ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ: ନକଲି ସାର୍ଟିଫିକେଟରେ ୭ ଜଣଙ୍କୁ ଲାବ୍ ଚାକିରି

Advertisment
ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ: ନକଲି ସାର୍ଟିଫିକେଟରେ ୭ ଜଣଙ୍କୁ ଲାବ୍ ଚାକିରି

The New Indian Express

ସୁନ୍ଦରଗଡ଼: ଶିକ୍ଷକଙ୍କ ଜାଲ୍ ସାର୍ଟିଫିକେଟ ଖୋଜା ଚାଲିଛି। କିଛି ଜାଲି ଶିକ୍ଷକ ଧରାପଡ଼ିଲେଣି। ସେମାନଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଆସିଲାଣି। ଏସ୍ଥିତିରେ କେବଳ ଶିକ୍ଷକ କି ଶିକ୍ଷା ବିଭାଗ ନୁହେଁ, ସ୍ବାସ୍ଥ୍ୟ ବିଭାଗରେ ଚାକିରି କରୁଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଜାଲ୍ ବା ଅବୈଧ ଥିବା ଅଭିଯୋଗ ହୋଇଛି।  ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଅବୈଧ ବା ଜାଲ୍ ସାର୍ଟିଫିକେଟରେ ୭ ଜଣ ମେଡିକାଲ ଲାବ୍ ଟେକ୍ନିସିଆନ ଭାବେ ନିଯୁକ୍ତି ପାଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

୨୦୦୬ରୁ ୨୦୧୨ ମଧ୍ୟରେ  ଏମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଛି। କର୍ମଚାରୀମାନେ  ଦାଖଲ କରିଥିବା ସାର୍ଟିଫିକେଟ୍  ଦିଲ୍ଲୀସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ହେଲ୍ଥ ଆଣ୍ଡ୍ ହାଇଜିନ୍ର ଡିଷ୍ଟାନ୍ସ ଏଜୁକେସନର ହୋଇଥିବା ବେଳେ ଏସବୁ ଅବୈଧ ଓ କିଛି ଜାଲ୍ ଥିବା ଜଣାପଡ଼ିଛି। ଭୁବନେଶ୍ବରସ୍ଥିତ ଓଡ଼ିଶା ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଏମଏଲଟି)ର ମାର୍ଗଦର୍ଶିକା ଅନୁସାରେ, ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଲାବ୍ ଟେକ୍ନିସିଆନ ପଦ ପାଇଁ  ଦିଲ୍ଲୀ ଓ କୋଲକାତା ବୋର୍ଡର ଏହି ସାର୍ଟିଫିକେଟ ଗ୍ରହଣଯୋଗ୍ୟ ନୁହେଁ।

ଏସ୍ଥିତିରେ ଡିଏମଏଲଟିର ଏହି ମାର୍ଗଦର୍ଶିକାକୁ ଉଲ୍ଲଂଘନ କରି ସୁନ୍ଦରଗଡ଼ରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଲାବ୍ ଟେକ୍ସିସିଆନ ପରି ଗୁରୁତ୍ବପୂର୍ଣ୍ଣ ପଦରେ ଅନ୍ୟ ଡିଷ୍ଟାନ୍ସ ଏଜୁକେସନର ଡିପ୍ଲୋମାଧାରୀଙ୍କୁ ନିଯୁକ୍ତ ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଏଥିରେ ବଡ଼ ଧରଣର ଲାଞ୍ଚ କାରବାର ହୋଇଥିବା ଚର୍ଚ୍ଚା ରହିଛି। ଏହା ମଧ୍ୟରେ ମେଡିକାଲରେ ଏକ ବହିର୍ଉତ୍ସ (ଆଉଟସୋର୍ସିଂ) ସଂସ୍ଥା ଏପରି ଜାଲ୍ ଓ ଅବୈଧ ସାର୍ଟିଫିକେଟରେ ନିଯୁକ୍ତି   ଦେଉଥିବା ଅଭିଯୋଗ ହୋଇଛି। ଏହା ଦ୍ବାରା ଜିଲ୍ଲାର ଯୋଗ୍ୟ ଛାତ୍ରଛାତ୍ରୀ ନିଯୁକ୍ତିରୁ ବଞ୍ଚିତ ହେଉଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଏହାର ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe