ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ: ୩ ଦିନ ପରେ ଗାଁକୁ ଫେରିଲା ମୃତଦେହ

Advertisment

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ: ୩ ଦିନ ପରେ ଗାଁକୁ ଫେରିଲା ମୃତଦେହ

ଗୋଲାମୁଣ୍ଡା/କେଗାଁ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗାଁର କୁମରାଜ ବିଶିଙ୍କ ପୁଅ ତ୍ରିଲୋଚନ ବିଶି ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକ ହତ୍ୟା କରାଯାଇଥିବା ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ତିନି ଦିନ ପରେ ଆଜି ଗାଁକୁ ମୃତଦେହ ପହଞ୍ଚିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ପରିବାର ଲୋକ ତଥା ଗ୍ରାମବାସୀ ଶବ ରଖି ରାସ୍ତା ଅବରୋଧ କରିଥିଲେ।

ସୂଚନାମତେ, ତ୍ରିଲୋଚନ ତିନି ମାସ ତଳେ ହାଇଦ୍ରାବାଦ ଯାଇ ନିକଟ ରାଚାକୋଣ୍ଡା ଜିଲ୍ଲା କୋଠୁର ଗ୍ରାମରେ ଥିବା ଏକ ଇଟା ଭାଟିରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳେ ଏକ ଗଛରୁ ତ୍ରିଲୋଚନଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯୁବକ ଜଣକ ଆତ୍ମହତ୍ୟା କରିଥିବା ସଂପୃକ୍ତ ଇଟାଭାଟି କର୍ମଚାରୀ ସେଠାକାର ଥାନାରେ ଅଭିଯୋଗ କରିଥିଲେ। ହେଲେ ମୃତ ତ୍ରିଲୋଚନଙ୍କ ବାପା ପୁଅକୁ ହତ୍ୟା କରାଯାଇଛି ବୋଲି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଅନ୍ୟପକ୍ଷରେ ତିନି ଦିନ ପରେ ଗାଁକୁ ଆଜି ଶବ ଫେରିଥିବା ବେଳେ ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଦେଇଥିଲା। ତ୍ରିଲୋଚନଙ୍କ ଆକସ୍ମିକ ମୃତ୍ୟୁକୁ ଗ୍ରାମବାସୀ ଗ୍ରହଣ କରିପାରି ନଥିଲେ।

ଫଳରେ ଗ୍ରାମବାସୀ ଘଟଣାର ଉଚିତ ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି ନେଇ ଶବ ରଖି ଧର୍ମଗଡ଼-ଚାନ୍ଦୋତରା ମୁଖ୍ୟରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ୬ ଘଣ୍ଟା ପରେ ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରେଡ୍‌କ୍ରସରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହ ସମ୍ପୃକ୍ତ ଇଟାଭାଟି କମ୍ପାନି ପକ୍ଷରୁ ମୃତକଙ୍କ ପରିବାରକୁ ପ୍ରଥମେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଆହୁରି ୫୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୁ ଉଠିଥିଲେ। ପରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe