ବିଜେଡି ପାଇଁ ଗୋଟି ଚଳାଉଛନ୍ତି ସୁଶାନ୍ତ

Advertisment

ଦେବଗଡ଼ରେ ଅରୁନ୍ଧତୀ ହୋଇପାରନ୍ତି ଦଳର ମୁହଁ

ଦେବଗଡ଼ରେ ଅରୁନ୍ଧତୀ ହୋଇପାରନ୍ତି ଦଳର ମୁହଁ

ବିଜେଡି ପାଇଁ ଗୋଟି ଚଳାଉଛନ୍ତି ସୁଶାନ୍ତ

Twitter

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ଶକ୍ତିଶାଳୀ ବିଜେପିକୁ ମାତ୍ ଦେବା ପାଇଁ ଭିନ୍ନ ରଣନୀତି ଆପଣାଉଛି ବିଜେଡି। ଏହି କ୍ରମରେ ବିଜେପି ସାଂସଦଙ୍କୁ ଟାର୍ଗେଟ୍ କରୁଛି ଶଙ୍ଖ ଦଳ। ପଶ୍ଚିମ ଓଡ଼ିଶାର ସମସ୍ତ ୫ ଜଣ ଯାକ ସାଂସଦ ବିଜେପିର ହୋଇଥିଲାବେଳେ ସେମାନଙ୍କୁ ଦୁର୍ବଳ କରି ରାଜନୈତିକ ଫାଇଦା ହାସଲ କରିବା ପାଇଁ ବିଧିବଦ୍ଧ ପ୍ରୟାସ ଆରମ୍ଭ କରିଛି। ବିଜେପି ବିରୋଧରେ ବିଜେଡିର ଏହି ଅଭିଯାନର କୁଆଡ଼େ ମଙ୍ଗ ସମ୍ଭାଳୁଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ। ସୁଶାନ୍ତ ବର୍ତ୍ତମାନ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ନିଜର ଗୋଟି ଚଳାଉଛନ୍ତି। ଏହିକ୍ରମରେ ବିଜେଡିର ସହଜ ତଥ‌ା ପ୍ରଥମ ଟାର୍ଗେଟ୍‌ରେ ଆସିଛନ୍ତି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ। ତାଙ୍କୁ ଚେକ୍ ଦେବା ପାଇଁ ସରକାରୀ ଦଳ ତାଙ୍କ ପତ୍ନୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କୁ ବ୍ୟବହାର କରିବାକୁ ଯୋଜନା କରିଛି। ବିଶେଷ କରି ସମଗ୍ର ଦେବଗଡ଼ ଜିଲ୍ଲାରେ ରାଣୀ ଅରୁନ୍ଧତୀଙ୍କର ନିଜସ୍ବ ଜନାଧାର ଥିବାରୁ ତାକୁ ବ୍ୟବହାର କରିବା ସହ ବିଜେପିକୁ ଅଟକାଇବାକୁ ଉଦ୍ୟମ କରୁଛି।

ବେଶ କିଛି ମାସ ହେଲା କୌଣସି କାରଣରୁ ଏହି ରାଜଦମ୍ପତିଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇଥିବା ‌ସମସ୍ତେ ଜାଣନ୍ତି। ତେବେ ୨୦୨୨ ଆସିବା ବେଳକୁ ଏହି ଫାଟ ଆହୁରି ବଢ଼ିଛି। ଏପରିକି ସାଂସଦଙ୍କ ଏକାନ୍ତ ଅନୁଗତ ପଟେଲ ଦମ୍ପତି ଓ ରାଣୀ ଅରୁନ୍ଧତୀ ପରସ୍ପର ବିରୋଧରେ ଏତଲା ଦେବା, କୁଶପୁତ୍ତଳିକା ଦାହ କରିବା ଯାଏ କଥା ଯାଇଛି। ଏସବୁ ପ୍ରକ୍ରିୟାରେ ଖୋଦ ସାଂସଦ ଗଂଗଦେବଙ୍କ ନିରବତା ଚର୍ଚ୍ଚାକୁ ବଳ ଦେଉଛି। ଏଥିରୁ ଫାଇଦା ଉଠାଇବା ପ୍ରୟାସରେ ଥିବା ବିଜେଡି ଆଗାମୀ ଦିନରେ ରାଣୀଙ୍କୁ ନିଜ ଦଳରେ ସାମିଲ କରି ଦେବଗଡ଼ ବିଧାନସଭା ପାଇଁ ପ୍ରାର୍ଥୀ କରିବାକୁ ଯୋଜନା ରଖିଛି। ପୂର୍ବରୁ ସ୍ବାମୀ ନିତେଶଙ୍କ ନିର୍ବାଚନ ପରିଚାଳନା କରୁଥିବା ତଥା ତାଙ୍କ ପ୍ରଚାରର ମଙ୍ଗ ସମ୍ଭାଳୁଥିବା ରାଣୀ ଅରୁନ୍ଧତୀ ମଧ୍ୟ ଏବେ ନିଜସ୍ବ ରାଜନୈତିକ କ୍ୟାରିୟର୍‌ ସଂପର୍କରେ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଲିଗାଲ୍ ରାଇଟ୍‌ସ କାଉନ୍‌ସିଲ୍ ନାମକ ଏନ୍‌ଜିଓର ରାଜ୍ୟ ସଭାପତି ଭାବେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ସାମିଲ ରହୁଛନ୍ତି। ଠିକଣା ସମୟରେ ସେ ଦଳ ଡେଇଁବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ତେବେ ଏ ସଂପର୍କରେ କିଛି ସ୍ପଷ୍ଟ ଭାବେ କହିବାକୁ ଚାହୁଁ ନାହାନ୍ତି ରାଣୀ। କିନ୍ତୁ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଅସ୍ବୀକାର ମଧ୍ୟ କରି ନାହାନ୍ତି। ସେ ସବୁବେଳେ ଲୋକଙ୍କ ସହ ଅଛନ୍ତି ଓ ଲୋକଙ୍କ ସେବାରେ ରହିବେ ବୋଲି ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe