ସରକାରୀ ହସ୍ପିଟାଲକୁ ଲିକୋସାଇଟ୍‌ ଫିଲ୍‌ଟର ଯୋଗାଣ ବନ୍ଦ: ବିପଦରେ ଥାଲାସେମିଆ, ସିକିଲସେଲ୍‌ ରୋଗୀ

Advertisment

ବିନା ଫିଲ୍‌ଟରରେ ରକ୍ତ ନେବାରୁ ରୋଗୀଙ୍କ ଶରୀରରେ ସୃଷ୍ଟି ହେଉଛି ପ୍ରତିକ୍ରିୟା

ବିନା ଫିଲ୍‌ଟରରେ ରକ୍ତ ନେବାରୁ ରୋଗୀଙ୍କ ଶରୀରରେ ସୃଷ୍ଟି ହେଉଛି ପ୍ରତିକ୍ରିୟା

କ୍ୟାପିଟାଲ ହସ୍ପିଟାଲରେ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର

the-new-indian-express

ଭୁବନେଶ୍ବର: ରାଜ୍ୟ ସରକାର ସବୁ ଜିଲ୍ଲାରେ ସିକିଲ୍‌ସେଲ(ରକ୍ତ ଶିକୁଳି) ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ପରୀକ୍ଷା କରିବାକୁ ଯାଉଛନ୍ତି। ଯେଉଁମାନେ ଏଥିରେ ଆକ୍ରାନ୍ତ ଥିବା ଜଣାପଡ଼ିବ ସେମାନଙ୍କୁ ଏକ ସ୍ବତନ୍ତ୍ର କାର୍ଡ ପ୍ରଦାନ କରାଯିବ। ମାତ୍ର ଏବେ ଯେତିକି ସଂଖ୍ୟକ ସିକିଲସେଲ୍‌ ଓ ଥାଲାସେମିଆ ରୋଗୀ ରହିଛନ୍ତି ସେମାନଙ୍କୁ ଆବଶ୍ୟକ ସେବା ମିଳୁନାହିଁ। ବିଗତ ୬ମାସ ହେବ ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରରେ ଏହି ଦୁଇ ବର୍ଗର ରୋଗୀଙ୍କ ପାଇଁ ଆବଶ୍ୟକ ଲିକୋସାଇଟ୍‌ ଫିଲ୍‌ଟର ମିଳୁନାହିଁ। ଏହାକୁ କିଣିବା ଲାଗି ସ୍ବାସ୍ଥ୍ୟ ବିଭାଗର ଏକାଧିକ ନିର୍ଦେଶାଳୟର ସମନ୍ବୟ ଲୋଡ଼ା। ମାତ୍ର ଏହି ଫିଲ୍‌ଟର ମିଳୁ ନ ଥିବାରୁ ରକ୍ତ ନେଉଥିବା ରୋଗୀମାନଙ୍କୁ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ବେସରକାରୀ ହିସାବ କହୁଛି, ରାଜ୍ୟରେ ୧୨-୧୩ହଜାର ସିକିଲସେଲ୍‌ ଓ ୮-୯ହଜାର ଥାଲାସେମିଆ ରୋଗୀ ରହିଛନ୍ତି। ପୂର୍ବ ଓଡ଼ିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବହୁ ସଂଖ୍ୟାରେ ସିକିଲ୍‌ସେଲ ରୋଗୀ ରହିଛନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ନିୟମିତ ବ୍ୟବଧାନରେ ରକ୍ତ ନେବାକୁ ପଡ଼ିଥାଏ। ରକ୍ତ ସଞ୍ଚାରଣ(ବ୍ଲଡ୍‌ ଟ୍ରାନ୍‌ସଫ୍ୟୁଜନ୍‌) ପାଇଁ ଲିକୋସାଇଟ୍‌ ଫିଲ୍‌ଟରର ଆବଶ୍ୟକତା ରହିଛି। ହେଲେ ଏହି ଫିଲ୍‌ଟର ଯୋଗାଣ ଏବେ ବନ୍ଦ। ପୂର୍ବରୁ ଘରୋଇ ଔଷଧ ଦୋକାନୀମାନେ ଅଧିକ ସଂଖ୍ୟାରେ ଏହି ଫିଲ୍‌ଟର ରଖୁଥିଲେ। ସରକାରୀ ଯୋଗାଣ ଆରମ୍ଭ ହେବା ପରେ ସେମାନେ ମଧ୍ୟ ଏସବୁ ଆଉ ସେତେ ରଖୁନାହାନ୍ତି। ଘରୋଇ ଔଷଧ ଦୋକାନରେ ଏହାର ଦାମ୍‌ ୮ଶହ ଟଙ୍କା ରହିଛି। ଏହା ଥରେ ବ୍ୟବହୃତ
ହେବା ପରେ ଫିଙ୍ଗିବାକୁ ପଡ଼ିଥାଏ। ଥାଲାସେମିଆ, ସିକିଲ୍‌ସେଲ ରୋଗୀଙ୍କୁ ପ୍ରତି ମାସରେ ୪-୫ଥର ରକ୍ତ ନେବାକୁ ପଡ଼ୁଥିବା ବେଳେ ବାହାରୁ ଏହାକୁ କିଣିଲେ ଜଣେ ରୋଗୀ ପିଛା ମାସକୁ ୪ହଜାର ଟଙ୍କା ଖର୍ଚ୍ଚ ହେବ। ଏଣୁ ଗରିବ ରୋଗୀ କ୍ଷେତ୍ରରେ କିଣିବା ସମ୍ଭବ ହେଉନାହିଁ। ତେଣୁ ବିନା ଫିଲ୍‌ଟର ରକ୍ତ ନେବାକୁ ସେମାନେ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ସେମାନଙ୍କ ଶରୀର କୁଣ୍ଡାଇ ହେବା ସହିତ ଫଳି ଯାଉଛି। ରୋଗୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ନାମ ଗୋପନ ସର୍ତରେ ଜଣେ ରୋଗୀଙ୍କ ସଂପର୍କୀୟ କହିଛନ୍ତି, ଲିକୋସାଇଟ୍‌ ଫିଲ୍‌ଟର ପାଇଁ ରକ୍ତ ନିରାପତ୍ତା, ରାଜ୍ୟ ଔଷଧ ନିଗମ ଓ ଜାତୀୟ ସ୍ବାସ୍ଥ୍ୟ ମିସନ୍‌, ଓଡ଼ିଶାର ମିଳିତ ସମନ୍ବୟ ଜରୁରି। ଏହି ଫିଲ୍‌ଟର ଏକ ଜରୁରି ଆବଶ୍ୟକତା ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ସଂପୂର୍ଣ୍ଣ ଶେଷ ହେବାକୁ ଦିଆଗଲା କିପରି ? ଯେଉଁମାନେ ସ୍ବଚ୍ଛଳ ସେମାନେ ବାଧ୍ୟ ହୋଇ ଘରୋଇ ହସ୍ପିଟାଲରେ ରକ୍ତ ନେଉଛନ୍ତି। ମାତ୍ର ଗରିବ ଲୋକମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ଏହାସହ ଥାଲାସିମିଆ, ସିକିଲ୍‌ସେଲ ରୋଗୀ ନିୟମିତ ରକ୍ତ ନେଉଥିବାରୁ ସଂପୃକ୍ତ ରକ୍ତ ସ୍ବଚ୍ଛ ରହିବା ଉଚିତ୍। ମାତ୍ର ନିକଟରେ ରକ୍ତ ନେଉଥିବା ଜଣେ ବ୍ୟକ୍ତି ବାଲେଶ୍ବର ଜିଲ୍ଲାରେ ଜଣେ ଏଚ୍‌ଆଇଭିରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରକ୍ତ ଭଣ୍ଡାରରେ ସିବି-ନାଟ୍‌ ମେସିନ୍‌ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି ବୋଲି ରୋଗୀଙ୍କ ସଂପର୍କୀୟ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଜାତୀୟ ସ୍ବାସ୍ଥ୍ୟ ମିସନ୍‌, ଓଡ଼ିଶାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟ ଔଷଧ ନିଗମ ଏହାକୁ କିଣିବ। ଲିକୋସାଇଟ୍‌ ଫିଲ୍‌ଟର ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ମାତ୍ର ସିଙ୍ଗିଲ୍‌ ଟେଣ୍ଡର ହେବାରୁ ପୁନର୍ବାର ଆହ୍ବାନ କରାଯାଇଛି। ଯଦି ଏଥର ମଧ୍ୟ ସିଙ୍ଗିଲ ଟେଣ୍ଡର ହୁଏ ତାହାଲେ ନିଗମ ସିଧାସଳଖ କିଣିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିବ। ଏଥିପାଇଁ ଆଉ କିଛିଦିନ ଲାଗିପାରେ। ରୋଗୀମାନଙ୍କୁ କିଛିଦିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଅଧିକାରୀ ଜଣକ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe