ଅଧ୍ୟାପକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା : କୋର୍ଟରୁ ପଡ଼ିଲା ଛାଟ, ଚାରି ମାସ ପରେ ଚେତିଲା ପୁଲିସ

ଅଧ୍ୟାପକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା : କୋର୍ଟରୁ ପଡ଼ିଲା ଛାଟ, ଚାରି ମାସ ପରେ ଚେତିଲା ପୁଲିସ

sambad English

ବଲାଙ୍ଗୀର : ଘଟଣା ଓ ଅଘଟଣକୁ ନେଇ ସବୁବେଳେ ଚର୍ଚ୍ଚାରେ ବଲାଙ୍ଗୀର ସହରର ଆଦର୍ଶ ଥାନା। କାରଣ ଏଠି ଅଭିଯୋଗ କଲେ ତଦନ୍ତ କରିବା ତ ଦୂରର କଥା ଅଭିଯୋଗ ନରଖି ଫେରାଇ ଦିଆଯାଏ। ଏବେ ଆଉ ଏକ ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଗତ ଚାରି ମାସ ପୂର୍ବରୁ ରାଜେନ୍ଦ୍ର କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରକାଶ ସାହୁ ରଶିରେ ଝୁଲୁଥିବା ଅବସ୍ଥାରେ ସନ୍ଦେହଜନକ ଭାବରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ଖାଲି ଆଖିରେ ଆତ୍ମହତ୍ୟା ଦେଖାଯାଉଥିଲେ ବି ଦେହର ଅନେକ ସ୍ଥାନରେ କଟାଦାଗ ରହିଥିଲା। ତେଣୁ ପରିବାର ଲୋକେ ହତ୍ୟାର ଅଭିଯୋଗ କରିଥିଲେ। କିନ୍ତୁ ଥାନାଧିକାରୀ ଅଭିଯୋଗ ରଖିନଥିଲେ। ଏପରିକି ଏସ୍‌ଡିଜେଏମଙ୍କ ନିର୍ଦେଶକୁ ବି ଖାତିର କଲେ ନାହିଁ। ପରେ ପରେ ଅଭିଯୋଗ ରଖିଲେ ବି ମାମଲାକୁ ଗୁରୁତ୍ୱ ଦେଲେ ନାହିଁ। କିନ୍ତୁ କୋର୍ଟଙ୍କ ତାଗିଦ ପରେ ପୁଲିସ ବାବୁଙ୍କ ଚେତା ପଶିଥିଲା। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୁଲିସ।

ସୂଚନାଯୋଗ୍ୟ ଯେ, ମୃତ ଅଧ୍ୟାପକଙ୍କ ସ୍ତ୍ରୀ ଜିନୁବାଳା ସାହୁ ଏହି ଘଟଣାକୁ ଆତ୍ମହତ୍ୟା ବୋଲି ପୁଲିସ ଆଗରେ ବୟାନ ଦେଉଛନ୍ତି। ଅନ୍ୟପଟେ ପରିବାର ଲୋକ ତଥା ମୃତ ଅଧ୍ୟାପକଙ୍କ ଭାଇ ସରୋଜ ସାହୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହୁଛନ୍ତି। କାରଣ ଆତ୍ମହତ୍ୟା କରିଥିଲେ ଦେହସାରା କଟାଦାଗ କାହିଁକି ରହିଲା? ଘଟଣାର ଚାରି ମାସ ପୂରି ଯାଇଥିଲେ ବି ବ୍ୟବଚ୍ଛେଦ ରିପୋର୍ଟ କାହିଁକି ଦେଉନି ପୁଲିସ? ଘଟଣା ଦିନରୁ ହତ୍ୟା ଅଭିଯୋଗ କରିଥିଲେ ମଧ୍ୟ କାହିଁକି ତଦନ୍ତ କରୁନି ପୁଲିସ? ତେଣୁ ଏବେ ଘଟଣାର ଚାରି ମାସ ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୁଲିସ। ଆଉ ଥାନା ଭିତରେ କିଛି ଦିନ ତଳେ ମୁହାଁମୁହିଁ ହୋଇଥିଲେ ମୃତ ଅଧ୍ୟାପକଙ୍କ ସ୍ତ୍ରୀ ଓ ପରିବାର।

ଗତ ଅଗଷ୍ଟ ୩୧ ତାରିଖ ଶାନ୍ତିପଡ଼ା ଭଡ଼ାରେ ରହୁଥିବା ଘରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା ଅଧ୍ୟାପକ ପ୍ରକାଶଙ୍କ ମୃତଦେହ। ପାଖ ଘରେ ଶୋଇଥିଲେ ସ୍ତ୍ରୀ। ଦେହରେ କଟାଦାଗ ଥିଲା। ପରିବାର ଲୋକ ହତ୍ୟାକାଣ୍ଡ ବୋଲି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗ ରଖିନଥିଲା ପୁଲିସ। ଘଟଣାର ୧୫ ଦିନ ପରେ ଉତ୍ତରାଞ୍ଚଳ ଡିଆଇଜି ଓ ଏସପିଙ୍କୁ ଚିଠି ଲେଖିଥିଲେ ପରିବାର ଲୋକ। ତଥାପି ନିରବ ରହିଥିଲା ପୁଲିସ। ଶେଷରେ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ଅଭିଯୋଗ କରିଥିଲେ। ଆଉ ଘଟଣାକୁ ନେଇ ଆଇପିସି ୩୦୨ରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିବାକୁ ଏସଡିଜେମଏମ ନିର୍ଦେଶ ଦେଇଥିଲେ। ୬୦ ଦିନ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦେଶ ଥିଲେ ବି ପୁଲିସ ଦଶ ଦିନ ଯାଏ ମାମଲା ରୁଜୁ କରିନଥିଲା। ତେଣୁ ରିମାଇଣ୍ଡର ଦେଇଥିଲେ ଏସଡିଜେଏମ। ଶେଷରେ ବାଧ୍ୟ ହୋଇ ଆଦର୍ଶ ଥାନା ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ତଦନ୍ତକୁ ନେଇ ପରିବାର ବର୍ଗ ସନ୍ଦେହ ପ୍ରକାଶ କରିଛନ୍ତି। ଏ ନେଇ ଆଦର୍ଶ ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe