ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂ ଓ ଶ୍ୱଶୁର ଥାନାରେ ଅଟକ

Advertisment
ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

ଜଳେଶ୍ବର/ଭୋଗରାଇ/ଚନ୍ଦନେଶ୍ୱର: ଭୋଗରାଇ ବ୍ଲକ୍‌ ତାଳସାରୀ ସାମୁଦ୍ରିକ ଥାନା ଅଧୀନସ୍ଥ ହୁଗୁଳୀ ପଞ୍ଚାୟତ ଗାଜିପୁର ଗ୍ରାମର ନବବିବାହିତା ମହିଳା ମୁସକାନ ବିବି (୧୯)ଙ୍କ ଗତକାଲି ରାତିରେ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ଅନ୍ୟପକ୍ଷରେ ବାପାଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବିବରଣୀରୁ ପ୍ରକାଶ ଯେ ଗାଜିପୁର ଗ୍ରାମର ସେକ ଆଲ୍ଲୀଙ୍କ ବଡ଼ପୁଅ ସେକ ରାଜେଶଙ୍କ ସହ ଜଳେଶ୍ବର ଥାନା ନାମ୍ପୋ ପଞ୍ଚାୟତ ପାଣିଗ୍ରାହୀ ଗ୍ରାମର ସେକ ଇସମାଇଲଙ୍କ ଝିଅ ମୁସକାନ ବିବିଙ୍କ ୨୦୨୧ ମସିହାରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ କନ୍ୟାପକ୍ଷ ୬ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ଯୌତୁକ ସାମଗ୍ରୀ, ଅଳଙ୍କାର ସହ ନଗଦ ଟଙ୍କା ପ୍ରଦାନ କରିଥିଲେ। ଶାଶୂଘରେ ମୁସକାନ ବିବିଙ୍କ ବିବାହର ୬ ମାସ ଭଲରେ କଟିଥିଲା। ତେବେ ତହିଁ ପରେ ଅଧିକ ୩ ଲକ୍ଷ ଟଙ୍କା ଯୌତୁକ ଦାବି କରି ସ୍ବାମୀ ଓ ଶାଶୂଘର ଲୋକେ ମୁସକାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ।

ଏନେଇ ଅନେକଥର ଉଭୟ ପରିବାର ମଧ୍ୟରେ ବୁଝାମଣା ମଧ୍ୟ ହୋଇଛି। ମୁସକାନଙ୍କ ସ୍ବାମୀ ରାଜେଶ ଏବେ ଦୁବାଇରେ ରହୁଥିବା ବେଳେ ସେ ଏବଂ ତାଙ୍କ ପରିବାର ଲୋକେ ଯୌତୁକ ପାଇଁ ଧମକଚମକ ଦେଉଥିଲେ। ତେଣୁ ଗତକାଲି ରାତିରେ ଯୌତୁକ କାରଣରୁ ମୁସକାନଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ କକା ସେଖ ହାବିବ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରରେ ଶ୍ୱଶୁର ସେଖ ଅଲ୍ଲୀ, ଶାଶୂ ରାବ ବିବି, ନଣନ୍ଦ ସେଲେରା ବିବି, ଦିଅର ସେଖ ଜାହେଉଦ୍ଦିନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ପୁଲିସ ଶ୍ୱଶୁର ସେକ ଅଲ୍ଲୀ ଓ ଶାଶୂ ରାବ ବିବିକୁ ଥାନରେ ଅଟକ ରଖି ପଚରାଉଚରା କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ସମେତ ତାଳସାରୀ ମେରାଇନ୍‌ ଥାନା ଅଧିକାରିଣୀ ସୁଜାତା ମଲ୍ଲିକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ୧୯/୨୨ ନମ୍ବରର ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe