Surgery at MKCG: ଏମ‌୍‌କେସିଜିରେ ଅସ୍ତ୍ରୋପଚାର: ଆନ୍ଧ୍ରରୁ ଆସିଲା ରକ୍ତ

ଆନ୍ଧ୍ରପ୍ରଦେଶରୁ ଆସିଲା ରକ୍ତ। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ହେଲା ଅସ୍ତ୍ରୋପଚାର। ଏକଥା ବିଶ୍ବାସ ହେଉ ନ ଥିଲେ ବି ସତ। ଏମ୍‌କେସିଜିରେ ରକ୍ତ ଅଭାବ ଏମିତି ପରିସ୍ଥିତି ସୃଷ୍ଟି କରିଛି।

mkcg 3

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶରୁ ଆସିଲା ରକ୍ତ। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ହେଲା ଅସ୍ତ୍ରୋପଚାର। ଏକଥା ବିଶ୍ବାସ ହେଉ ନ ଥିଲେ ବି ସତ। ଏମ୍‌କେସିଜିରେ ରକ୍ତ ଅଭାବ ଏମିତି ପରିସ୍ଥିତି ସୃଷ୍ଟି କରିଛି।  ଏହି ଘଟଣାକୁ କେହି ସହଜରେ ହଜମ କରିପାରୁ ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଲୋଚାପଡ଼ାସ୍ଥିତ ସୀମାନଗର ପଞ୍ଚମଲେନ୍‌ ନିବାସୀ ରୋଜାଲିନ ପଟ୍ଟନାୟକ(୧୮)ଙ୍କ ବାମ ହାତ କଚଟିରେ ଏକ ମାଂସପିଣ୍ଡୁଳା ବଢ଼ୁଥିଲା। ଏହା ଏକ ବୋନ୍‌ ଟ୍ୟୁମର ଜାଣିବା ପରେ ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା। କିଛି ଦିନ ପରେ ପୁଣି ସେହି ସ୍ଥାନଟି ଫୁଲିବାରେ ଲାଗିଲା। ଗତକାଲି ମଧ୍ୟାହ୍ନରେ ସ୍ଥିତି ସଂକଟାପନ୍ନ ହେବାରୁ ଏମ୍‌କେସିଜି ବଡ଼ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗରେ ରୋଜାଲିନ ଭର୍ତ୍ତି ହୋଇଥିଲେ। 

ସ୍ଥିତି ଗମ୍ଭୀର ଥିବା ଦର୍ଶାଇ ଡାକ୍ତରମାନେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ‌‌ଦେଇଥିଲେ। କିନ୍ତୁ ହିମୋଗ୍ଲୋବିନ କମ୍‌ ଥିବାରୁ ରକ୍ତର ଆବଶ୍ୟକତା ପଡ଼ିଥିଲା। ରୋଜାଲିନଙ୍କ ରକ୍ତ ଗ୍ରୁପ ‘ଏ’ ନେଗେଟିଭ୍‌ ହୋଇଥିବା ଯୋଗୁଁ ରକ୍ତ ଭଣ୍ଡାରରେ କେବଳ ଗୋଟିଏ ୟୁନିଟ୍‌ ଉପଲବ୍ଧ ଥିଲା। ତେଣୁ ପରିବାରବର୍ଗ ପଲାସାସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରୁ ରକ୍ତ ଯୋଗାଡ଼ କରିବା ପରେ ଆଜି ଅସ୍ତ୍ରୋପଚାର କରାଯାଇଥିବା ରୋଜାଲିନଙ୍କ ବାପା ରବିଶଙ୍କର ପଟ୍ଟନାୟକ କହିଛନ୍ତି। ସ୍ଥାନୀୟ ବିଧାୟକ, ନିକଟରେ ଡାକ୍ତରଖାନା ପରିଦର୍ଶନରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ଜାଣିଛନ୍ତି ଯେ ରକ୍ତଭଣ୍ଡାରରେ ରକ୍ତର ଅଭାବ ରହୁଛି।  ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସ୍ଥିତିରେ ସୁଧାର ଆସିନାହିଁ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe