ବାଙ୍ଗିରିପୋଷି ତହସିଲଦାରଙ୍କ ସମ୍ପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ

Advertisment
ବାଙ୍ଗିରିପୋଷି ତହସିଲଦାରଙ୍କ ସମ୍ପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ

ବାଲେଶ୍ବର/କଳାବାଡ଼ିଆ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ଠାରୁ ଗତକାଲି ଭିଜିଲାନ୍ସ ୨.୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଥିବା ବେଳେ ବାଲେଶ୍ବର ସହର ମଲ୍ଲୀକାଶପୁର ଠାରେ ଥିବା ତାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ୧୪ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ। ଚଢ଼ାଉବେଳେ ଶ୍ରୀ ପଣ୍ଡାଙ୍କ ଘରୁ ଯାହା ସବୁ ବାହାରିଛି ସେସବୁ ଦେଖି ଭିଜିଲାନ୍ସ ଟିମ୍‌ ‌ଟେରା ପାଲଟି ଯାଇଛନ୍ତି।

publive-image

ଆଜି ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ତହସିଲଦାର ଶ୍ରୀ ପଣ୍ଡାଙ୍କ ବାସଭବନରୁ ଚଢ଼ାଉ ବେଳେ ୨୩ଲକ୍ଷ ୬୨ହଜାର ୪୮୫ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି। ଏହାସହ ୧୨୩.୮୬୦ ଗ୍ରାମର ସୁନାଅଳଙ୍କାର, ବିଭିନ୍ନ ବ୍ୟାଙ୍କର ୩୪ରୁ ଅଧିକ ପାସବହି, ୬ଟି ପୋଷ୍ଟାଲ ପାସବହି ସହିତ ୬୩ଟି ଜମିବାଡ଼ି କାଗଜପତ୍ର, ୧୦ଟି ଡେବିଟ୍‌/କ୍ରେଡିଟ୍‌ କାର୍ଡ ମଧ୍ୟ ଜବତ କରାଯାଇଛି। ଶ୍ରୀ ପଣ୍ଡାଙ୍କ ନାଁରେ ଥିବା ଏଲଆଇସିର ୩ଟି, ଏସ୍‌ବିଆଇର ୨ଟି ଜୀବନବୀମା ସହ ୩ଟି ଏସ୍‌ବିଆଇ ମ୍ୟୁଚୁଆଲ ଫଣ୍ଡ କାଗଜପତ୍ରକୁ ମଧ୍ୟ ଜବତ କରିଥିଲା ଭିଜିଲାନ୍ସ ଟିମ୍‌। ଏହାସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ଗ୍ରାମ୍ୟ ବ୍ୟାଙ୍କରେ ତାଙ୍କର ୨ଟି ଲକର ଥିବା ଜଣାପଡ଼ିଛି। ସେହିପରି ମଲ୍ଲୀକାଶପୁର ସ୍ଥିତ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ସଦୃଶ ତାଙ୍କ ବାସଭବନର ମୂଲ୍ୟ ୭୦ଲକ୍ଷ ୬୯ହଜାରରୁ ଅଧିକ ଟଙ୍କାର ହେବବୋଲି ଆକଳନ କରାଯାଇଛି। ଆଜି ୨୭ ତାରିଖ ବ୍ୟାଙ୍କ ଛୁଟି ଥିବା କାରଣରୁ ତାଙ୍କ ସମ୍ପତ୍ତିର ସବିଶେଷ ଆକଳନ ହୋଇପାରିନଥିବା କୁହାଯାଇଛି।

ସୂଚନାଥାଉକି, ଗତକାଲି ଶ୍ରୀ ପଣ୍ଡା ବାଙ୍ଗିରିପୋଷି ଏକ ବୋଲେରୋରେ ବାଲେଶ୍ବର ସ୍ଥିତ ନିଜଘରକୁ ଫେରୁଥିବା ବେଳେ ନହରପାଟଣାଠାରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଚଢ଼ାଉ ବେଳେ ତାଙ୍କ ଗାଡ଼ିରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିବା ବେଳେ ଉକ୍ତ ଟଙ୍କା ସମ୍ପର୍କରେ ସେ ଭିଜିଲାନ୍ସ ଆଗରେ କିଛି ଉତ୍ତର ରଖିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe