ବଲାଙ୍ଗୀର ଜେଲ୍‌ ଗଲା ଧଳସାମନ୍ତ

Advertisment
ବଲାଙ୍ଗୀର ଜେଲ୍‌ ଗଲା ଧଳସାମନ୍ତ

ବଲାଙ୍ଗୀର : କୋର୍ଟଙ୍କ ସ୍ୱତନ୍ତ୍ର ନିର୍ଦେଶ ବଳରେ ସୁଶାନ୍ତ ଧଳ ସାମନ୍ତକୁ ଝାରପଡ଼ା ଜେଲ୍‌ରୁ ବଲାଙ୍ଗୀର ସ୍ୱତନ୍ତ୍ର ଜେଲ୍‌କୁ ଅଣାଯାଇଛି। ଶୁକ୍ରବାର କମିସନରେଟ୍‌ ପୁଲିସ ଅନ୍ତର୍ଗତ ବାରଙ୍ଗ ଆଇଆଇସି ଯତୀନ୍ଦ୍ରନାଥ ସେଠୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ସ୍ୱତନ୍ତ୍ର ସୁରକ୍ଷା ବଳୟରେ ସୁଶାନ୍ତକୁ ବଲାଙ୍ଗୀର ଜେଲ୍‌କୁ ଆଣିଥିଲେ। ଏଠାରେ ଆବଶ୍ୟକ କାଗଜପତ୍ର କାମ ସାରିବା ପରେ ତାକୁ ଜେଲ୍‌ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରି କମିସନରେଟ୍‌ ପୁଲିସ ଫେରିଯାଇଛି।

ହାଇଦର, ରାଜା ପରେ ଧଳସାମନ୍ତ

କେନ୍ଦ୍ରାପଡ଼ା ସମେତ ଓଡ଼ିଶାର ପ୍ରମୁଖ ଜିଲ୍ଲାରେ ଅପରାଧିକ ନେଟୱାର୍କ ବିଛାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ରଶ୍ମିରଂଜନ ବେହେରା ହତ୍ୟା ମାମଲାରେ ଗିରଫ କରାଯିବା ପରେ ତା’ର ଗତିବିଧି ନିୟନ୍ତ୍ରଣ କରିବା ପାଇଁ ୨୦୦୮ ମସିହାରେ ତାକୁ ବଲାଙ୍ଗୀର ଜେଲ୍‌କୁ ଅଣାଯାଇଥିଲା। ଏହି ଜେଲ୍‌ରେ ହାଇଦର ସହ ତା’ର ପୁଅକୁ ବି ରଖାଯାଇଥିଲା। ସେହିଭଳି ଜୁଡ଼ୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ଗିରଫ ରାଜା ଆଚାର୍ଯ୍ୟ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଧମକ ଚମକ ଦେଉଥିବା ଅଭିଯୋଗ ଆସିବା ପରେ ତା’କୁ ବି ଝାରପଡ଼ା ଜେଲ୍‌ରୁ ବଲାଙ୍ଗୀର ଜେଲ୍‌କୁ ପଠାଇ ଦିଆଯାଇଥିଲା। ଏବେ କୁଖ୍ୟାତ ସୁଶାନ୍ତ ଧଳସାମନ୍ତ ବି ବଲାଙ୍ଗୀର ଜେଲ୍‌ରେ।

ସେଲ୍‌ ନଂ-୨ରେ ବ୍ୟସ୍ତ ବିବ୍ରତ

ଝାରପଡ଼ାରୁ ବଲାଙ୍ଗୀର ଆସିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଘେରି ଯାଇଥିଲେ ସୁଶାନ୍ତକୁ। କିଛି କୁହନ୍ତୁ ବୋଲି ପଚାରିବାରୁ କିଛି କହିବାର ନାହିଁ ବୋଲି ସୁଶାନ୍ତ ଜବାବ ଦେଇଥିଲା। ରାଗରେ ଫଁ ଫଁ ହେଉଥିବା ସୁଶାନ୍ତକୁ କେହି ଜଣେ କହିଥିଲେ ଯେ, ଦେହ ଭଲ ନାହିଁ କି ଭାଇ? ଗଣମାଧ୍ୟମ ଆଗରେ କିଛି କହି ନଥିଲେ ବି ସୁଶାନ୍ତ ଜେଲ୍‌ ଭିତରେ ବ୍ୟସ୍ତ ବିବ୍ରତ। ତାକୁ ଜେଲ୍‌ର ୨ ନମ୍ବର ସେଲ୍‌ରେ ରଖାଯାଇଛି। କମ୍ବଳ, ଥାଳି, ମଶାରୀ ଆଦି ଦିଆଯାଇଛି। ଝାରପଡ଼ାରୁ ବଲାଙ୍ଗୀର ଆସିବା ପରେ ସେ ଥୟ ହେଇ ରହିପାରୁନି। ବାରମ୍ବାର ଏପଟ ସେପଟ ହେଉଛି ସେଲ୍‌ ଭିତରେ। ମଶାରୀ ବି ଲଗାଇନି। ମଶା କଏଲ ଜଳାଇଛି। ରୁଟି, ଡାଲି ଦିଆଯାଇଥିଲେ ବି ଖାଇବା ଛୁଇଁନି। ଜେଲ୍‌ରେ ରହିବା ଭିତରେ ଖାଲି ପାଣି ହିଁ ପିଇ ଚାଲିଛି ସୁଶାନ୍ତ। ତାକୁ ମିଛ ମାମଲାରେ ପୁଲିସ ଗୁନ୍ଥି ଦେଲାଣି। କୋର୍ଟ ଏହାର ବିଚାର ଶୀଘ୍ର କରନ୍ତୁ ବୋଲି ତା’ର ଦାବି। ସେଥିପାଇଁ ସେ ଖାଇବ ନାହିଁ ବୋଲି କୁଆଡ଼େ ଜିଦ୍‌ କରୁଥିବା ଖବର ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe