କଟକ : ବଲାଙ୍ଗୀର ଜିଲ୍ଲା ପଥରଲାସ୍ଥିତ ଗୌନ୍ତ୍ୟାବୁଢା ବିଦ୍ୟାପୀଠ ମାମାଲାରେ ହାଇକୋର୍ଟ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ଶିକ୍ଷା ଟ୍ରିବୁନାଲ ୨୦୧୩, ଡିସେମ୍ବର ୨୬ରେ ଗୌନ୍ତ୍ୟାବୁଢା ବିଦ୍ୟାପୀଠକୁ ଅନୁଦାନ ପ୍ରଦାନ ପାଇଁ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ରାଜ୍ୟ ଗଣଶିକ୍ଷା ବିଭାଗ ଦାୟର କରିଥବା ଆବେଦନକୁ ହାଇକୋର୍ଟ ୨୦୧୬, ଅକ୍ଟୋବର ୨୮ରେ ଖାରଜ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ସ୍ପେଶାଲ ଲିଭ୍ ପିଟିସନ୍କୁ ଖାରଜ କରିଛନ୍ତି। ଗୌନ୍ତ୍ୟାବୁଢା ବିଦ୍ୟାପୀଠ ପକ୍ଷରୁ ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୮-୮୯ରେ ପ୍ରତିଷ୍ଠିତ ଗୌନ୍ତ୍ୟାବୁଢା ବିଦ୍ୟାପୀଠର ପରିଚାଳନା କମିଟି ପକ୍ଷରୁ ଅନୁଦାନ ପାଇଁ ଶିକ୍ଷା ଟ୍ରିବୁନାଲରେ ମାମଲା ରୁଜୁ କରାଯାଇଥିଲା। ୧୯୯୪, ଜୁନ୍ ୧ ତାରିଖରୁ ସ୍କୁଲକୁ ଅନୁଦାନପ୍ରାପ୍ତ ସ୍କୁଲ ମାନ୍ୟତା ପ୍ରଦାନ ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ୪ ମାସ ମଧ୍ୟରେ ଅନୁଦାନର ସମସ୍ତ ସୁବିଧା ଦେବା ପାଇଁ ୨୦୧୩, ଡିସେମ୍ବର ୨୬ରେ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ସରକାର କାର୍ଯ୍ୟକାରୀ କରିବା ପରିବର୍ତ୍ତେ ୨୦୧୬ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଆବେଦନ ସରକାର ଦାୟର କରି ନଥିଲେ। ୮୧୬ ଦିନ ବିଳମ୍ବରରେ ଦାୟର ସରକାରଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଥିବା ବେଳେ ସରକାର କିନ୍ତୁ ଏ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନାହାନ୍ତି।
Follow Us