The Statesman
ବାଲିଅନ୍ତା: ପାହାଳ ଥାନା ପୁଲିସ ଗତ ୧୫ ତାରିଖରେ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଘଟିଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଉକ୍ତ ସଂସ୍ଥାର କାର୍ଯ୍ୟରତ ସୁପରଭାଇଜର ସ୍ଥାନୀୟ ସାଳେଶ୍ବର ଗ୍ରାମର ବାଳକୃଷ୍ଣ ଜେନା ଓରଫ ସୁନୀଲ)୩୦)। ତେବେ କୋର୍ଟରେ ସୁନୀଲର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୁନୀଲଙ୍କ ବିରୋଧରେ କଣ୍ଟେନର ଡ୍ରାଇଭର ପ୍ରଭାକର ମହାଲିଙ୍ଗ ଲିଖିତ ଅଭିଯୋଗ କରିଥିଲେ।
ପ୍ରଭାକରଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ନଂ ୨୬/୨୨ ରେ ସୁନୀଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁସାରେ ପ୍ରଭାକର ଜଣେ କାଣ୍ଟେନର ଚାଳକ। ୨୦୦୪ ମସିହାରୁ ସେ ରୁଦ୍ରପୁର ସ୍ଥିତ ଏକ ଘରୋଇ ସଂସ୍ଥାକୁ ଚେନ୍ନାଇରୁ ସାମଗ୍ରୀ ଯୋଗାଉଥିଲେ। ଗତ ୧୫ ତାରିଖରେ କଣ୍ଟେନର ଭିତରେ ଥିବା ସାମଗ୍ରୀ ଖାଲି କରିବାକୁ କେନ୍ଦ୍ରକରି ପ୍ରଭାକର ଏବଂ ସୁନୀଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁନୀଲ ଏକ ଲୁହାଛଡ଼ରେ ପ୍ରଭାକରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଲୁହାଛଡ଼ ମାଡ଼ରେ ପ୍ରଭାକରଙ୍କ ଶରୀରର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିଲା। ଏନେଇ ସଂସ୍ଥା ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଫାଣ୍ଡି ପିସିଆର ପୁଲିସ ପ୍ରଭାକରଙ୍କୁ ଚିକିତ୍ସା ନେଇ ହସ୍ପିଟାଲକୁ ନେଇଥିଲେ।
Follow Us