ସୁପରସ୍ପୋଲିଟି ହସପିଟାଲ: ବେସରକାରୀ ସଂସ୍ଥା ହାତରେ ରହିବ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ

ସରିଲା ଟେଣ୍ଡର:୨ ସଂସ୍ଥା ଆବେଦନ କରିଥିବା ସୂଚନା

ସୁପରସ୍ପୋଲିଟି ହସପିଟାଲ: ବେସରକାରୀ ସଂସ୍ଥା ହାତରେ ରହିବ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ

ରାଉରକେଲା: ରାଉରକେଲାସ୍ଥ ଇସ୍ପାତ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ୍‌ ସୁପରସ୍ପେଶାଲିଟି ହସପିଟାଲ(ଆଇପିଜିଆଇ ଓ ଏସ୍‌ଏସ୍‌ଏଚ୍‌)କୁ ଏମ୍‌ସରେ ପରିବର୍ତ୍ତନ କରିବା କିମ୍ବା କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳନା କରିବାକୁ ବିଗତ ଦିନରେ ଜୋର୍‌ ଦାବି ହୋଇଥିଲା। ରାଉରକେଲାର ବିଭିନ୍ନ ଶ୍ରମିକ ସଂଗଠନ ସମେତ ବୁଦ୍ଧିଜୀବୀ ସମାନ ଦାବି ଦୋହରାଇଥିଲେ। ତେବେ ଏସବୁ ଗୁରୁତ୍ବ ଦିଆନଯାଇ ବେସରକାରୀ ସଂସ୍ଥାକୁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦେବାକୁ ରାଉରକେଲା ଇସ୍ପାତ ଟ୍ରଷ୍ଟ୍‌(ଆର୍‌ଆଇଟି) ନିଷ୍ପତ୍ତି ନେଇଥିଲା। ଏହି କ୍ରମରେ ପ୍ରାୟ ଦୁଇ ବର୍ଷ ପୂର୍ବେ ଟେଣ୍ଡର ଆହ୍ବାନ କରାଯାଇଥିଲା; କିନ୍ତୁ ଗୋଟିଏ ବି ସଂସ୍ଥା ଏଥିପ୍ରତି ଆଗ୍ରହ ଦେଖାଇନଥିଲେ। ଏବେ ଦ୍ବିତୀୟ ଥର ପାଇଁ ଟେଣ୍ଡର୍‌ ଡକାଯାଇଥିବାବେଳେ କିଛି ସଂସ୍ଥା ଆବେଦନ କରିଥିବା ଜଣାପଡ଼ିଛି।

ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ, ଏହି ସୁପରସ୍ପେଶାଲିଟି ହସପିଟାଲ ପରିଚାଳନା ପାଇଁ ପ୍ରତିଷ୍ଠିତ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ‘ଆପୋଲୋ’ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଏକ ହସପିଟାଲ ଆବେଦନ କରିଛନ୍ତି। ଉଭୟ ସଂସ୍ଥା ମଧ୍ୟରୁ ‘ଆପୋଲୋ’ ହିଁ ସର୍ବାଧିକ ମାନଦଣ୍ଡ ପୂରଣ କରୁଛି। ଏହାସହ ଯଦି ସବୁ ସର୍ତ୍ତ ପୂରଣକରେ, ତା’ହେଲେ ଏହାର ପରିଚାଳନା ଦାୟିତ୍ବ ଆପୋଲୋକୁ ହିଁ ଦିଆଯିବାର ସମ୍ଭାବନା ଅଧିକ। ଏନେଇ କିନ୍ତୁ ଆର୍‌ଏସ୍‌ପି ପକ୍ଷରୁ ଆନୁଷ୍ଠାନିକଭାବେ କୌଣସି ସୂଚନା ଦିଆଯାଇନି। ଆର୍‌ଏସ୍‌ପି ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପୂର୍ବଥର ଗୋଟିଏ ବି ଆବେଦନ ପତ୍ର ପଡ଼ିନଥି‌ବାବେଳେ ଏଥର କିନ୍ତୁ କିଛି ଇଚ୍ଛୁକ ସଂସ୍ଥା ପକ୍ଷରୁ ଆବେଦନ କରାଯାଇଛି। ତେବେ ନିର୍ଦ୍ଦିଷ୍ଟ କେତୋଟି ଆବେଦନ ପତ୍ର ଦାଖଲ ହୋଇଛି, ତାହା ଗୋପନ ରଖାଯାଇଥିବା କହିଛନ୍ତି।

ଇସ୍ପାତ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ୍‌ ସୁପରସ୍ପେଶାଲିଟି ହସପିଟାଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୨୦୨୧ ମାର୍ଚ୍ଚ ୨୧ ତାରିଖରେ ଉଦ୍‌ଘାଟନ କରିଥିଲେ। ତେବେ ଉଦ୍‌ଘାଟନର ବର୍ଷକ ପୂର୍ବରୁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହାର ପରିଚାଳନା ପାଇଁ ସର୍ବପ୍ରଥମଥର ପାଇଁ ୨୦୨୦ ମସିହା ଫେବ୍ରୁଆରୀ ୧୯ ତାରିଖରେ ଟେଣ୍ଡର୍‌ ଆହ୍ବାନ ହୋଇଥିଲା। ଇଚ୍ଛୁକ ସଂସ୍ଥାଗୁଡ଼ିକ ୨୦୨୦ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଆବେଦନ କରିବାକୁସମୟ ନିର୍ଦ୍ଧାରଣ କରାଯାଇଥିଲା। ମାତ୍ର ସେତେବେଳେ ଗୋଟିଏ ବି ସଂସ୍ଥା ପ୍ରକ୍ରିୟାରେ ସାମିଲହୋଇନଥିଲେ। ଏହା ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଶକ୍ତଧକ୍କା ସଦୃଶ ହୋଇଥିଲା। ଅପରପକ୍ଷରେ ବେସରକାରୀ ସଂସ୍ଥାର ଅନାଗ୍ରହ କିନ୍ତୁ ରାଉରକେଲାବାସୀଙ୍କୁ ଦାବିର ସ୍ବର ଶାଣିତ କରିବାକୁ ଖୋରାକ୍‌ ଯୋଗାଇଥିଲା। ଗୋଟିଏପଟେ ସହରବାସୀଙ୍କ ଦାବି ଲାଗିରହିଥିବାବେଳେ ଅପରପ‌ଟେ ଆର୍‌ଏସ୍‌ପି କିନ୍ତୁ ପୁନର୍ବାର ଟେଣ୍ଡର୍‌ ଆହ୍ବାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା। ଶେଷରେ ଗତ ଏପ୍ରିଲ ୨୨ ତାରିଖରେ ଦ୍ବିତୀୟଥର ପାଇଁ ଆର୍‌ଆଇଟି ପକ୍ଷରୁ ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ସେକ୍ଟର-୧୯ରେ ୪ ଲକ୍ଷ ୬୨ ହଜାର ୬୫୭ ବର୍ଗଫୁଟ୍‌ରେ ଏହି ସୁପରସ୍ପେଶାଲିଟି ହସପିଟାଲ ନିର୍ମାଣ କରାଯାଇଛି। ୩ ଲକ୍ଷ ୫୪ ହଜାର ୬୫୨ ବର୍ଗଫୁଟ ପରିମିତ ଅଞ୍ଚଳରେ ୩ ଶହ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରାଯାଇଥିବାବେଳେ ୫୬,୯୨୫ ବର୍ଗଫୁଟ୍‌ରେ ଏକାଡେମିକ୍‌ ବ୍ଲକ ଓ ୫୧,୦୫୧ ବର୍ଗଫୁଟ୍‌ରେ ସର୍ଭିସ୍‌ ବ୍ଲକ ନିର୍ମାଣ ହୋଇଛି। ଏଥିପାଇଁ ପ୍ରାୟ ୨୯୫ କୋଟି ବ୍ୟୟ କରାଯାଇଛି। ଏଥିମଧ୍ୟରୁ ପ୍ରାୟ ୬୫ କୋଟି କେବଳ ଚିକିତ୍ସା ଉପକରଣରେ ବ୍ୟୟ ହୋଇଛି। ବର୍ଷିକିଆ ଚୁକ୍ତି ଅନୁସାରେ ୫ ଜଣ ସୁପରସ୍ପେଶାଲିଷ୍ଟ୍‌, ୨ ସ୍ପେଶାଲିଷ୍ଟ୍‌, ୪ ମେଡିକାଲ ଅଫିସର, ୨ ବାୟୋମେଡିକାଲ ଇଞ୍ଜିନିଅର ଓ ଶହେ ଜଣ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଆର୍‌ଆଇଟି ପକ୍ଷରୁ ଏକାଧିକ ସର୍ତ୍ତ ରଖାଯାଇଛି।

ସର୍ତ୍ତ ଅନୁସାରେ, ଯେଉଁ ସଂସ୍ଥା ଏହି ଟେଣ୍ଡର୍‌ ପାଇବାରେ ସଫଳ ହେବେ, ତାଙ୍କ ସହ ଆର୍‌ଆଇଟିର ୧୦ ବର୍ଷିଆ ଚୁକ୍ତି ହେବ। ଅର୍ଥାତ୍‌, ଉକ୍ତ ବେସରକାରୀ ସଂସ୍ଥା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏହାର ପରିଚାଳନା ଦାୟିତ୍ବରେ ରହିବେ। ପ୍ରଥମ ଚୁକ୍ତି ଅବଧି ଶେଷ ହେବାପରେ ଯଦି ଉଭୟ ପକ୍ଷ ରାଜି ହୁଅନ୍ତି; ତା’ହେଲେ ଚୁକ୍ତି ଆଉ ୧୦ ବର୍ଷ ପାଇଁ ବୃଦ୍ଧି କରାଯିବ। ତେବେ ପରିଚାଳନା ଦାୟିତ୍ବ ପାଇଥିବା ସଂସ୍ଥା ବର୍ତ୍ତମାନ ସୁଦ୍ଧା ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ନିଯୁକ୍ତି ବାତିଲ ହେବନାହିଁ।

publive-image

ଏତଦ୍‌ବ୍ୟତୀତ ହସପିଟାଲର ସୁପରିଚାଳନା ପାଇଁ ଉଭୟ ପକ୍ଷର ୮ ଜଣ ସଦସ୍ୟଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯିବ। ଏହି କମିଟିରେ ଆର୍‌ଏସ୍‌ପିର ସ୍ବାସ୍ଥ୍ୟ ସେବା ବିଭାଗ ମୁଖ୍ୟ, ବିତ୍ତ ବିଭାଗ ମୁଖ୍ୟ କିମ୍ବା ପ୍ରତିନିଧି, କାର୍ମିକ ଓ ପ୍ରଶାସନ ବିଭାଗ ମୁଖ୍ୟ କିମ୍ବା ପ୍ରତିନିଧି ଓ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ପ୍ରତିନିଧିଙ୍କ ସମେତ ଉକ୍ତ ବେସରକାରୀ ସଂସ୍ଥାର ୪ ଜଣ ଅଧିକାରୀ ରହିବେ। ତେବେ ଆର୍‌ଆଇଟିର ବରିଷ୍ଠ ସଦସ୍ୟ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe