ସୁନ୍ଦରଗଡ଼ କୋଇଲା ଲୁଟ୍‌ ଘଟଣା: ଧରାପଡ଼ିଲା ବଡ଼ କେଳେଙ୍କାରୀ

Advertisment

ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଏ ଖବର ସାମ୍ନାକୁ ଆଣିବା ପରେ ଖଣି ବିଭାଗ....

ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଏ ଖବର ସାମ୍ନାକୁ ଆଣିବା ପରେ ଖଣି ବିଭାଗ....

ggfbbvbv

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଏ ଖବର ସାମ୍ନାକୁ ଆଣିବା ପରେ ଖଣି ବିଭାଗ, ରାଜସ୍ବ, ବନ ବିଭାଗ ଓ ପୁଲିସ ୧୦ ଦିନ ଧରି ଅଞ୍ଚଳର ଚୋରାଖଣି, କାରଖାନା, କୋଲ୍‌ ୱାସେରି ଉପରେ ଚଢ଼ଉ କରିଥିଲେ। ଏହା ପରେ ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଖଣି, ଭୂତତ୍ତ୍ବ ବିଭାଗର ୯ ଜଣିଆ ଟିମ୍ ଆସି ଦୁଇ ଦିନ ତନାଘନା କରି ଫେରି ଯାଇଛନ୍ତି। ତେବେ ଚଢ଼ଉ ଓ ଯାଞ୍ଚ ବନ୍ଦ ହେବା ପରେ ମଙ୍ଗଳବାର ଏକ ବଡ଼ଧରଣର କୋଇଲା ଲୁଟ୍ ଘଟଣା ସାମନାକୁ ଆସିଛି। 

ହେମଗିର ତହସିଲ କନିକା ନିକଟସ୍ଥ ଜଙ୍ଗଲରେ ଦୁଇଟି ସ୍ଥାନରେ ଆର୍ଯ୍ୟନ କୋଲ୍ ୱାସେରିର ପାହାଡ଼ ଉଚ୍ଚର ହଜାର ହଜାର ଟନ୍ ବେଆଇନ କୋଇଲା ଠାବ ହୋଇଛି। ୱାସେରିଠାରୁ ୨ କିଲୋମିଟର ଦୂର ଏକ ଜଙ୍ଗଲ ମଝିରେ ଆର୍ଯ୍ୟନର ୨ ଏକର ଜମିରେ ୧୨ ହଜାର ଟନ୍ ଓ ୱାସେରି ନିକଟ ଜଙ୍ଗଲରେ ୨ ଏକର ଜମିରେ ଲକ୍ଷାଧିକ ଟନ୍ କୋଇଲା ଗଚ୍ଛିତ ରଖାଯାଇଛି। ୧୦ ତାରିଖରେ ମିଳିତ ଟିମ୍ ଆର୍ଯ୍ୟନ କୋଲ୍ ୱାସେରିରେ ଚଢ଼ଉ କରି ଯାଞ୍ଚ କଲା ବେଳେ ରେଜିଷ୍ଟର୍‌ରେ ଷ୍ଟକ୍‌ ଥିବା କୋଇଲାରୁ ୨୮ ଶହ ଟନ୍ କମ୍ ଥିବା ଜଣାପଡ଼ିଥିଲା। ତା’ର ୫ ଦିନ ପରେ ୱାସେରିଠାରୁ ୨ କିଲୋମିଟର ଦୂରରେ ଏତେ ପରିମାଣର କୋଇଲା ଠାବ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଢ଼ଉ ପୂର୍ବରୁ କୌଣସି ସୂତ୍ରରୁ ଆଗୁଆ ସୂଚନା ପାଇ ଏସବୁ କୋଇଲାକୁ ଲୁଚାଇ ଦିଆଯାଇଥିବା କୁହାଯାଉଛି। 

ଜଙ୍ଗଲରେ ଆର୍ଯ୍ୟନ କୋଲ୍‌ ୱାସେରିର କୋଇଲା ପାହାଡ଼
୧୦ ତାରିଖରେ ହୋଇଥିବା ଖଣି ବିଭାଗ ଚଢ଼ଉ ଉପରେ ପ୍ରଶ୍ନଚିହ୍ନ

ଆଜି ଜିଲ୍ଲା ପ୍ରଶାସନକୁ ଏହି ଚୋରା କୋଇଲା ସଂପର୍କରେ ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ନିର୍ଦ୍ଦେଶରେ ହେମଗିର ତହସିଲଦାର ସାରିକାରାଣୀ ଧମେଲ ଓ ପୁଲିସ ଟିମ୍ ପହଞ୍ଚି ତନାଘନା କରିଛନ୍ତି। ତହସିଲଦାର ଆର୍ଯ୍ୟନ କୋଲ୍ ୱାସେରିର ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ହେଲେ ୱାସେରି ବାହାରେ କୋଇଲା ରଖିବା ନେଇ ଖଣି ବିଭାଗ କିମ୍ବା ପ୍ରଶାସନଠାରୁ କୌଣସି ଅନୁମତି ନିଆଯାଇ ନଥିବା ଜଣାପଡ଼ିଛି। ଏ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଏହି ବେଆଇନ କୋଇଲା ଜବତ କରି ଏତଲା ଦେବାକୁ ତହସିଲଦାରଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ପ୍ରଶାସନ ଆଜି ଗୋଟିଏ ଗଦାରୁ ୯୫୯୫ ଟନ୍‌ କୋଇଲା ଜବତ କରିଛି। ଆସନ୍ତାକାଲି ପୁଣି ଚଢ଼ଉ ହେବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ହେମଗିର ଗୋପାଳପୁର ଅଞ୍ଚଳରେ ଖଣିଲୁଟ୍ ଘଟଣା ପଦାକୁ ଆସିବା ପରେ ତେଲେନଡିହି, ରତନସରା, ଭୋଗ୍ରାକଛାରର ଚୋରାଖଣିର କୋଇଲା କୋଲ୍‌ ୱାସେରି ଓ କୋଲ୍‌ ଡିପୋମାନଙ୍କୁ ଯାଉଥିବା ସନ୍ଦେହ ଉପୁଜିଥିଲା। ଅଞ୍ଚଳର ସମସ୍ତ କୋଲ୍‌ ୱାସେରି ଓ କୋଲ୍‌ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକ୍‌ର ହିସାବ ନେବା ପାଇଁ  ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଯଦି ହିସାବରୁ ଅଧିକ କୋଇଲା ବାହାରିଲା, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ତଦନ୍ତକାରୀ ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର ଓ ଟିମ୍‌ ୧୦ ତାରିଖରେ ହେମଗିରି ବ୍ଲକ୍‌ କନିକାସ୍ଥ ଆର୍ଯ୍ୟନ(ଏସିବି) କୋଲ୍‌ ୱାସେରିରେ ଚଢ଼ଉ କରି ଦିନତମାମ କୋଇଲା ଷ୍ଟକ୍‌ ଯାଞ୍ଚ କରିଥିଲେ। ସେଦିନ ଆର୍ଯ୍ୟନ କୋଲ୍‌ ୱାସେରିରେ ଯାଞ୍ଚ ବେଳେ ଷ୍ଟକ୍‌ ଠାରୁ ୨୮ ଶହ ଟନ୍‌ କୋଇଲା କମ୍‌ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe