ରାଇରଙ୍ଗପୁର: ଆଉଁରିଆ(ଅପସ୍ମାର ବାତ) ରୋଗୀଙ୍କୁ ଜୋତା ଶୁଙ୍ଘାଇଲେ ରାଇରଙ୍ଗପୁର ଆଦର୍ଶ ଥାନାର ପୁଲିସ ବାବୁ । ପୁଲିସ ବାବୁଙ୍କ  ଅଜବ ଚିକିତ୍ସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁମାନେ ସଚେତନତା କରାଉଛନ୍ତି ସେମାନେ ହିଁ ଅନ୍ଧ ବିଶ୍ଵାସରେ ବଶବର୍ତ୍ତୀ ହେଇଥିବା ଭଳି ଏକ ବିଚିତ୍ର ଦୃଶ୍ଯ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ୍ ଥାନା ସମ୍ମୁଖରେ ।

Advertisment

ଜଣେ ବ୍ୟକ୍ତି ହଠାତ୍ ଅଚେତ ହୋଇ ପଡ଼ିଯାଇଥିବା ବେଳେ ଦୁଇଜଣ ପୁଲିସ ବାବୁ ଅଚେତ୍ ହୋଇଥିବା ବ୍ୟକ୍ତିଙ୍କ ଚେତା ଫେରାଇ ଆଣିବା ପାଇଁ ତାଙ୍କର ଯୋତା ଖୋଲି ନାକରେ ଶୁଙ୍ଘାଇଥିଲେ। ହେଲେ କରିବେ ବା କ’ଣ ବାବୁମାନଙ୍କ ଜୋତା ବୋଧେ ଅଧିକ ଦୁର୍ଗନ୍ଧ ହୋଇ ନଥିଲା ଯେଉଁଥିପାଇଁ ଅଚେତ୍ ବ୍ୟକ୍ତିଙ୍କ ଚେତା ଫେରି ନଥିଲା ।

ଆହୁରି ପଢ଼ନ୍ତୁ:Suspected of killing for gold: ଘର ଭିତରୁ ବୃଦ୍ଧାଙ୍କ ଦଗ୍ଧ ମୃତ ଶରୀର ଉଦ୍ଧାର: ସୁନା ପାଇଁ ହତ୍ୟା ସନ୍ଦେହ

ଫଳରେ ବାଧ୍ୟ ହୋଇ ଶେଷରେ ପିସିଆର ଭ୍ୟାନ୍ ସାହାଯ୍ୟରେ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କର ଚେତା ଫେରିଆସିଥିଲା । ପରେ କିଛି ଗଣମାଧ୍ୟମ ପ୍ରତିନିଧି  ସେଠାରେ ଯାଇ ପହଞ୍ଚି ବୁଝିବାରୁ ଜଣା ପଡିଲା ଥାନା ସମ୍ମୁଖରେ ଟଳି ପଡିଯାଇଥିବା ବ୍ୟକ୍ତି ଜଣକ ଗୋରୁମହିସାଣୀ ଥାନା ଅନ୍ତର୍ଗତ କୁଆଳି ଗ୍ରାମର ଦୁଃଖୁ ହେମ୍ବ୍ରମ ।

ତେବେ ବିଚରା କରିବ କ’ଣ । ତାଙ୍କ ସାଙ୍ଗ ମଦ୍ୟପାନ କରି ଗାଡ଼ି ଚଳାଇବା ବେଳେ ପୁଲିସ ବାବୁମାନେ ତାଙ୍କର ଗାଡ଼ି ଆଣି ଥାନାରେ ରଖିଛନ୍ତି ତେଣୁ ଗାଡ଼ିରେ କେତେ ଟଙ୍କା ଫାଇନ ହୋଇଛି ପଚାରି ବୁଝିବାକୁ ସାଙ୍ଗ ସହିତ ଆସିଥିଲେ ବ୍ୟକ୍ତି ଜଣକ । ହେଲେ  ବିଚରାଙ୍କୁ ପୁଲିସ ବାବୁଙ୍କ ଜୋତା ଶୁଙ୍ଘିବାକୁ ପଡ଼ିଛି। ଆଦର୍ଶ ଥାନାର ଆଦର୍ଶ ପୁଲିସ ବାବୁ ଦୁଇ ଜଣଙ୍କ ଏଭଳି କାରନାମାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି । 


ତେବେ ସେ ସମ୍ପର୍କରେ  ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରିଥିବା ଡାକ୍ତର ନିବେଦିତା ମୁଣ୍ଡାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏହି ରୋଗର ଚିକିତ୍ସା ରହିଛି।  ଜୋତା କିମ୍ବା ମୋଜା ଶୁଙ୍ଘାଇଲେ କୌଣସି ଲାଭ ହୋଇ ନଥାଏ, ତାହା ଅନ୍ଧବିଶ୍ବାସ । 

ସାମ୍ବାଦିକ ହେଇଗଲୁ ବୋଲି ଯେଉଁଠି ହେଲେ କ’ଣ ଫଟୋ ଉଠାଇବୁ ?

ସରକାର ପୁଲିସମାନଙ୍କୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ଲୋକଙ୍କୁ ସଚେତନତା କରିବା ସହିତ ଅନ୍ଧବିଶ୍ୱାସ ଦ୍ବାରା କୌଣସି ଘଟଣା ଘଟାଇଥିବା ଲୋକଙ୍କୁ ଗିରଫ କରିବା କଥା ଏଠାରେ କିନ୍ତୁ ସବୁ ବିପରୀତ ଏବଂ ସବୁଠାରୁ ବଡ଼କଥା ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ "କିଏରେ ତୁ ଫଟୋ ଉଠଉଛୁ ବେ, ସାମ୍ବାଦିକ ହେଇଗଲୁ ବୋଲି ଯେଉଁଠି ହେଲେ କ’ଣ ଫଟୋ ଉଠାଇବୁ କି" ବୋଲି କହିବା କେତେଦୂର ଠିକ୍ ? ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ ବାବୁ ଜଣକ ଦୁର୍ବ୍ୟବହାର ଘଟଣାକୁ ମୟୂରଭଞ୍ଜ ଜିଲ୍ଲାର ଗଣମାଧ୍ୟମମାନେ ନିନ୍ଦା କରିଛନ୍ତି ।

ଆହୁରି ପଢ଼ନ୍ତୁ:MGNREGA: ମନରେଗା ଉପରେ ବୁଲଡୋଜର ଚଳାଇଦେଲେ : ସୋନିଆ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଯେଉଁ ପୁଲିସ ବାବୁ ଦୁର୍ବ୍ୟବହାର କରିଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ନା ପୁଲିସ ପ୍ରଶାସନ ଆଉ କଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ: ତୁଷାରକାନ୍ତ ମହନ୍ତ