ପାକିସ୍ତାନ ଜେଲରୁ କୁତ୍ରା ଫେରିଥିବା ବିରଜୁଙ୍କୁ ମିଳିଲା ରାସନ୍‌କାର୍ଡ ଓ ଭତ୍ତା

Advertisment
ପାକିସ୍ତାନ ଜେଲରୁ କୁତ୍ରା ଫେରିଥିବା ବିରଜୁଙ୍କୁ ମିଳିଲା ରାସନ୍‌କାର୍ଡ ଓ ଭତ୍ତା

ସୁନ୍ଦରଗଡ଼: ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଇ ୨୫ ବର୍ଷ ପରେ ଫେରିଥିବା କୁତ୍ରା ବ୍ଲକ୍ କଟଙ୍ଗ ଗାଁର ବିରଜୁ କୁଲୁଙ୍କୁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତ୍ବରିତ ସହାୟତା ପ୍ରଦାନ କରିଛି। ଜିଲ୍ଲପାଳ ନିଖିଳ ପବନ କଲ୍ୟାଣଙ୍କ ନିର୍ଦ୍ଦେଶକ୍ରମେ ଆଜି ବିରଜୁଙ୍କୁ ରାସନକାର୍ଡ, ଭତ୍ତା ଓ ଜିଲ୍ଲା ରେଡକ୍ରସରୁ ୩୦ ହଜାରର ଏକ ଚେକ୍ ପ୍ରଦାନ କରାଯାଇଛି। ଏହା ସହ ତାଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର କରାଯାଇଛି। ଏହି ବସରରେ ତାଙ୍କ ଜୀବନଜୀବିକା ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ ଵୋଲି ପ୍ରଶାସନ ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ, କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗରପଡାର ମାରକୁସ କୁଲୁ ଓରଫ୍ ବିରଜୁ ମାନସିକ ଅନଗ୍ରସ ଥିଲେ। ପ୍ରାୟ ୨୫ ବର୍ଷ ତଳେ କିଶୋର ଥିବା ବେଳେ ସେ ଘରଛାଡି ଝାଡଖଣ୍ଡକୁ ଚାଲି ଯାଇଥିଲେ। ସେଠାରୁ ପୁଣି କୁଆଡ଼େ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ପରିବାରବର୍ଗ ତାଙ୍କୁ ଢେର ଖୋଜାଖୋଜି କରିଥିଲେ ବି ତାଙ୍କ ପତ୍ତା ମିଳି ନଥିଲା। ଏହା ମଧ୍ୟରେ ତାଙ୍କ ଫେରିବା ବାଟକୁ ଅନାଇ ବାପା ମା' ଆରପାରିକୁ ଚାଲି ଯାଇଥିବା ଵେଳେ ଏକମାତ୍ର ବଡ ଭଉଣୀ ଅଛନ୍ତି। ସେ ଓ ଗାଁ ଲୋକେ ବିରଜୁ ଆଉ ଇହଜଗତରେ ନାହାନ୍ତି ବୋଲି ଭାବିନେଇ ଥିଲେ । ଏତିକି ବେଳେ ହଠାତ୍ ନିକଟ ଅତୀତରେ ତାଙ୍କ ପରିଚୟ ଓ ଠିକଣା ଯାଞ୍ଚ ପାଇଁ ପୁଲିସ୍ ବିରଜୁଙ୍କ ଘରେ ପହଞ୍ଚି ଥିଲା। ଏହାପରେ ବିରଜୁ ପାକିସ୍ତାନ ଜେଲରେ ସଜାକାଟୁଥିବା ଜଣା ପଡିଥିଲା । ସେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ପାକିସ୍ତାନୀ ସୈନ୍ୟମାନେ ଭାରତର ଗୁପ୍ତଚର ଭାବି ଧରି ନେଇ ଲାହୋର ଜେଲରେ ୨୦ ବର୍ଷ ରଖିଥିଲେ। ସେଠାରେ ସେ ୨୦ ବର୍ଷ ବନ୍ଦୀ ଭାବେ ଜୀବନ କାଟିବା ପରେ ଗତ ୨୬ ତାରିଖରେ ତାଙ୍କୁ ମୁକ୍ତ କରାଯାଇଥିଲା।ପାକିସ୍ତାନୀ ସୈନ୍ୟ ତାଙ୍କୁ ୱାଘା ସୀମାରେ ଭାରତକୁ ହସ୍ତାନ୍ତର କରିଥିଲେ । ବିରଜୁ ଅମୃତସର ଠାରେ ପହଞ୍ଚିବା ପରେ ତାଙ୍କୁ ନାରାୟଣଗଞ୍ଜ ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଘରକୁ ଆଣିବାକୁ ବ୍ୟବସ୍ଥା କରାଯାଇଥିଲା। କୁତ୍ରା ବ୍ଲକ୍ ପ୍ରଶାସନ ପକ୍ଷରୁ ଵଲେରୋ ଯୋଗେ ଅମୃତସରରୁ ଆଣି ୧୩ ତାରିଖରେ ତାଙ୍କୁ ଘରେ ପହଞ୍ଚାଇଥିଲେ। ଏକ ଭାବବିହ୍ବଳ ପରିବେଶରେ ତାଙ୍କୁ ସ୍ଥାନୀୟ ପ୍ରଶାସନ ଓ ଗାଁ ଲୋକେ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe