ନିର୍‌ତାରରୁ ୩ ପାଠ୍ୟକ୍ରମ ଉଠାଇଦେବାକୁ ଚକ୍ରାନ୍ତ

Advertisment

ପାଠ୍ୟକ୍ରମ ବନ୍ଦ ହେଲେ ଆନ୍ଦୋଳନ ମୁଣ୍ଡ ଟେକିବ: କଳିଙ୍ଗ ବିକାଶ ମଞ୍ଚ

ପାଠ୍ୟକ୍ରମ ବନ୍ଦ ହେଲେ ଆନ୍ଦୋଳନ ମୁଣ୍ଡ ଟେକିବ: କଳିଙ୍ଗ ବିକାଶ ମଞ୍ଚ

ନିର୍‌ତାରରୁ ୩ ପାଠ୍ୟକ୍ରମ ଉଠାଇଦେବାକୁ ଚକ୍ରାନ୍ତ

New Indian Express

ଭୁବନେଶ୍ବର : ଓଡ଼ିଶାକୁ ଶ୍ରୀହୀନ କରିବା ପାଇଁ ସରକାରଙ୍କ ହୀନ ଚକ୍ରାନ୍ତ ପଦାକୁ ଆସିଛି। ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ନିର୍‌ତାର)ର ନିର୍ଦେଶକ ଉକ୍ତ କେନ୍ଦ୍ରୀୟ ସଂସ୍ଥାରୁ ୩ଟି ପାଠ୍ୟକ୍ରମ ଉଠାଇଦେବାକୁ କରୁଥିବା ଉଦ୍ୟମ ପଦାରେ ପଡ଼ିଛି।

କଳିଙ୍ଗ ବିକାଶ ମଞ୍ଚର ସଭାପତି ଦୀପକ କୁମାର ମହାନ୍ତଙ୍କ ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ ନିର୍‌ତାରରେ ଏକ ଦଶନ୍ଧି ଧରି ପ୍ରଚଳିତ ଥିବା ମାଷ୍ଟର ଅଫ୍‌ ଫିଜିଓଥେରାପି (ନ୍ୟୁରୋଲୋଜି), ମାଷ୍ଟର ଅଫ ଫିଜିଓଥେରାପି(ପେଡିଆଟ୍ରିକ୍ସ) ଓ ମାଷ୍ଟର ଅଫ୍‌ ଆକ୍ୟୁପେସନାଲ ଥେରାପି (ନ୍ୟୁରୋଲୋଜି) ପାଠ୍ୟକ୍ରମକୁ ବନ୍ଦ କରିଦେବା ପାଇଁ ଉଦ୍ୟମ ଚାଲିଛି। ନିର୍ଦେଶକ ପ୍ରଥମେ ଅଧ୍ୟାପକ ନଥିବା ଆଳ ଦେଖାଇ ଉପରୋକ୍ତ ୩ଟି ପାଠ୍ୟକ୍ରମକୁ ରବ୍ଦ କରିଦେବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଥିଲେ। ରାଜ୍ୟପାଳ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ଶାସନ ସଚିବ ଓ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଉକ୍ତ ପତ୍ରର ନକଲ ପ୍ରଦାନ କରି ସେମାନଙ୍କ ସହଯୋଗ ଲୋଡ଼ିଥିଲେ। ଏଣେ ଫିଜିଓଥେରାପି ବିଭାଗର ମୁଖ୍ୟ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଚିଠି ଲେଖି ବର୍ତମାନ ଉକ୍ତ ବିଭାଗରେ ଥିବା ଅଧ୍ୟାପକମାନେ ସମସ୍ତ ପାଠ୍ୟକ୍ରମ ଚଳାଇବାରେ ସମ୍ପୂର୍ଣ୍ଣ ସମର୍ଥ ବୋଲି ଜଣାଇବା ସହ କୌଣସି ପାଠ୍ୟକ୍ରମକୁ ଉଚ୍ଛେଦ ନକରିବାକୁ ଅନୁରୋଧ କରିଥିଲେ। ଏବେ ନିର୍‌ତାରର ନିର୍ଦେଶକ ପାଠ୍ୟକ୍ରମ ଉଚ୍ଛେଦ ପାଇଁ ବିଭ୍ରାନ୍ତିକର ଯୁକ୍ତିମାନ ଉପସ୍ଥାପନ କରି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଦୀର୍ଘ ପତ୍ର ଲେଖିଛନ୍ତି। ସେଇ ପତ୍ରରେ ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ନିର୍‌ତାରରେ ବିଭିନ୍ନ ବିଶେଷ ପତ୍ର ସହ ଚାଲିଥିବା ଏମ୍‌.ପି.ଟି ପାଠ୍ୟକ୍ରମ ସମ୍ପର୍କରେ ୨୦୧୯ରେ ଲୋକସଭାରେ ଏକ ପ୍ରଶ୍ନ ପଚରାଯାଇଥିଲା। ମାତ୍ର କିଏ ପଚାରିଥିଲା ତାହା ଉଲ୍ଲେଖ ନାହିଁ। ଲୋକସଭାରେ ପାଠ୍ୟକ୍ରମ ପରିଚାଳନା ସମ୍ପର୍କରେ ପ୍ରଶ୍ନ ଉଠିଲେ ସେହି ପାଠ୍ୟକ୍ରମ ବନ୍ଦ ହୋଇଯାଏ ନାହିଁ। ତେବେ ଓଡ଼ିଶାର କୌଣସି ଲୋକସଭା ସଦସ୍ୟ ଏପରି ପ୍ରଶ୍ନ ପଚାରିନାହାନ୍ତି ବୋଲି ଶ୍ରୀ ମହାନ୍ତ କହିଛନ୍ତି।

ସେ ଆହୁରି କହିଛନ୍ତି, କଳିଙ୍ଗ ବିକାଶ ମଞ୍ଚ ପକ୍ଷରୁ ଏ ସମସ୍ତ ବିଷୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦାଙ୍କୁ ଚିଠି ଦିଆଯାଇଛି। ନିର୍‌ତାରରେ ଚାଲିଥିବା କୌଣସି ସ୍ନାତକୋତ୍ତର ପାଠ୍ୟକ୍ରମକୁ ଯଦି ବନ୍ଦ କରାଯାଏ, ତେବେ ରାଜ୍ୟର ସ୍ବାର୍ଥରକ୍ଷା ଲାଗି ଆନ୍ଦୋଳନ ମୁଣ୍ଡ ଟେକିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe