ବାଂଶପାଳ: କେନ୍ଦୁଝର ଜିଲ୍ଲାରେ ୪ ଦିନ ହେଲା ବର୍ଷା ଲାଗି ରହିବା କାରଣରୁ ବୈତରଣୀରେ ବନ୍ୟା ଆସିଛି। ଜିଲ୍ଲାର ବାଂଶପାଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସାରା ରାଜ୍ୟରେ ବର୍ଷା ଲାଗିରହିଥିବା ବେଳେ ବାଂଶପାଳରେ ମଧ୍ୟ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି।
ଲଘୁଚାପ ଜନିତ ବର୍ଷା ଲାଗି ରହିବା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବ୍ଲକର କେନ୍ଦୁଘଟି, ମେରେଇ ସାହି, ଆଦି ଗାଁର ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇଛି। କେନ୍ଦୁଘଟି ବାହ୍ୟ ଜଗତରୁ ବିଚ୍ଛିହ୍ନ ହୋଇଯାଇଛି। କେନ୍ଦୁଘଟି ଗାଁ ପାଣି ଘେରରେ ଥିବାରୁ ଲୋକେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। ସେହିପରି ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଅଁରା, ରାଇଗୋଡା, ବିନିଦା,ଆମୁଣି ସମେତ ୮/୧୦ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକେ ଯାତାୟାତ କରିପାରୁନାହାନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଗାଡ଼ିମୋଟର ଅଟକି ରହିଛି। ସେହିପରି ନୟାକୋଟ ବଇଙ୍ଗା ନଦୀ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରଭାବିତ ହେବା ଯୋଗୁଁ ସୁଆକାଟି, ଦବୁନା, କାଦକଳା, ବସନ୍ତପୁର, ଜମ୍ଭିରିପଶି ଆଦି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାତାୟାତ ବାଧାପ୍ରାପ୍ତ ହେବା ସହ ଦିନ ତମାମ ଯାତ୍ରୀ ଅଟକି ରହିଛନ୍ତି।
Follow Us