ଭୁବନେଶ୍ବର: ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ମଧ୍ୟରେ ବ୍ୟକ୍ତିଗତ ଆକ୍ଷେପ ଦେଖିବାକୁ ମିଳିଛି। ଏହି ଘଟଣା ଏବେ କେବଳ ବରଗଡ଼ରେ ନୁହେଁ, ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ସୁଶାନ୍ତ ସିଂହ କହିଥିଲେ ଯେ ଯଦି ପଦ୍ମପୁରରେ ବିଜେଡି ଲକ୍ଷାଧିକ ଭୋଟରେ ଜିତିବ, ଆଉ ଯଦି ହାରିବ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ଏହା ଉପରେ କଡ଼ା ଟିପ୍ପଣୀ ଦେଇ ଗତକାଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଏକ ଜନସଭାରେ କହିଥିଲେ ଯେ ସୁଶାନ୍ତ ସିଂହ ସନ୍ନ୍ୟାସ ନେଲେ ତାହା ଦେଶର ଦୁର୍ଭାଗ୍ୟ ହେବ। ସରକାର ବଦଳିରେ ସୁଶାନ୍ତ ଜେଲ ଯିବେ। ଏହାର ଜବାବ ରଖି ସୁଶାନ୍ତ ସିଂହ ଏକ ଭିଡିଓ ମାଧ୍ୟମରେ କହିଛନ୍ତି, ଯଦି ଦମ୍ ଅଛି, କୁନା ପୁରୋହିତ ହାରିଲେ, ସୁରେଶ ପୂଜାରୀ ଆପଣ ଇସ୍ତଫା ଦେବେ କି। ଏହାର ଜବାବ୍ ଦେବେକି ସୁରେଶ ପୂଜାରୀ।’ ଆଉ ଆଜି ପୁଣି ସୁଶାନ୍ତ ସିଂହଙ୍କୁ ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ | ସୁରେଶ କହିଛନ୍ତି ଯେ ବରଗଡ଼ ଜିଲ୍ଲାରେ ଆଉ ଏକ ଉପନିର୍ବାଚନ ହେବ | କୁନା ପୁରୋହିତ ଜିତିଲେ ସୁଶାନ୍ତ ସିଂହ ଇସ୍ତଫା ଦେବେ | ସୁଶାନ୍ତ ଇସ୍ତଫା ଦେଲେ ଭଟଲିରେ ନିର୍ବାଚନ ହେବ | ବିଜେଡି ନେତା ସୁଶାନ୍ତ ସିଂହଙ୍କ ନାମ ଯଦିଓ 'ସିଂହ' କିନ୍ତୁ ତାଙ୍କ କାମ 'ସିଂହ' ଭଳି ନୁହେଁ ବୋଲି ସୁରେଶ କଟାକ୍ଷ କରିଛନ୍ତି |
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଫେସବୁକରେ ସୁଶାନ୍ତ ସିଂହଙ୍କୁ ଧମକ ମିଳିଥିଲା। ଏହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। ପିଙ୍କୁ କମ୍ପ ନାମକ ଜଣେ ଯୁବକ ନିଜର ଫେସବୁକରେ ‘ଗୁଳିର ଜବାବ ଗୁଳିରେ ଦିଆଯିବ’ ବୋଲି ଉଲ୍ଲେଖ କରିଥିଲେ। ଏହି ପୋଷ୍ଟରେ ବିଧାୟକ ଶ୍ରୀ ସିଂହ ଓ ତାଙ୍କ ଭାଇ ସୁବ୍ରତଙ୍କ ଉପରେ ଟିପ୍ପଣୀ ରହିଛି। ଏହି ଯୁବକ ଜଣକ ଚାଲେଞ୍ଜ୍ ଦେବା ସହିତ ୨୬ ତାରିଖରେ ଭୁବନେଶ୍ବରରୁ ପଦ୍ମପୁର ପହଂଚିବି ବୋଲି ଲେଖିଥିଲେ। ଏହି ପୋଷ୍ଟରେ ସେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ଫଟୋ ବି ଛାଡ଼ିଥିଲେ। ଏ ସମ୍ପର୍କରେ ବିଧାୟକ ଶ୍ରୀ ସିଂହ କହିଥିଲେ, ‘ଯେଉଁ ଯୁବକ ଏହି ପୋଷ୍ଟିଂ କରିଛି, ସେ ଜୟନାରାୟଣ ମିଶ୍ରଙ୍କ ଡାହାଣ ହାତ। ଫଟୋ ବି ତାହା ସ୍ପଷ୍ଟ କରୁଛି।’ ‘ ବିଜେପି ପଦ୍ମପୁରରେ ହାରିବ ବୋଲି ଆକଳନ କରିସାରିଲାଣି । ତେଣୁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବାକୁ ଏହି ଦଳ ଉଦ୍ୟମ କରୁଛି।’ ସେ କହିଥିଲେ ଯେ ଏହି ପୋଷ୍ଟିଂରେ ସେ ଆଦୌ ଭୟଭୀତ କିମ୍ବା ବିବ୍ରତ ନୁହନ୍ତି। ସେ ସ୍ବାଭାବିକ ଭାବେ ପଦ୍ମପୁରରେ ଦଳ ପାଇଁ ପ୍ରଚାର କାର୍ଯ୍ୟ ସହିତ ଅନ୍ୟ ଦାୟିତ୍ବ ତୁଲାଇବେ। ଅନ୍ୟପକ୍ଷରେ, ଫେସବୁକରେ ଏହି ବିବାଦୀୟ ପୋଷ୍ଟିଂ କିମ୍ବା ଫଟୋ ସମ୍ପର୍କରେ ଅବଗତ ନଥିବା କହିଥିଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ସେ କହିଥିଲେ, ଉକ୍ତ ପୋଷ୍ଟିଂ କରିଥିବା ଯୁବକକୁ ସେ ଜାଣିନାହାନ୍ତି। ବିଜେଡି ପାଖରେ ପ୍ରଶାସନିକ କଳ, ପୁଲିସ ବଳ ରହିଛି। ବିଜେଡି ଚାହିଁଲେ ସବୁ କରିପାରିବ। ତେବେ ବିଜେପି ଶାନ୍ତିପୂର୍ଣ୍ଣ ଭାବେ ପଦ୍ମପୁରରେ ନିର୍ବାଚନ ଲଢ଼ୁଛି। ଆମର ଗଣ୍ଡଗୋଳ କରିବା ପ୍ରବୃତ୍ତି ନୁହଁ। ବିଜେପି ପଦ୍ମପୁରରେ ଜିତିବ ନା ନାହିଁ, ତାହା ଲୋକେ ବିଚାର କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ।
Follow Us