ଭିନ୍ନ ମାର୍ଗରେ ମାଡ଼ି ଗଲା ସୁରଟ-ପୁରୀ ଏକ୍ସପ୍ରେସ୍‌

Advertisment

ପୁଣି ପଛକୁ ଫେରି ଦିଗ ବଦଳାଇଲା

ପୁଣି ପଛକୁ ଫେରି ଦିଗ ବଦଳାଇଲା

ଭିନ୍ନ ମାର୍ଗରେ ମାଡ଼ି ଗଲା ସୁରଟ-ପୁରୀ ଏକ୍ସପ୍ରେସ୍‌

ସମ୍ବଲପୁର : ସୁରଟ-ପୁରୀ ସୁପରଫାଷ୍ଟ ସାପ୍ତାହିକ ଏକ୍ସପ୍ରେସ୍‌ (ନଂ ୨୨୮୨୮) ବୁଧବାର ଦିନ ୧ଟା ୫୫ରେ ପ୍ରାୟ ୪ ଘଣ୍ଟା ୧୫ ମିନିଟ୍‌ ବିଳମ୍ବରେ ସମ୍ବଲପୁର ଜଂସନ ଷ୍ଟେସନ ଛାଡ଼ି ପୁରୀ ଅଭିମୁଖେ ବାହାରିଥିଲା। ସମ୍ବଲପୁର ରୋଡ୍ ଷ୍ଟେସନ୍ ଡେଇଁବା ପରେ ରେଳ ଲାଇନ୍ ଦୁଇ ଭାଗ ହୋଇଛି। ‌ବାମ ପାର୍ଶ୍ବ ଲାଇନ୍ ଝାରସୁଗୁଡ଼ା ପଟେ ଯାଇଥିଲାବେଳେ ଡାହାଣ ପାର୍ଶ୍ବ ଲାଇନ ସମ୍ବଲପୁର ସିଟି ଷ୍ଟେସନ୍ ଦେଇ ତାଳଚେର, କଟକ, ଭୁବନେଶ୍ବର, ପୁରୀ ପଟେ ଯାଇଛି। ତେଣୁ ସ୍ବାଭାବିକଭାବେ ଟ୍ରେନ୍‌ଟି ଡାହାଣ ପଟେ ଯିବା କଥା। ମାତ୍ର ତାହା ଡାହାଣରେ ନଯାଇ ବାମ ପାର୍ଶ୍ବ ଲାଇନ୍ ଦେଇ ଝାସୁଗୁଡ଼ା ଅଭିମୁଖେ ଦୌଡ଼ିଥିଲା। ଏହା ଦେଖି ଗାଡ଼ି ଭିତରେ ଥିବା ଯାତ୍ରୀମାନଙ୍କ ଭିତରେ ଭାଳେଣି ପଡ଼ି ଯାଇଥିଲା। କିଛି ଯାତ୍ରୀ ଟ୍ରେନ୍‌ଟି ଭୁଲ ଲାଇନ୍‌ରେ ଯାଉଥିବା ଦେଖି ଅଘଟଣର ଆଶଂକା କରି ବସିଥିଲେ।‌ ହେଲେ ଟ୍ରେନ୍‌ଟି ଆଗକୁ ଯାଇ ସମ୍ବଲପୁର ସହରର ଅନ୍ୟତମ ଷ୍ଟେସନ ସରଲା ହଲ୍‌ଟ ଅତିକ୍ରମ କରି ଅଟକି ଥିଲା। ଏହାପରେ ସେଠାରୁ ପୁଣି ଓଲଟା ଦିଗରେ କର୍ଭ ଲାଇନ ଦେଇ ସିଟି ଷ୍ଟେସନ ଅଭିମୁଖେ ବୁଲିଥିଲା। ଟ୍ରେନ୍‌ର ଆଗ ପାର୍ଶ୍ବ ପଛକୁ ଓ ପଛ ପାଖ ଆଗକୁ ହୋଇଥିଲା। ଏହା ଦେଖି ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ।

ଘଟଣା ସଂପର୍କରେ ବୁଝିବାର ଜଣା ପଡ଼ିଛି ଯେ ଟ୍ରେନ୍‌ଟି ଆସିବାବେଳେ ଭୁଷାବଲଠାରେ ଏହାର ଗାର୍ଡ ବଗିରେ ଲାଗିଥିବା ଜେନେରେଟର ଅଚଳ ହୋଇ ପଡ଼ିଥିଲା। ତେଣୁ ସମ୍ମୁଖପାର୍ଶ୍ବରେ ଥିବା ଜେନେରେଟର ବଗିକୁ ନେଇ ପଛପାର୍ଶ୍ବରେ ଯୋଡ଼ା ଯାଇଥିଲା। ଟ୍ରେନ୍‌ଟି ଟିଟିଲାଗଡ଼ରେ ଆସି ଦିଗ ପରିବର୍ତ୍ତନ ନିମନ୍ତେ ଇଂଜିନ ବଦଳାଇବାରୁ ପୁଣି ଜେନେରେଟର ବଗିଟି ଆଗକୁ ହୋଇ ଯାଇଥିଲା। ତେଣୁ ଟ୍ରେନ୍‌ଟିକୁ ସିଟି ଷ୍ଟେସନ ବଦଳରେ ସରଲା ଅଭିମୁଖେ ନିଆଯାଇ ପୁଣି କର୍ଭ ଲାଇନ୍‌ରେ ବୁଲା ଯାଇଥିଲା। ଟ୍ରେନ୍‌ଟି ସରଲା ଡେଇଁବା ପରେ ସମ୍ବଲପୁରରୁ ଅନ୍ୟ ଏକ ଇଂଜିନ ଯାଇ ଟ୍ରେନ୍‌ଟିକୁ କର୍ଭ ଲାଇନ୍‌ରେ ସିଟି ଷ୍ଟେସନ ଅଭିମୁଖେ ନେଇଥିଲା। ତେବେ ଟ୍ରେନ୍‌ ସମ୍ବଲପୁର ଷ୍ଟେସନରେ ଥିଲାବେଳେ ଏ ସଂପର୍କରେ ବାରମ୍ଭାର ଘୋଷଣା କରାଯାଇ ଯାତ୍ରୀଙ୍କୁ ଅବଗତ କରା ଯାଇଥିବା ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe