ଭୁବନେଶ୍ବର: ରଣପୁର ବିଧାୟିକା ସୁରମା ପାଢ଼ୀ ଗୁରୁବାର ଓଡ଼ିଶାର ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ସର୍ବସମ୍ମତି କ୍ରମେ ସୁରମା ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଥିଲେ।
କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି। ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସୁରମା ପାଢ଼ୀ କହିଛନ୍ତି ମୁଁ ଗୃହର ଗାରିମା ରକ୍ଷା କରିବି। ନିରପେକ୍ଷତା ଅବଲମ୍ବନ କରିବି।
ନୂଆ ବାଚସ୍ପତିଙ୍କୁ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ଓ ସିପିଏମ୍ ବିଧାୟକ ଦଳ ସଦସ୍ୟ ଓ ବିଜେଡି ବିଧାୟକ ଦଳ ନେତାମାନେ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୁରମା ବିଜେପିର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ଥିଲେ। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରି ଏହି ପଦବୀରେ ଅଧିଷ୍ଠିତ କରିଛି।
Follow Us