ବିଜେପିର ଓଡ଼ିଶା ରାଜ୍ୟ ପ୍ରଭାରୀ ନିଯୁକ୍ତ ହେଲେ ସୁନୀଲ ବଂଶଲ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ବ୍ୟାପାର ବି ବୁଝିବେ

ବିଜେପିର ଓଡ଼ିଶା ରାଜ୍ୟ ପ୍ରଭାରୀ ନିଯୁକ୍ତ ହେଲେ ସୁନୀଲ ବଂଶଲ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ବ୍ୟାପାର ବି ବୁଝିବେ

ଭୁବନେଶ୍ବର: ରାଜ୍ୟ ବିଜେପି ପାଇଁ ବୁଧବାର ନୂଆ ପ୍ରଭାରୀ ନିଯୁକ୍ତି ହୋଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସୁନୀଲ ବଂଶଲଙ୍କୁ ଓଡ଼ିଶା ଲାଗି ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ବଂଶଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ମଧ୍ୟ ଦାୟିତ୍ବ ମିଳିଛି। ଏ ନେଇ ବିଜେପି ପକ୍ଷରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। 

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଚିବ ଅରୁଣ ସିଂହ କହିଛନ୍ତି ଯେ,  ସୁନୀଲ ବଂଶଲଙ୍କୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କର ଏହି ନିଯୁକ୍ତି ତତ୍କାଳ ଲାଗୁ ହୋଇଛି। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସୁନୀଲ ବଂଶଲଙ୍କୁ ଏହି ଦାୟିତ୍ବ ମିଳିଛି। ପୂର୍ବରୁ ସେ ଉତ୍ତର ପ୍ରଦେଶରେ ଦଳର ସାଧାରଣ ସଂପାଦକ ଥିଲେ ଏବେ ତାଙ୍କୁ ରାଷ୍ଟ୍ରୀୟ ସଂଗଠନରେ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି।

publive-image

ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିଜେପି ନିଜକୁ ମଜବୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଥି ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି। ଗତ ଜୁଲାଇ ମାସ ୩୦ ତାରିଖ ଦିନ ବିଜେପି ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କ ନାଁ ଘୋଷଣା କରିଥିଲା। ଜୟନାରାୟଣ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଗୃହ ଭିତରେ ବ୍ଲକ୍-ଜିର ୪ ନମ୍ବର ଆସନ ତାଙ୍କୁ ଦିଆଯାଇଛି।

ସେହିପରି ଗତ ୮ ତାରିଖ ଦିନ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ରୁୁଦ୍ଧଦ୍ବାର ବୈଠକରେ ଗୁରୁମନ୍ତ୍ର ଦେଇଥିଲେ। ଗାଁର ୱାର୍ଡ ଓ ବୁଥସ୍ତରରେ ଅର୍ଥାତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ସେହିପରି ଘରେ ଘରେ ପଦ୍ମ ଫୁଲ ଅଙ୍କିବା ଉପରେ ମଧ୍ୟ ସେ ଗୁରୁତ୍ବ ଆରୋପ କରିଥିଲେ। ଏଥିସହ କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ଲଢେଇ କଲେ ଦଳ ସରକାରକୁ ଆସିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶ‌ାହ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe