ଭୁବନେଶ୍ବର: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚାଉଳ ଉଠାଇପାରିବେ ଓ ଇ-କେୱାଇସି କରି ନ ଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚଳିତମାସ ୧୫ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷସୁଦ୍ଧା ଇ-କେୱାଇସି କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। ଏଣୁ ସ୍ବାଭାବିକ ଭାବେ ସମସ୍ତଙ୍କ ନଜର ରହିଥିଲା, ସରକାର ଅକ୍ଟୋବର ୩୧ ତାରିଖ ଦିନ କ’ଣ ପଦକ୍ଷେପ ନେଉଛନ୍ତି।
ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ ଜଣ ନିଜର ଇ-କେୱାଇସି କରିନାହାନ୍ତି। ଗଞ୍ଜାମରେ ସର୍ବାଧିକ ୧ ଲକ୍ଷ ୫୬ ହଜାର, କଟକ ୮୭ ହଜାର, ମୟୂରଭଞ୍ଜ-କଳାହାଣ୍ଡି ୭୬ହଜାର, ବଲାଙ୍ଗୀର-ବାଲେଶ୍ବର ୭୪ ହଜାର, ପୁରୀ ୬୯ ହଜାର, ବରଗଡ଼ ୬୫ ହଜାର, କେନ୍ଦୁଝର-ଖୋର୍ଦ୍ଧାରେ ୬୪ ହଜାର ହିତାଧିକାରୀଙ୍କ ଇ-କେୱାଇସି ବାକି ରହିଛି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୮ହଜାର ହିତାଧିକାରୀ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ରାଜ୍ୟ ବାହାରେ ଥିବା ୧ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ମାତ୍ର ରାଜ୍ୟ ବାହାରେ କାମ କରୁଥିବା ଅନେକ ଲୋକ ବିଭିନ୍ନ କାରଣ ପାଇଁ ଏହି ପ୍ରକ୍ରିୟାରେ ସାମିଲ ହୋଇପାରୁନାହାନ୍ତି। ଏହାସହ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିଶୁ ରହିଛନ୍ତି। ସେମାନଙ୍କ ସଂଖ୍ୟାକୁ ହଟାଇଲେ ଇ-କେୱାଇସି କରି ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ।
ଇ-କେୱାଇସି କରିନାହାନ୍ତି ୧୫ଲକ୍ଷରୁ ଅଧିକ
ସେହିପରି ଅନେକ ଲୋକଙ୍କ ଫିଙ୍ଗର୍ ପ୍ରିଣ୍ଟ (ଅଙ୍ଗୁଳି ଛାପ) ଓ ଆଇରିସ୍ (ଚକ୍ଷୁ)କୁ ନେଇ ମଧ୍ୟ ସମସ୍ୟା ଉପୁଜୁଛି। ବିଶେଷ କରି ବୟସ୍କଙ୍କ କ୍ଷେତ୍ରରେ ଏହି ସମସ୍ୟା ରହିଛି। ଏହାର ସମାଧାନ ପାଇଁ ଯୋଗାଣ ବିଭାଗ ପକ୍ଷରୁ ସଂପୃକ୍ତ ହିତାଧିକାରୀଙ୍କୁ ନିଜର ନୋମିନି ଚୟନ କରିବାକୁ କୁହାଯାଉଛି। ସଂପୃକ୍ତ ନୋମିନଙ୍କ ଇ-କେୱାଇସି କରାଯିବ। ଗତ କିଛିଦିନ ହେବ ଯୋଗାଣ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନଭେମ୍ବର ପହିଲାରୁ ଇ-କେୱାଇସି କରି ନଥିବା ଲୋକଙ୍କ ଚାଉଳ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ରାଜ୍ୟରେ ଚାଲିଥିବା ଇ-କେୱାଇସିକୁ ନେଇ ନିକଟରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ବିଭାଗ ପକ୍ଷରୁ ଇ-କେୱାଇସିକୁ ପୂର୍ବଭଳି ଜାରି ରଖିବା ଲାଗି ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦିଆଯାଇଛି। ତେଣୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ଚାଉଳ ବନ୍ଦ କରାଯିବନାହିଁ। କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ଏହାକୁ ନେଇ ଏକ ସର୍କୁଲାର୍ ଜାରି କରିଥିଲେ। ଏଥିରେ ସମୟ ସମୟରେ ଇ-କେୱାଇସି କରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି। ଯାହାଫଳରେ ପ୍ରତି ପରିବାରର ପ୍ରାଣ ହରାଇଥିବା ଓ ନୂଆ ସାମିଲ ହେଉଥିବା ବ୍ୟକ୍ତିଙ୍କ ସଂପର୍କରେ ଡାଟାବେସ୍ ପ୍ରସ୍ତୁତ ହୋଇପାରିବ। ତେବେ ଏହାଭିତରେ କେତେ ସଂଖ୍ୟକ ଜାଲ୍ ଓ ବାଂଲାଦେଶୀ ହିତାଧିକାରୀ ଧରାପଡ଼ିଛନ୍ତି ସେ ସଂପର୍କରେ ଅଧିକାରୀ ଜଣକ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦେଇପାରିନାହାନ୍ତି।
Follow Us