କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା

Advertisment

ମୂଳ ପ୍ରସଙ୍ଗରୁ ଦୂରେଇ ଯାଉଛି ପୁଲିସ ତଦନ୍ତ

ମୂଳ ପ୍ରସଙ୍ଗରୁ ଦୂରେଇ ଯାଉଛି ପୁଲିସ ତଦନ୍ତ

କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ଉଠିପାରୁ ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଉଲ୍ଲେଖ ରହିଥିବା ପୁଲିସ କହିଛି। କିନ୍ତୁ ଆତ୍ମହତ୍ୟାର କାରଣ କ’ଣ ବର୍ତ୍ତମାନ ସୁଦ୍ଧା ପୁଲିସ ଖୋଜି ପାରିପାରୁ ନାହିଁ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାନ୍ତ, ସରଳ ଝିଅ ଦୀପ୍ତିଲତା ହଠାତ୍‌ କାହିଁକି ଆତ୍ମହତ୍ୟା କରିବେ ତାକୁ ନେଇ ପରିବାର ଲୋକ ଓ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ଦୀପ୍ତିଲତାଙ୍କ ମା’ ଝିଅର ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ସିନିୟର୍‌ ଛାତ୍ରଙ୍କ ରାଗିଂକୁ ନେଇ ଏତଲା ଦେଇଥିଲେ। କଲେଜ କର୍ତ୍ତୃପକ୍ଷ ମଧ୍ୟ ବ;କେୟା ଫିଂ ପାଇଁ ତାଙ୍କ ଝିଅକୁ ପରୀକ୍ଷାରେ ବସାଇ ନଥିଲେ, ଯାହା ଦୀପ୍ତିଲତାଙ୍କୁ ଭୀଷଣ ମାନସିକ ଆଘାତ ଦେଇଥିଲା ବୋଲି ଏତଲାରେ ଅଭିଯୋଗ ଆଣିଛନ୍ତି। ସେ ଦିଗକୁ ପୁଲିସ ତଦନ୍ତରେ ଅଣଦେଖା କରୁଥିବା ଏବଂ ରାଗିଂ ଓ ମାନସିକ ନିର୍ଯାତନା ଭଳି ପ୍ରସଙ୍ଗରୁ ଦୂରେଇ ଯାଉଥିବା ଅଭିଯୋଗ ହେଉଛି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ ଦୀପ୍ତିଲତା ଆଙ୍କୋଲି ବାଇପାସ୍‌ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ପାଠ ପଢ଼ୁଥିଲେ। ଗତ ମାସ ୧୩ତାରିଖରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମା’ ଜ୍ୟୋତ୍ସ୍ନାରାଣୀ ଝିଅର ମୃତ୍ୟୁ ଘଟଣାକୁ ସନ୍ଦେହଜନକ ବୋଲି ଦର୍ଶାଇଥିଲେ। ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନଥିଲେ। ଝିଅର ଜଣେ ସାଙ୍ଗ ଫୋନ୍‌ କରି ପରିବାରବର୍ଗଙ୍କୁ କହିଥିଲେ। ଝିଅ ସହିତ ନିଶ୍ଚିତ ଭାବେ କୌଣସି ଅଘଟଣ ଘଟିଥିଲା। ସେହି କାରଣ ଯୋଗୁଁ କଲେଜ ତରଫରୁ ଖବର ଦିଆଯାଇ ନଥିବା ପରିବାରବର୍ଗ ଅଭିଯୋଗ ଆଣିଥିଲେ। ଝିଅକୁ ବାରମ୍ବାର କିଛି ଛାତ୍ର ହଇରାଣ କରୁଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ଧମକପୂର୍ଣ୍ଣ ମେସେଜ୍‌ ମଧ୍ୟ ପଠାଉଥିଲେ। ‌କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। କଲେଜ କର୍ତ୍ତୃପକ୍ଷ ୫ହଜାର ଟଙ୍କା ବକେୟା ଫି’କୁ ନେଇ ଝିଅକୁ ପରୀକ୍ଷା ହଲ୍‌ରେ ବସାଇ ନଥିଲେ। ଫଳରେ ଝିଅ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା ପରିବାର ବର୍ଗ ଅଭିଯୋଗ ଆଣିଥିଲେ।

ପୁଲସ ଏ ସବୁ ଦିଗ ଉପରେ ତଦନ୍ତ କରିଛି କି ନାହିଁ, ସେ ନେଇ ପରିବାରବର୍ଗ ଦ୍ବନ୍ଦ୍ବରେ ରହିଛନ୍ତି। ଜଣେ ଛାତ୍ରୀ ଯଦି କଲେଜ ଫି’ ଦେଇପାରି ନାହାନ୍ତି ତାଙ୍କୁ ପରୀକ୍ଷା ପାଇଁ ମନା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ଉଠିଛି। ଘରୋଇ କଲେଜଗୁଡ଼ିକର ଏଭଳି ମନମୁଖି କାର୍ଯ୍ୟ ସତ୍ବେ ଉଚ୍ଚ ମାଧ୍ୟମିକ ଶିକ୍ଷା କର୍ତ୍ତୃପକ୍ଷ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଝିଅକୁ ହରାଇ ଭାଙ୍ଗି ପଡ଼ିଥିବା ପରିବାରବର୍ଗ ନ୍ୟାୟ ପାଇବେ ତ ବୋଲି ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe