ସୁନ୍ଦରଗଡ଼ ରାଜନୀତି: ଦଳ ବଦଳାଇ କ’ଣ ପାଇଲେ ପ୍ରଫୁଲ୍ଲ, ସନ୍ତୋଷ!

ସୁନ୍ଦରଗଡ଼ ରାଜନୀତି: ଦଳ ବଦଳାଇ କ’ଣ ପାଇଲେ ପ୍ରଫୁଲ୍ଲ, ସନ୍ତୋଷ!

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ଚଳିତ ନିର୍ବାଚନରେ ବେଶ୍‌ ଚର୍ଚ୍ଚାରେ ଥିଲେ ଦଳ ବଦଳାଇଥିବା ସୁନ୍ଦରଗଡ଼ର ତିନି ବରିଷ୍ଠ ନେତା ତଳସରାର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ ଓ ପ୍ରଫୁଲ୍ଲ ସୁନ୍ୟାନୀ। ଡ. ମାଝୀ ଓ ଶ୍ରୀ ସୁନ୍ୟାନୀ କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ବେଳେ ଶ୍ରୀ ଅମାତ ବିଜେପିରୁ ବିଜେଡି, ଏବେ ପୁଣି ବିଜେପିକୁ ଫେରିଛନ୍ତି। କିନ୍ତୁ ଦଳବଦଳ କରି ଏହି ୩ ନେତା କ’ଣ ପାଇଲେ, ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ପୂର୍ବତନ ବିଧାୟକ ଡ. ମାଝୀ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। କଂଗ୍ରେସରୁ ଲଗାତାର ୩ ଥର ବିଧାୟକ ଥିବା ଏହି ବରିଷ୍ଠ ଆଦିବାସୀ ନେତା ୨୦୧୯ରେ ପରାଜିତ ହେବାପରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଦଳ ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଥିଲା। କିନ୍ତୁ, ‌ଯୋଗଦାନ ପରଠାରୁ ସ୍ଥାନୀୟ ବିଜେଡି ଡ.ମାଝୀଙ୍କୁ କୋଣଠେସା କରି ରଖିଥିଲା। ଶତ ପ୍ରତିଶତ ଉଦ୍ୟମ ସତ୍ତ୍ବେ ଦଳୀୟ ଅସହଯୋଗ କାରଣରୁ ସେ ଧର୍ମପତ୍ନୀ ତ୍ରିବେଣୀ ମାଝୀଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ବସାଇ ପାରିନଥିଲେ। ଏହାପ‌ରେ ଚଳିତ ନିର୍ବାଚନରେ ତଳସରା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବାକୁ ଲବି ଚଳାଇଥିଲେ ଡ. ମାଝୀ। କିନ୍ତୁ, ତାଙ୍କୁ ନିରାଶ କରି ଦଳ ବିନୟ କୁମାର ଟପ୍ପୋଙ୍କୁ ପ୍ରାର୍ଥୀ କରିଥିଲା। ଏହାକୁ ବିରୋଧ କରି ପ୍ରଫୁଲ୍ଲ ତଳସରା କ୍ଷେତ୍ରରେ ଦଳୀୟ ପ୍ରଚାରରୁ ଦୂରେଇ ରହିଥିଲେ। ଏପରିକି ପ୍ରଚାର ସମୟରେ ପ୍ରାର୍ଥୀ ବିନୟଙ୍କୁ ଭୋଟ ନଦେବାକୁ ନିଜ ସମର୍ଥକମାନଙ୍କୁ ଫୋନ୍‌ ଯୋଗେ ପରାମର୍ଶ ଦେଉଥିବାର ଏକ ଅଡିଓ ଭାଇରାଲ୍ ହୋଇଥିଲା। ଏହାପରେ ଗତ ୧୨ ତାରିଖରେ ଦଳ ତାଙ୍କୁ ନିଲମ୍ବିତ କରିଛି।

ସେହିପରି, ଶ୍ରୀ ଅମାତଙ୍କୁ ମଧ୍ୟ ବିଜେପିରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମିଳିନାହିଁ। ଆଗକୁ ସେ ବିଜେପିରେ ରହୁଛନ୍ତି ନା ପୁଣି କୁଆଡ଼େ ଯାଉଛନ୍ତି, ତାହା ଦେଖିବାକୁ ବାକି ରହିଲା। ଶ୍ରୀ ସୁନ୍ୟାନୀ ରଘୁନାଥପାଲି ଟିକେଟ ଆଶାରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ଟିକେଟ ନେଇନଥିଲା, ହେଲେ ତାଙ୍କୁ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ ଦାୟିତ୍ବ ଦେଇଥିଲା। ଆଗକୁ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଯଦି ଦଳ ସଫଳ ହୁଏ, ତା’ହେଲେ ତାଙ୍କୁ କୌଣସି ନୂଆ ପଦ ମିଳିପାରେ ବୋଲି ଚର୍ଚ୍ଚା ରହିଛି। ମୋଟାମୋଟି କହିବାକୁ ଗଲେ ଦଳ ବଦଳାଇ ଏହି ୩ ନେତାଙ୍କୁ ଆଶାନୁରୂପ ରାଜନୈତିକ ଫାଇଦା ଯେ ମିଳିନାହିଁ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe