ରାଜ୍ୟ ଥାଇବକ୍ସିଂ ପ୍ରତିଯୋଗିତା ଉଦ୍‌ଯାପିତ: ୯୪ ପଦକ ସହ ସୁନ୍ଦରଗଡ଼ ଜିଲ୍ଲା ଚାମ୍ପିଅନ

Advertisment
ରାଜ୍ୟ ଥାଇବକ୍ସିଂ ପ୍ରତିଯୋଗିତା ଉଦ୍‌ଯାପିତ: ୯୪ ପଦକ ସହ ସୁନ୍ଦରଗଡ଼ ଜିଲ୍ଲା ଚାମ୍ପିଅନ

ରାଉରକେଲା: ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିସରରେ ଚାଲିଥିବା ରାଜ୍ୟ ଥାଇବକ୍ସିଂ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ସର୍ବାଧିକ ୯୪ଟି ମେଡାଲ ସହ ସୁନ୍ଦରଗଡ଼ ଜିଲ୍ଲା ଚାମ୍ପିଅନ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ଖେଳାଳିମାନେ ସର୍ବାଧିକ ୩୪ଟି ସ୍ବର୍ଣ୍ଣପଦକ ସହ ୩୩ଟି ‌ରୌପ୍ୟ ପଦକ ଓ ୨୭ଟି କାଂସ୍ୟ ପଦକ ପାଇଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ମୋଟ୍‌ ୩୯ ପଦକ(୧୬ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୧୧ କାଂସ୍ୟ) ସହ ଦ୍ବିତୀୟ ସ୍ଥାନରେ ଥିବାବେଳେ ଅନୁଗୁଳ ଜିଲ୍ଲା ମୋଟ୍‌ ୩୧ ପଦକ(୯ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୧୦ କାଂସ୍ୟ) ସହ ତୃତୀୟ ଏବଂ ଝାରସୁଗୁଡ଼ା ଜିଲ୍ଲା ୨୦ ପଦକ(୫ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧୨ କାଂସ୍ୟ) ସହ ଚତୁର୍ଥ ସ୍ଥାନରେ ରହିଛି।

ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ମୋଟ୍‌ ୧୪ଟି ଜିଲ୍ଲା, ଯଥା-ସୁନ୍ଦରଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢ଼େଙ୍କାନାଳ, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ଗଞ୍ଜାମ, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୨୮୦ ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ଏଥିରେ ମୋଟ୍‌ ୪ଟି ବର୍ଗ, ଯଥା-କ୍ୟାଡେଟ୍‌, ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଖେଳାଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାର ସ୍ବର୍ଣ୍ଣପଦକଧାରୀ ପ୍ରତିଯୋଗୀ ଆସନ୍ତା ଜାନୁଆରୀ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟିଠାରେ ହେବାକୁ ଥିବା ଥାଇ ବକ୍ସିଂ ଫେଡେରେସନ କପ୍‌ରେ ଯୋଗଦେବେ। ବିଭିନ୍ନ ମୁକାବିଲାରେ ସଚିନ ମହାନ୍ତ, ପ୍ରସାଦ ନାୟକ, ନଟବର ସେଠୀ, ବାସୁଦେବ ମହାକୁଡ଼, ନିକ୍କି କୁମାରୀ, ଜୀତେନ୍ଦ୍ର କୁମାର, ସମୀର ମିଞ୍ଜ, ଉମାକାନ୍ତ ବେହେରା, ଅନୁପ୍ରୀୟା ସଂଗ୍ରାମସିଂହ, ବୀରେନ ଭୂତିଆ, ଆକାଂକ୍ଷା ବାରିକ, ରାଜା ତନ୍ତୀ, ଶାନ୍ତନୁ ବେହେରା ପ୍ରମୁଖ ବିଚାରକ ଦାୟିତ୍ବ ତୁଲାଇଥିଲେ।

ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ସାରଦା ପ୍ରସାଦ ନାୟକ, ଆର୍‌ଏସ୍‌ପି ସିଜିଏମ୍‌ ବି.କେ. ରାଉତ, ଓଏସ୍‌ଏପି କମାଣ୍ଡାଣ୍ଟ୍‌ ବ୍ରଜକିଶୋର ମିଶ୍ର, ଆର୍‌ଏସ୍‌ପି କ୍ରୀଡ଼ା ବିଭାଗର ରଘୁନନ୍ଦନ ପାଢ଼ୀ, ରାଜ୍ୟ ଥାଇ ବକ୍ସିଂ ସଂଘ ସାଧାରଣ ସମ୍ପାଦକ ଶୁଭେନ୍ଦୁ ସାମନ୍ତରାୟ, ଆୟୋଜକ କମିଟି ମୁଖ୍ୟ ତଥା ଜିଲ୍ଲା ଥାଇ ବକ୍ସିଂ ସଂଘର ଶରତ ଦାସ, ପ୍ରତିଯୋଗିତାର ନିର୍ଦ୍ଦେଶକ ନବୀନ ସିଂହ, ଟେକ୍ନିକାଲ ନିର୍ଦ୍ଦେଶକ ସୁଧାଂଶୁ ପଣ୍ଡା, ଜିଲ୍ଲା ସଂଘ ମୁଖ୍ୟ କୋଚ୍‌ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe