ଚ। ଏଥିରେ ଜଣେ ସରପଞ୍ଚ ଓ ୫ ସମିତିସଭ୍ୟ ପ୍ରାର୍ଥୀ ‌ଯୋଗ ଦେଇ ଭୋଟରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଆଜି ମୁଣ୍ଡେରକ୍ଷେତ ପଞ୍ଚାୟତର ଓଁ ଶିବାୟ କ୍ଲବ୍‌ ଜନମଞ୍ଚ ଆୟୋଜନ କରି ନିର୍ବାଚନ ଲଢ଼ୁଥିବା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନଙ୍କୁ ଡାକିଥିଲା। ଏଥିରେ ସମୁଦାୟ ୫ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଓ ୯ ସମିତିସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଉପସ୍ଥିତ ହୋଇଥିଲେ। ଭୋଟର ପ୍ରଶ୍ନ କରିଥିଲେ ଓ ପ୍ରାର୍ଥୀମାନେ ଦେଇଥିଲେ ଉତ୍ତର। ଏହାପରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ପ୍ରାର୍ଥୀ ସନ୍ନ୍ୟାସୀ ବାଗ, ସମିତିସଭ୍ୟ ପ୍ରାର୍ଥୀ ବୀରେନ୍ଦ୍ର ପଧାନ, ହତେଶ୍ୱର ପଧାନ, ଜୟନ୍ତ ପଧାନ, ରୋହିତ ଜୟପୂରିଆ ଓ ନିତ୍ୟାନନ୍ଦ ଖମାରୀ ଏଥିରେ ଭାଗ ନେଇଥିଲେ। ପ୍ରଶ୍ନଗୁଡ଼ିକ ମଧ୍ୟରେ ଥିଲା- ସମିତିସଭ୍ୟର କାର୍ଯ୍ୟ କଣ? ସମିତିସଭ୍ୟ ଭାବେ ଜିତିଲେ ୫ ବର୍ଷ ପଞ୍ଚାୟତ ପାଇଁ କଣ କରିବେ? ଆଦର୍ଶ ପଞ୍ଚାୟତର ରୂପରେଖ କଣ? କେଉଁଥିପାଇଁ ଆପଣ ଏହି ପଦବିରେ ଛିଡ଼ାହେଲେ? ଗତ ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ଯ୍ୟକଳାପ ସମ୍ପର୍କରେ କୁହନ୍ତୁ! ମୁଣ୍ଡେରକ୍ଷେତ ପଞ୍ଚାୟତ ସରକାରଙ୍କ ଉନ୍ନତିମୂଳକ ଯୋଜନାର ଲାଭ ପାଉଛି କି? ଯଦି ହଁ, ତେବେ ସେଥିମଧ୍ୟରୁ ୧୦ଟି ଯୋଜନା ଉଲ୍ଲେଖ କରନ୍ତୁ। ପ୍ରାର୍ଥୀମାନେ ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ଉତ୍ତରକୁ ସମସ୍ତଙ୍କ ଆଗରେ ପାଠ କରାଯାଇଥିଲା। କେବଳ ସେତିକି ନୁହେଁ, ଉତ୍ତର ଖାତାର କପି ଚାହିଲେ ଯେକେହି ଯେପରି ନେଇ ପାରିବେ ତା’ର ବ୍ୟବସ୍ଥା ମଧ୍ୟ କରା ଯାଇଛି। ଜନମଞ୍ଚରେ ପ୍ରାର୍ଥୀଙ୍କ ମୌଖିକ ଉତ୍ତର ସାଙ୍ଗକୁ ଲିଖିତ ପରୀକ୍ଷାର ଉତ୍ତରକୁ ଦେଖି ଲୋକେ ଭୋଟ୍‌ ଦେଇ ପାରନ୍ତି ବୋଲି ଆୟୋଜକ କ୍ଲବ ତରଫରୁ ପ୍ରକାଶ କରାଯାଇଛି।

କ୍ଲବ୍‌ର ଦିନେଶ ପଧାନ, ବିପିନ ଖମାରୀ, ଡିଲେଶ୍ବର ପଧାନ, ଅଜୟ ଖମାରୀ, ସୁମିତ ପଧାନ, ଆଲୋକ ଖମାରୀ, କମଳେଶ ସା, ପିଣ୍ଟୁ ସା, ଦେବାଶିଷ ପଧାନ, ପ୍ରକାଶ ପଧାନ, ବିକାଶ ଭୟଁର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe