ଜିଲ୍ଲାପାଳଙ୍କ ପାଇଁ କ’ଣ ଗାଡ଼ି ନାହିଁ? କେରଳ ଠିକାଦାରଙ୍କ ଗାଡ଼ି ଚଢ଼ୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ

Advertisment

ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ଜିଲ୍ଲା ମୁଖ୍ୟ

ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ଜିଲ୍ଲା ମୁଖ୍ୟ

ଜିଲ୍ଲାପାଳଙ୍କ ପାଇଁ କ’ଣ ଗାଡ଼ି ନାହିଁ? କେରଳ ଠିକାଦାରଙ୍କ ଗାଡ଼ି ଚଢ଼ୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ନିଯୁକ୍ତ ହେଉଥିବା ଜିଲ୍ଲାପାଳ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି। ସୁରେନ୍ଦ୍ର କୁମାର ମୀନା ଜିଲ୍ଲାପାଳ ଥିବାବେଳେ ଏକ କମ୍ପାନିର ଅର୍ଥରେ ତାଙ୍କ ସରକାରୀ ବାସଭବନ ମରାମତିକୁ ନେଇ ଚର୍ଚ୍ଚା ହୋଇଥିଲା। ଠିକ୍‌ ସେହି ସମୟରେ ରାଉରକେଲା ଏଡିଏମ୍‌ ଥିବା ରଶ୍ମିତା ପଣ୍ଡା ମଧ୍ୟ ଅନୁରୂପ ଭାବେ ବିବାଦରେ ଛନ୍ଦି ହୋଇଥିଲେ। ସେ ନିଜ ବାସଭବନ ନବୀକରଣ ପାଇଁ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ସେ ମଧ୍ୟ ସ୍ମାର୍ଟସିଟି ସିଇଓ ସହିତ ଆର୍‌ଡିଏର ଉପାଧ୍ୟକ୍ଷା ଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ବର୍ତ୍ତମାନର ଜିଲ୍ଲାପାଳ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଅାସିଛନ୍ତି। ସେ ଜଣେ ଠିକାଦାରଙ୍କ ନଁା‌ରେ ପଞ୍ଜିକୃତ ଗାଡ଼ି ଚଢ଼ୁଥିବା ଦେଖିବାକୁ ମିଳିଛି। ଏହି ଠିକାଦାର ହେଉଛନ୍ତି ବାହାର ରାଜ୍ୟର। ଖଣିଜ ପ୍ରତିଷ୍ଠାନର କୋଟି କୋଟି ଟଙ୍କାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ, ଯୋଜନା ଓ ଉପକରଣ କ୍ରୟର ଟେଣ୍ଡର୍‌କୁ ଏବେ ବାହାର ରାଜ୍ୟର ଠିକାଦାର ଓ ଠିକାସଂସ୍ଥା ହାତଉଥିବା ନେଇ ସାଧାରଣରେ ପ୍ରତିବାଦର ସ୍ବର ଉଠୁଥିବାବେ‌େଳ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଶୁଣିବାକୁ ମିଳୁଛି। ଯେଉଁ ଆଲୋଚନା ଅଧିକ ଗୁରୁତ୍ବପୂର୍ଣ୍ଣ, ରାଜ୍ୟ ସରକାର କ’ଣ ଜଣେ ଜିଲ୍ଲାପାଳଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିପାରୁନାହାନ୍ତି ଯେ ସେ ଠିକାଦାରଙ୍କ ଗାଡ଼ି ଚଢ଼ୁଛନ୍ତି? ଏହାଦ୍ବାରା ରାଜ୍ୟ ସରକାରଙ୍କ ବିଶ୍ବସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳ କେରଳରୁ ଆସି ଜିଲ୍ଲାରେ କୋଟି କୋଟି ଟଙ୍କାର ଠିକା କାମ କରୁଥିବା ବିଶ୍ବନାଥ ନାମକ ଏହି ଠିକାଦାରଙ୍କ ଗାଡ଼ି ବ୍ୟବହାର କରୁଛନ୍ତି। ଜିଲ୍ଲାପାଳ ଚଢ଼ୁଥିବା ଏସୟୁଭି ଗାଡ଼ିଟି ଠିକାଦାରଙ୍କ ପତ୍ନୀ ଚେରୁଭେଞ୍ଚାରି ପ୍ରିୟାଙ୍କ ନାମରେ ୨୦୧୯ ଅଗଷ୍ଟ, ୨୦ ତାରିଖରେ ପଞ୍ଜୀକୃତ ହୋଇଛି। ସେ ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବାୟୋ ଟେକ୍ନୋଲୋଜି ଓ ବାୟୋଇନ୍‌ଫର୍ମେଟିକ୍‌ରେ ପିଏଚ୍‌ଡି କରୁଛନ୍ତି। ଏଥିସହିତ ତାଙ୍କ ନଁାରେ ମଧ୍ୟ ବିଶ୍ବନାଥଙ୍କ ଠିକାସଂସ୍ଥା ରହିଛି। ସବୁଠାରୁ ରୋଚକ କଥା ହେଲା, ନିଜ ପରିଚୟ ଲୁଚାଇବାକୁ ଗାଡ଼ି ମାଲିକ ଯଥାସାଧ୍ୟ ଉଦ୍ୟମ କରିଛନ୍ତି। ସମ୍ବଲପୁର ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଋଣ ନେଇ ଗାଡ଼ି କିଣିବା ସହ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜୀକରଣ ବେଳେ ଭୁଲ୍‌ ଠିକଣା ଉଲ୍ଲେଖ କରିଛନ୍ତି। ଠିକଣାରେ ଡୁପ୍ଲେକ୍ସ–୪, ‌ରେମେଡ, ସୁନ୍ଦରଗଡ଼ ଦର୍ଶାଯାଇଛି। କିନ୍ତୁ ସୁନ୍ଦରଗଡ଼ରେ ସେପରି କୌଣସି ସ୍ଥାନ ନ ଥିବାବେଳେ ପ୍ରକୃତରେ ଡୁପ୍ଲେକ୍ସ–୪, ରେମେଡ ଛକ ସମ୍ବଲପୁରରେ ରହିଥିବା ସୂଚନା ମିଳିଛି।

ଏହି ଠିକାଦାର ପୂର୍ବ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ସମୟରେ ସୁନ୍ଦରଗଡ଼କୁ ଆସିଥିଲେ। ସେତେବେଳେ ପ୍ରାୟ ୬୫ ଲକ୍ଷ ଟଙ୍କାରେ ଜିଲ୍ଲାପାଳଙ୍କ ବାସଭବନ ମରାମତି ଓ ନବୀକରଣ କାମ କରିଥିଲେ। କିନ୍ତୁ ରୋଚକ କଥା ହେଲା, ଏଥିରେ କୌଣସି ସରକାରୀ ଟଙ୍କା ଉପଯୋଗ ହୋଇ ନଥିଲା। କୋଇଡ଼ାର ଏକ କମ୍ପାନି ଏଥିପାଇଁ ଅର୍ଥ ଯୋଗାଇ ଦେଇଥିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଜିଲ୍ଲାପାଳଙ୍କ ବାସଭବନ ମରାମତି ପରେ ପରେ ଅନ୍ୟ କାମ ସହିତ ବିଶ୍ବନାଥ ବିନା ଟେଣ୍ଡରରେ ଡିଏମ୍‌ଏଫ୍‌ ଅର୍ଥରେ ସୁନ୍ଦରଗଡ଼ ବ୍ଲକ୍‌ ପକ୍ଷରୁ ସମ୍ପାଦିତ ୩୫ ଲକ୍ଷର ରଙ୍ଗାଢିପା ମାର୍କେଟ ସେଡ୍‌ ଓ ୫୦ ଲକ୍ଷର ରିଜେଣ୍ଟ ମାର୍କେଟ ସେଡ୍‌ ତିଆରି କରିଥିଲେ। ଜିଲ୍ଲାପାଳ ଶ୍ରୀ ମୀନାଙ୍କ ବଦଳି ପରେ ଗାଏବ ହୋଇଯାଇଥିଲେ ଠିକାଦାର ଜଣକ। ପରବର୍ତ୍ତୀ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ସମୟରେ ତାଙ୍କୁ କୌଣସି କାମ ମିଳି ନଥିଲା। ବର୍ତମାନର ଜିଲ୍ଲାପାଳ ଆସିବା ପରେ ପୁଣି ସେ ଲେଉଟିଥିଲେ ସୁନ୍ଦରଗଡ଼। କୋଟି କୋଟି ଟଙ୍କାର ମରାମତି, ନିର୍ମାଣ, ନବୀକରଣ କାମ ତାଙ୍କୁ ମିଳିଥିବା ଜଣାପଡ଼ିଛି।

ହସ୍ତଗତ ତଥ୍ୟରୁ ଜଣାପଡ଼ିଛି, ୨୦୨୦ରେ ସୁନ୍ଦରଗଡ଼ ଆଇଟିଡିଏ ବିନା ଟେଣ୍ଡରରେ ବିଭାଗୀୟ ସମ୍ପାଦନ ଦର୍ଶାଇ ଏହି ଠିକାଦାରଙ୍କୁ ୯୬ ଲକ୍ଷର ସୁନ୍ଦରଗଡ଼ ପ୍ରଦିକ୍ଷଣ ଗୃହ (ସର୍କିଟ୍‌ହାଉସ୍‌) ନବୀକରଣ କାମ ଦେଇଥିଲା। ଏହାପରେ ସଂସ୍ଥା ପୁଣି ୭୦ ଲକ୍ଷର ଜିଲ୍ଲା ସଂସ୍କୃତି ଭବନ ସମ୍ପୂର୍ଣ୍ଣୀକରଣ କାମ ଦେଇଥିଲା। ବିନା ଟେଣ୍ଡରରେ ବାହାର ଠିକାଦାରଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁଚିତ ଅନୁଗ୍ରହ ପ୍ରଦର୍ଶନକୁ ଓଡ଼ିଶା ଠିକାଦାର ମହାସଂଘ ବିରୋଧ କରି ରାଜ୍ୟ ଅନୁସୂଚୀତ ଜାତି ଓ ଆଦିବାସୀ ଉନ୍ନୟନ ବିଭାଗ ପାଖରେ ଅଭିଯୋଗ କରିଥିଲା। ଏହାକୁ ଆଧାର କରି ବିଭାଗ ୨୦୨୦ ଡିସେମ୍ବର ୨୩ରେ ଏହାର ତଦନ୍ତ ଓ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା। କିନ୍ତୁ ତା’ର କି ତଦନ୍ତ, କି କାର୍ଯ୍ୟାନୁଷ୍ଠାନ ହେଲା, ତାହା ଏଯାଏ ଜଣାପଡ଼ି ନ ଥିବାବେଳେ ଠିକାଦାର ଜଣକ ପୂର୍ବବତ୍‌ ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର କାମ କରିଚାଲିଥିବା ଅଭିଯୋଗ ହୋଇଛି। କେବଳ ସୁନ୍ଦରଗଡ଼ ଉପଖଣ୍ଡ ନୁହେଁ, ପାନପୋଷ, ବଣାଇଁ ଉପଖଣ୍ଡରେ ମଧ୍ୟ ସେ ବିଭିନ୍ନ କାମ କରୁଥିବା ଜଣାଯାଇଛି। ସମ୍ପୃକ୍ତ ଠିକାଦାରଙ୍କୁ ଏପରି ଅନୁଚିତ ଅନୁଗ୍ରହ ମିଳିବା ମଧ୍ୟରେ ତାଙ୍କ ଏସୟୁଭି ଗାଡ଼ି ଜିଲ୍ଲାପାଳଙ୍କ ବ୍ୟବହାରରେ ଲଗାଯିବା ଭିନ୍ନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe