ଜୟଙ୍କ ସମର୍ଥନରେ ଓହ୍ଲାଇଲେ ସମର୍ଥକ

ଜୟଙ୍କ ସମର୍ଥନରେ ଓହ୍ଲାଇଲେ ସମର୍ଥକ

ସମ୍ବଲପୁର : ଜୟ ନାରାୟଣ ମିଶ୍ରଙ୍କ ପିଏସ୍‌ଓ ଫେରାଇବା ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏହାକୁ ନେଇ ତାଙ୍କ ସମର୍ଥନ ଓ ବିରୋଧରେ ଲଗାତାର ବୟାନବାଜି ଜାରି ରହିଛି। ରବିବାର ବିଜେଡି ନେତା ପ୍ରମୋଦ ରଥ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିରୋଧ କରିବାର ମାତ୍ର ଘଣ୍ଟାଏ ପରେ ଜୟଙ୍କ ସମର୍ଥକମାନେ ତାଙ୍କ ସମର୍ଥନରେ ଓହ୍ଲାଇଥିଲେ। ସେମାନେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ବଲପୁର ବିଧାୟକଙ୍କ କାର୍ଯ୍ୟ ଓ ମନ୍ତବ୍ୟ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ବିଜେପି ସମ୍ବଲପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ ଏବଂ କୋଷାଧ୍ୟକ୍ଷ କାହ୍ନୁରାମ ଶର୍ମା ଏହି ସାମ୍ବାଦିକ ସମ୍ମିଳନୀରେ କହିଲେ, ଶ୍ରୀ ମିଶ୍ରଙ୍କ ବକ୍ତବ୍ୟ, ନିଷ୍ପତ୍ତି ଓ ପଦକ୍ଷେପକୁ ନେଇ ଓଡିଶା ରାଜ୍ୟ ପୋଲିସ ମହାସଂଘ ଯେଉଁ ମତାମତ ଦେଇଛି ଓ ଆଭିମୁଖ୍ୟ ଗ୍ରହଣ କରିଛି ତାକୁ ଆମେ ଖଣ୍ଡନ ଓ ନିନ୍ଦା କରୁଛୁ। ଶ୍ରୀ ବାବୁ ଓଲଟି ପ୍ରଶ୍ନ କରିଥିଲେ ଯେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର ନେତା ହେଉଛନ୍ତି ରାଜ୍ୟପାଳ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପରେ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରୁଥିବା ବ୍ୟକ୍ତି। କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀ ତାଙ୍କ ମତାମତ ଓ ପଦକ୍ଷେପ ସଂପର୍କରେ ଟିକାଟିପ୍ପଣୀ କରିବା କେତେ ଯୁକ୍ତିସଂଗତ? ଆମ ରାଜ୍ୟର ପୁଲିସ ବିଭାଗର ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟଶୈଳୀ ଜନମଙ୍ଗଳାକାରୀ ନା ଶାସକଦଳ ସମର୍ଥନକାରୀ?

ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେବେ ପୁଲିସ କର୍ମଚାରୀମାନେ ଟଙ୍କା ନେଇ ମିଥ୍ୟା କେସ ରୁଜୁ କରିବା କଥା କହିଥିଲେ ସେତେବେଳେ ଏମାନେ କାହିଁକି ଚୁପ୍ ରହିଥିଲେ? ଯେତେବେଳେ ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ପୁଲିସ ଅଧିକାରୀଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରନ୍ତି ସେତେବେଳେ ଏହି ମହାସଂଘ କାହିଁକି ଚୁପ୍‌ ରହେ? ଯେବେ ଗୋପାଳ ଦାସ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା, ଏହି ମହାସଂଘ ତା’ର ନିନ୍ଦା ନକରି ଚୁପ୍‌ କାହିଁକି ବସିଥିଲା? ରାଜ୍ୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା କାରଣରୁ ପୁଲିସ୍‌ ଚାପରେ ରହୁଛି। ତେଣୁ ଆବଶ୍ୟକତା ଅନୁଯାୟୀ ପୁଲିସ୍ ନିଯୁକ୍ତି ପାଇଁ ଏହି ସଂଘ କେବେ ସ୍ବର ଉତ୍ତୋଳନ କରି ନାହିଁ କାହିଁକି? ସମ୍ବଲପୁରରେ ଅତି ଶୋଚନୀୟ ଅବସ୍ଥାରେ ଥିବା ସରକାରୀ କ୍ବାର୍ଟର୍ସ ଗୁଡ଼ିକରେ ପୁଲିସ୍ କର୍ମଚାରୀମାନେ ବିପଜ୍ଜନକଭାବେ ରହୁଛନ୍ତି। ସଂଘର ସ୍ଥାନୀୟ ଶାଖା ଏହି ପୁଲିସ୍ କର୍ମଚାରୀଙ୍କ ଅଧିକାର ଓ ହକ୍ ପାଇଁ କେବେ ଲଢ଼େଇ କରିଛି କି? ତେଣୁ ପୁଲିସ୍‌ ମହାସଂଘର ଆଚାରଣ, ଉଚ୍ଚାରଣ ଓ କାର୍ଯ୍ୟଧାରାର ତର୍ଜମା କଲେ ସେମାନେ ସରକାରଙ୍କ ମୁଖପାତ୍ର ଭଳି କାର୍ଯ୍ୟ କରୁ ନାହାନ୍ତି କି ବୋଲି ଶ୍ରୀ ବାବୁ, ଶ୍ରୀ ଶର୍ମା ଓ ଶ୍ରୀ ମାଝି ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe