ସୁପରସୋନିକ କ୍ରୁଜ୍ ମିସାଇଲ୍‌ ‘ବ୍ରହ୍ମୋସ୍‌’ର ପରୀକ୍ଷଣ ସଫଳ

ସୁପରସୋନିକ କ୍ରୁଜ୍ ମିସାଇଲ୍‌ ‘ବ୍ରହ୍ମୋସ୍‌’ର ପରୀକ୍ଷଣ ସଫଳ

ବା‌ଲେଶ୍ବର: ବାଲେଶ୍ବର ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର କେନ୍ଦ୍ରର ୩ନ ଲଞ୍ଚପ୍ୟାଡ଼ରୁ ଆଜି ପୂର୍ବାହ୍ନରେ  ସୁପରସୋନିକ କ୍ରୁଜ୍ ମିସାଇଲ୍‌ ‘ବ୍ରହ୍ମୋସ୍‌’ର ପରୀକ୍ଷଣ କରାଯାଇଛି। ଏହା ଏକ ନିୟମିତ ପରୀକ୍ଷଣ ବୋଲି ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏହାର ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ କେନ୍ଦ୍ରର ନିର୍ଦ୍ଦେଶକ ଓ ବରିଷ୍ଠ ପ୍ରତିରକ୍ଷା ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଛି ବୋଲି ଡିଆର୍‌ଡିଓ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେ କୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇପାରିବ। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି ମିସାଇଲରେ ଦୁଇ ଷ୍ଟେଜ୍‌ ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଇଛି। ୩ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ରୁ ୬୦୦ କିମି ମଧ୍ୟରେ ଲକ୍ଷ୍ୟଭେଦ କରିବା କ୍ଷମତା ରଖିଛି। ବାୟୁସେନାର ଯୁଦ୍ଧ ବିମାନରୁ ୪ ଶହ କିମି ପର୍ଯ୍ୟନ୍ତ ଟାର୍ଗେଟ୍‌ ହିଟ୍‌ କରିପାରିବାର କ୍ଷମତା ରଖିଛି। ଘଣ୍ଟା ପ୍ରତି ୩ ହଜାର ୪ ଶହ କିମିରୁ ୩ ହଜାର ୭ ଶହ କିମି ବେଗରେ ଗତି କରିପାରୁଥିବା ‘ବ୍ରହ୍ମୋସ୍‌’କୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଉଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଗ୍ରା। ଭାରତର ବ୍ରହ୍ମପୁତ୍ର ଓ ରୁଷର ମସ୍କଭା ନଦୀର ନାମ ଅନୁସାରେ ଏହାର ନାମକରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe