ଚଢ଼ଉରୁ ନିସ୍ତାର ନାହିଁ : ଭିଜିଲାନ୍ସ ହାତରେ ସୁନ୍ଦରଗଡ଼ ପୌର ନିର୍ବାହୀ ଅଧିକାରୀ

Advertisment
ଚଢ଼ଉରୁ ନିସ୍ତାର ନାହିଁ : ଭିଜିଲାନ୍ସ ହାତରେ ସୁନ୍ଦରଗଡ଼ ପୌର ନିର୍ବାହୀ ଅଧିକାରୀ

ସୁନ୍ଦରଗଡ଼ : ସଫେଇ କର୍ମଚାରୀଙ୍କ ପୋଷାକ ସିଲେଇର ବକେୟା ବିଲ୍‌ ପାଇଁ ଜଣେ ଦର୍ଜିଠାରୁ ୧୫ ହଜାର ଲାଞ୍ଚ ନେଇ ଆଜି ସୁନ୍ଦରଗଡ଼ ପୌରନିର୍ବାହୀ ଅଧିକାରୀ ଅଶୋକ ମିଶ୍ର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ମନିପର୍ସରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଟିମ୍। ରାତି ପାହିଲେ ନୂଆ ସଂକଳ୍ପ ନେଇ ନୂଆ ବର୍ଷ ଆରମ୍ଭ କରିବାକୁ ସଜବାଜ ହେଉଥିବା ବେଳେ ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ଚର୍ଚ୍ଚାର ବିଷୟ ହୋଇଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୭ରେ ଝାରସୁଗୁଡା ମଙ୍ଗଳବଜାରସ୍ଥିତ ସାଇନ୍ ଟେଲର୍ ମାଲିକ ସାହିଦ ହକ୍‌ ସୁନ୍ଦରଗଡ଼ ପୌରପାଳିକାର ସଫେଇ କର୍ମଚାରୀମାନଙ୍କୁ ପୋଷାକ ଯୋଗାଇ ଦେଇଥିଲେ। ସେ ସମୟର ୨ଟି ବିଲ୍‌ ୧ ଲକ୍ଷ ୭୭ ହଜାର ଟଙ୍କା ପଡ଼ି ରହିଥିଲା। ବିଲ୍ ପାଇଁ ଦର୍ଜି ସାହିଦ ହକ୍ ବାରମ୍ଵାର ପୌର ଅଧିକାରୀ ଶ୍ରୀ ମିଶ୍ରଙ୍କ ପାଖକୁ ଦୌଡିଥିଲେ। ଶେଷକୁ ବିଲ୍ କରିଦେବାକୁ ଅଧିକାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦର୍ଜି ସାହିଦ ହକ୍‌ ଏ ସମ୍ପର୍କରେ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ମାମଲା ରୁଜୁ କରି ଶ୍ରୀ ମିଶ୍ରଙ୍କୁ ଧରିବାକୁ ଯୋଜନା କରିଥିଲା ଭିଜିଲାନ୍ସ। ଆଜି ଅପରାହ୍ନ ୪ଟା ୨୦ରେ ପୌର କାର୍ଯ୍ୟାଳୟରେ ଅଭିଯୋଗକାରୀ ସାହିଦ୍‌ ହକ୍‌ ଅଧିକାରୀଙ୍କୁ ଟଙ୍କା ଦେଲା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ଏହା ସହ ଡିଆରଡିଏ ଛକସ୍ଥିତ ତାଙ୍କ ସରକାରୀ ନିବାସରେ ମଧ୍ୟ ଯାଞ୍ଚ କରିଥିଲା। ଭିଜିଲାନ୍ସ ଉପ ଅଧୀକ୍ଷକ ବୀରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଭିଜିଲାନ୍ସ ନିରୀକ୍ଷକ ସୁଧାଂଶୁ ଶେଖର ପୁଜାରୀ ଓ ଟିମ୍‌ ଶ୍ରୀ ମିଶ୍ରକୁ ଧରିଥିଲେ। ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe