ରାଜେନ୍ଦ୍ରକୁ କୋଳେଇ ନେଲେ ସ୍ବିଡେନ୍‌ ଦମ୍ପତି

Advertisment
ରାଜେନ୍ଦ୍ରକୁ କୋଳେଇ ନେଲେ ସ୍ବିଡେନ୍‌ ଦମ୍ପତି

କୋରାପୁଟ: ପାରିବାରିକ ପରିସ୍ଥିତିର ଶିକାର ‌ହୋଇ ଅସହାୟ ଜୀବନ ବଞ୍ଚୁଥିଲା ଦୁଇ ବର୍ଷର ରାଜେନ୍ଦ୍ର। ଗୋଟିଏ ବର୍ଷରୁ ଅଧିକ ସମୟ ହେଲା କୋରାପୁଟ ଜିଲ୍ଲା ଦଶମନ୍ତପୁରସ୍ଥିତ କୋରାପୁଟ ସମନ୍ବିତ ଉନ୍ନୟନ ସଂସ୍ଥାରେ ଆଶ୍ରୟ ନେଇଥିଲା। ଦୁନିଆକୁ ଭଲ ରୂପେ ଜାଣି ନଥିବା ଏହି ଶିଶୁର ଭାଗ୍ୟ ଏବେ ବଦଳିଥିବା ବେଳେ ଉଜ୍ଜ୍ବଳ ଭବିଷ୍ୟତ ପାଇବାକୁ ଯାଉଛି। ସ୍ବିଡେନ୍‌ର ଥୋମାସ୍‌ ଦଂପତି ଆଜି ରାଜେନ୍ଦ୍ରକୁ କୋଳେଇ ନେଇଛନ୍ତି।

ସ୍ବିଡେନ୍‌ର ହାଗାଟାନ୍ ହୋଲସ୍‌ବିବ୍ରୁନ୍ ସହରରେ ରହୁଥିବା କ୍ଲିଫୋର୍ଡ ଥୋମାସ୍‌ ଏବଂ ତାଙ୍କ ପତ୍ନୀ ଚେରିଲି ଥୋମାସ୍‌ଙ୍କ ପୂର୍ବରୁ ୩ ସନ୍ତାନ ରହିଛନ୍ତି। ତେବେ ଭାରତରୁ ଚତୁର୍ଥ ସନ୍ତାନକୁ ପୋଷ୍ୟ ରୂପେ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେଣୁ ଭାରତରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ରହିଥିବା ଆଇନ ଅନୁସାରେ ଆବେଦନ କରିଥିଲେ। ସମସ୍ତ ପ୍ରକ୍ରିୟା ଶେଷ ହେବାପରେ ଆଜି ପ୍ରଶାସନ ପକ୍ଷରୁ ରାଜେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ଏଥିପାଇଁ କ୍ଲିଫୋର୍ଡ ସପରିବାର ଭାରତ ଆସି ରାଜେନ୍ଦ୍ରକୁ ଗ୍ରହଣ କରିଛନ୍ତି। ପୂର୍ବରୁ ଅନେକ ଥର କ୍ଲିଫୋର୍ଡ ଭାରତ ବୁଲିବାକୁ ଆସିଛନ୍ତି। ଏଥର ନୂଆ ପରିବାର ସଦସ୍ୟଙ୍କୁ ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଖୁସି ପ୍ରକଟ କରିଥିଲେ। ଅନ୍ୟପକ୍ଷରେ ରାଜେନ୍ଦ୍ରର ଯତ୍ନ ନେଉଥିବା ସ୍ବେଚ୍ଛାସେବୀ ଆଜି ବେଶ୍‌ ଭାବବିହ୍ବଳ ହୋଇଥିଲେ। ହସ୍ତାନ୍ତର ସମୟରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ବେଣୁଧର ଶାବର, ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ ସମେତ କର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ରାଜେନ୍ଦ୍ରର ଭିସା ପାଇଁ ମଧ୍ୟ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଦୁଇ କିମ୍ବା ତିନି ଦିନ ମଧ୍ୟରେ ସ୍ବିଡେନ୍‌ ଯାତ୍ରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe