ଅନ୍ଧାରରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ : ଏସ୍‌ଭିଏମ୍ କଲେଜ ଦେଇଛି ନକଲି ପ୍ରମାଣପତ୍ର

ନକଲି ରେଜିଷ୍ଟ୍ରେସନ ନମ୍ବରକୁ ସ୍ବୀକାର କଲେ ଅଧ୍ୟକ୍ଷ

ଅନ୍ଧାରରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ : ଏସ୍‌ଭିଏମ୍ କଲେଜ ଦେଇଛି ନକଲି ପ୍ରମାଣପତ୍ର

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ତଥା ପ୍ରତିଷ୍ଠିତ କଲେଜ ଏସ୍‌ଭିଏମ୍ କଲେଜରୁ ଛାତ୍ରଛାତ୍ରୀଙ୍କୁ ମିଳିଛି ନକଲି ପ୍ରମାଣପତ୍ର। ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ଯେଉଁ ସାର୍ଟିଫିକେଟ୍ ଓ ରେଜିଷ୍ଟ୍ରେସନ ନମ୍ବର ଦେଇଛନ୍ତି ତାହା ନକଲି। ଏଭଳି ଘଟଣା ସାମନାକୁ ଆସିବା ପରେ କଲେଜରେ ପାଠପଢ଼ା ସାରିଥିବା ୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି। ଅନ୍ୟପଟେ କଲେଜର ଅଧ୍ୟକ୍ଷ ବି ଏହି ପ୍ରମାଣପତ୍ର ଓ ରେଜିଷ୍ଟ୍ରେସନ ନମ୍ବର ନକଲି ବୋଲି ସ୍ବୀକାର କରିଛନ୍ତି। ଏଭଳି ଘଟଣା ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଥିବାବେଳେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ହୋଇଛି।

ସୂଚନା ଅନୁଯାୟୀ, ଏସ୍‌ଭିଏମ୍ କଲେଜରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨୫୬ ଲେଖାଏ ସିଟ୍ ରହିଛି। ଏହି ସିଟ ବାହାରେ କଲେଜ କର୍ତ୍ତୃପକ୍ଷ ପ୍ରତିବର୍ଷ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆଡମିସନ ଦେଉଛନ୍ତି। ଉଚ୍ଚ ଶିକ୍ଷା ବଭାଗର ନିୟମାବଳୀକୁ ଉଲ୍ଲଘଂନ କରାଯାଇ ଏଭଳି କରାଯାଇଛି। ‌ତେବେ ଯେତିକି ସଂଖ୍ୟକ ଅଧିକ ପିଲାଙ୍କ ନାମ ଲେଖାଯାଇଛି, ସେମାନଙ୍କର ରେଜିଷ୍ଟ୍ରେସନ ନମ୍ବର ନାହିଁ। ଏହାକୁ ଲୁଚାଇବା ପାଇଁ ସେମାନଙ୍କୁ ନକଲି ରେଜିଷ୍ଟ୍ରେସନ ନମ୍ବର ପକାଯାଇ ନକଲି ସାର୍ଟିଫିକେଟ୍ ଦିଆଯାଇଛି। ଦୀର୍ଘବର୍ଷ ଧରି ଏହା ଚାଲି ଆସୁଥିଲେ ବି ଏହା କାହାରି ନଜରକୁ ଆସି ନଥିଲା। ଚଳିତବର୍ଷ କେତେଜଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଯାଇ ଉକ୍ତ ସାର୍ଟିଫିକେଟ୍ ଦାଖଲ କରିବା ପରେ ଏଭଳି ନକଲି କାରବାର ଧରାପଡିଛି। ୨୦୧୫ରୁ ୨୦୧୮ ମସିହା ଭିତରେ ଏସ୍‌ଭିଏମ୍ କଲେଜ ଦ୍ବାରା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଠକେଇର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଉଦ୍ଭିଦ ବିଜ୍ଞାନ ଅନର୍ସ ନେଇ ପଢ଼ୁଥିବା ପ୍ରଜ୍ଞା ପ୍ରସାଦ ମନ୍ଥନ ୩ ବର୍ଷର ଶିକ୍ଷା ସମାପ୍ତି ପରେ ପାଇଥିବା ସାର୍ଟିଫିକେଟ୍‌, ସିଏଲ୍‌ସି ଓ ମାର୍କସିଟ୍ ନେଇ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଟ୍ୟୁରିଜିମ୍ କୋର୍ସ କରିବା ପାଇଁ ଯାଇଥିଲେ। ସଂସ୍କୃତି ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସେ ଉତ୍କଳ ୟୁନିଭରସିଟିରେ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିଥିଲେ। ଆଡମିସନର ଦୁଇମାସ ଭିତରେ ମାଇଗ୍ରେସନ ସାର୍ଟିଫିକେଟ୍ ଦେବାକୁ ସମୟ ଥିବାରୁ ସେ ଏଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆବେଦନ କରିଥିଲେ। ହେଲେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଯିବା ପରେ ତାଙ୍କୁ ଏସ୍‌ଭିଏମ୍‌ରୁ ଦିଆଯାଇଥିବା ରେଜିଷ୍ଟ୍ରେସନ ନମ୍ବର ଭୁଲ୍ ବୋଲି ଜଣାପଡ଼ିଥିଲା। ଏହାପରେ ସେ ଏସ୍‌ଭିଏମ୍ କଲେଜକୁ ଆସି ଅଧ୍ୟକ୍ଷ ଅରବିନ୍ଦ ଚଇନିଙ୍କୁ ଭେଟିଥିଲେ। ‘ମୁଁ ସେତେବେଳେ ଅଧ୍ୟକ୍ଷ ନଥିଲି, ତେଣୁ ମୁଁ ଏ ସଂପର୍କରେ କହି ପାରିବିନି’ ବୋଲି ସିଧା ମନା କରିଦେଇଥିଲେ ଏସ୍‌ଭିଏମ୍ ଅଧ୍ୟକ୍ଷ। ଏହାକୁ ନେଇ ସନ୍ଦେହ ବଢିଥିଲା। ଖୋଳତାଡ଼ କରାଯିବାରୁ ଜଣକ ପରେ ଜଣେ ଛାତ୍ରଛାତ୍ରୀଙ୍କ ନକଲି ସାର୍ଟିଫିକେଟ୍‌ ଓ ନକଲି ରେଜିଷ୍ଟ୍ରେସନ୍‌ ନମ୍ବର କଥା ସାମ୍ନାକୁ ଆସିଥିଲା।

ଅନ୍ୟପକ୍ଷରେ, କଲେଜ ଅଧ୍ୟକ୍ଷ ଶ୍ରୀ ଚଇନି ଘଟଣାକୁ ସ୍ବୀକାର କରିବା ସହ ଦିଆଯାଇଥିବା ରେଜିଷ୍ଟ୍ରେସନ ନମ୍ବର ଭୁଲ୍ ବୋଲି କହିଛନ୍ତି। ନାମଲେଖା ବେଆଇନ ଭାବେ କରାଯାଇଥିବାରୁ ସେମାନଙ୍କୁ ରେଜିଷ୍ଟ୍ରସନ୍‌ ନମ୍ବର କିପରି ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ସେମାନଙ୍କୁ ୮ଦିନ ଭିତରେ ରେଜିଷ୍ଟ୍ରେସନ ନମ୍ବର ଦିଆଯିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମଧ୍ୟ ସେ କହୁଛନ୍ତି। ଛାତ୍ରଛାତ୍ରୀମାନେ ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ସମଗ୍ର ଘଟଣାର କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe