Image Courtesy of Hindustan Times
ଭୁବନେଶ୍ବର: କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ହୋଇପାରୁ ନାହିଁ। ଅନ୍ଲାଇନ୍ରେ ଯାହା ଯେମିତି ପିଲାଙ୍କୁ ପଢ଼ାଯାଉଛି। କିଏ ପଢ଼ିପାରୁଛି ତ ଆଉ କିଏ ବଞ୍ଚିତ ହେଉଛନ୍ତି। ତା'ପରେ ବି ସ୍କୁଲ କର୍ତୃପକ୍ଷ ପିଲାଙ୍କଠାରୁ ଜୋର ଜବରଦସ୍ତ ସମ୍ପୂର୍ଣ୍ଣ ଫି' ଆଦାୟ କରୁଛନ୍ତି। ସମ୍ପୂର୍ଣ୍ଣ ଫି' ଦାଖଲ ନ କଲେ ପିଲାଙ୍କୁ ହଇରାଣ କରାଯାଉଥିବା ନେଇ ଏକାଧିକ ଘଟଣା ସାମ୍ନାକୁ ଆସିଛି। ଏମିତିକି କିଛି ଦିନ ତଳେ ସ୍କୁଲ କର୍ତୃପକ୍ଷଙ୍କ ଚାପ ଯୋଗୁଁ ଭୁବନେଶ୍ବରର ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। କେବଳ ଗୋଟିଏ ଘଟଣା ନୁହେଁ, ଗତ ବର୍ଷକ ମଧ୍ୟରେ ଓଡ଼ିଶାର କୋଣ ଅନୁକୋଣରୁ ଏଭଳି ଅନେକ ଅଭିଯୋଗ ଆସିଛି। ତା'ପରେ ବି କେତେକ ସ୍କୁଲ କର୍ତୃପକ୍ଷଙ୍କ ମନମାନି କମିବାର ନାଁ ଧରୁନି। ଏଭଳିସ୍ଥଳେ ଗତକାଲି ସ୍କୁଲ ଫି' ଛାଡ଼ ମାମଲା ଉପରେ ବିଚାର କରି ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ସ୍କୁଲ ଫି' କାହିଁକି କମିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ କରୋନା ମହାମାରୀ ପାଇଁ ବର୍ତମାନ ସମୟରେ ସମସ୍ତ ସ୍କୁଲରେ ଅନ୍ଲାଇନ କ୍ଲାସ ଚାଲିଛି। ଅଫ୍ଲାଇନ୍ ପାଠପଢ଼ା ହେଉ ନ ଥିବାରୁ ସ୍କୁଲ ପରିସରରେ ପେଟ୍ରୋଲ, ଡିଜେଲ, ଇଲେକ୍ଟ୍ରି ଓ ରକ୍ଷାଣବେକ୍ଷଣ ଖର୍ଚ୍ଚ ହ୍ରାସ ପାଇଛି। ତେଣୁ ଛାତ୍ରଛାତ୍ରୀଙ୍କ ଫି' ହ୍ରାସ କରାଯିବା ଉଚିତ। ଯଦି ଫି' ଛାଡ଼ ନ କରି ଅଭିଭାବକଙ୍କୁ ସମସ୍ତ ଦେୟ ଦେବାକୁ ଦାବି କରାଯାଏ ତାହା ଏକପ୍ରକାର ବ୍ୟବସାୟ ମନୋଭାବର ସଙ୍କେତ ଦେଉଛି। ଜଷ୍ଟିସ ଏ ଏମ ଖାନୱାଲିକର ଓ ଜଷ୍ଟିସ୍ ଦିନେଶ ମାହେଶ୍ବରୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆହୁରି କହିଛନ୍ତି, କରୋନା ଯୋଗୁଁ ଅଭିଭାବକ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତେଣୁ ଶିକ୍ଷାନୁଷ୍ଠାନ ଏଦିଗରେ ଯତ୍ନବାନ ହେବା ଦରକାର। ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ସହ ଅନ୍ୟାନ୍ୟ ସୁବିଧା ବାବଦକୁ ସ୍କୁଲରେ ଅର୍ଥରାଶି ପୈଠ କରିଥାନ୍ତି। ଅନଲାଇନ କ୍ଲାସରେ ସେହି ସୁବିଧାରୁ ଛାତ୍ରଛାତ୍ରୀ ବଞ୍ଚିତ ରହୁଛନ୍ତି। ତେଣୁ ସ୍କୁଲ ଫି' କମାଇବା ଦ୍ବାରା ଅଭିଭାବକଙ୍କ ଉପରେ ଚାପ କମ ରହିବ।
Follow Us