ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ୭କିମି ଚାଲିଲେ ଛାତ୍ରଛାତ୍ରୀ; ବାଧାଦେଲା ପ୍ରଶାସନ, ଜାତୀୟ ରାଜପଥ ଅବରୋଧ

Advertisment

ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା

ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା

ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ୭କିମି ଚାଲିଲେ ଛାତ୍ରଛାତ୍ରୀ; ବାଧାଦେଲା ପ୍ରଶାସନ, ଜାତୀୟ ରାଜପଥ ଅବରୋଧ

କଳାବାଡ଼ିଆ: ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଛାତ୍ରଛାତ୍ରୀ ବାରମ୍ବାର ଦାବି କରିଆସୁଥିଲେ। ହେଲେ କେହି କିଛି ଶୁଣୁ ନଥିଲେ। ଶେଷରେ ସେମାନଙ୍କ ଧୈର୍ଯ୍ୟଚ୍ୟୁତି ହୋଇଛି। ଆଜି ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବା ପାଇଁ ଖରାରେ ଚାଲିଚାଲି ଯାଇଥିଲେ। ହେଲେ ପ୍ରଶାସନ ଅଧାବାଟରେ ବାଧା ଦେଲା। ଫଳରେ ସେମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦର ପଞ୍ଚାୟତରେ ୫ ବର୍ଷ ତଳେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଷଷ୍ଠରୁ ନବମ ଶ୍ରେଣୀ ଓ ଦ୍ବାଦଶ ଶ୍ରେଣୀରେ ୩୮୦ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ଏକାଧିକ ଗୃହର ଛାତରୁ ପାଣି ଗଳୁଛି। କେବଳ ସେତିକି ନୁହେଁ, ଉପଯୁକ୍ତ ପରିମାଣର ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟ ଦିଆଯାଉନି। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‌ ପାଇଁ ଲାବ୍‌ ନାହିଁ। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରେ ଦାବି କରିଛନ୍ତି। ହେଲେ କିଛି ଫଳ ମିଳିନି। ଏଭଳି ପରିସ୍ଥିତିରେ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ରରୂପ ନେଇଛି। ସମସ୍ୟା ବାବଦରେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଅବଗତ କରିବା ପାଇଁ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ ଚାଲିଚାଲି ବାହାରିଥିଲେ।

publive-image

ଖରାରେ ପ୍ରାୟ ୭ କିମି ରାସ୍ତା ଚାଲିବା ପରେ ସ୍ଥାନୀୟ ପ୍ରଶାସନ ବାଙ୍ଗିରିପୋଷିଠାରେ ସେମାନଙ୍କୁ ଅଟକାଇଥିଲା ଏବଂ ଭର୍ଚୁଆଲ୍‌ ମୋଡ୍‌ରେ ଜିଲ୍ଲାପାଳଙ୍କ ସହ କଥା କରାଇଦେବ ବୋଲି କହିଥିଲା। ହେଲେ ଛାତ୍ରଛାତ୍ରୀ ଭର୍ଚୁଆଲ୍‌ ମୋଡ୍‌ରେ ନୁହେଁ, ସାମ୍ନାସାମ୍ନି କଥା ହେବେ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ପ୍ରଶାସନ ବାଧା ଦେବାରୁ ଛାତ୍ରଛାତ୍ରୀ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ‌ ହୋଇଛି। ଏକ ପ୍ଲାଟୁନ ଫୋର୍ସ ସହ ସଦର ଏସ୍‌ଡିପିଓ କେକେ ହରିପ୍ରସାଦ, ଝାଡ଼ପୋଖରିଆ ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଏକ, ବାଙ୍ଗିରିପୋଷି ଏସ୍‌ଆଇ ଘନଶ୍ୟାମ ମଲ୍ଲିକ, ବାରିପଦା ପିଏ, ଆଇଟିଡିଏ ବସନ୍ତ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନାରାମ ସିଂ, ବ୍ଲକ୍‌ ମଙ୍ଗଳ ଅଧିକାରୀ ପ୍ରିୟବ୍ରତ ନାଏକ, ବିଡିଓ ସତ୍ୟବାନ ନାୟକ, ତହସିଲଦାର ସାହେବରାମ ବାସ୍କେ, ଆଇଟିଡିଏ ଯନ୍ତ୍ରୀ ପୀତାମ୍ବର ରାୟ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ସଂଧ୍ୟା ୬ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମେଲ୍‌ ଯୋଗେ ତୁରନ୍ତ ବିଦ୍ୟାଳୟରେ ୬ ଜଣ ଶିକ୍ଷକ ନିଯୁକ୍ତ ହେବା ସହ ସପ୍ତାହକୁ ୪ ଦିନ ଖାଦ୍ୟର ମାନ ଯାଞ୍ଚ କରାଯିବା, ସ୍ଥାନୀୟ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ଲାବ୍‌ରେ ଅସ୍ଥାୟୀ ଭାବେ ପ୍ରାକ୍ଟିକାଲ୍‌ କରିବା, ଶ୍ରେଣୀଗୃହଗୁଡ଼ିକର ମରାମତି କରାଯିବା ନେଇ ସୂଚନା ଦିଆଯାଇଥିଲା। ତା’ ପରେ ବି ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବା ଦାବିରେ ଖବର ଲେଖାହେବା ଯାଏ ରାସ୍ତା ଅବରୋଧ କରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe