ଭଲ ଖବର: ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ତହସିଲଦାର

Advertisment
ଭଲ ଖବର: ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ତହସିଲଦାର

ସୋର : ଜଣେ ସରକାରୀ ଅଧିକାରୀ ମହାନତା ଦେଖାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନଦୀଗାଁ ଗଞ୍ଜ ଗ୍ରାମର ରମାକାନ୍ତ ସାହୁ (୪୫) ଆଜି ନିଜ ବାଇକ୍‌ ଯୋଗେ ଶିରାପୁରରେ ରହୁଥିବା ତାଙ୍କ ମାଉସୀଙ୍କୁ ଆଣିବା ପାଇଁ ଯାଉଥିଲେ। ତେବେ ୧୬ ନମ୍ବର ଜାତୀୟ ରାଜପଥର ତଳନଗର ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା। ଏହି ସମୟରେ ସୋର ତହସିଲଦାର ବସନ୍ତ କୁମାର ସାହାଣୀ କାମ ସାରି ଫେରୁଥିବା ବେଳେ ରମାକାନ୍ତ ରାସ୍ତାକଡ଼ରେ ଗୁରୁତର ହୋଇ ପଡ଼ିଥିବା ଦେଖିଥିଲେ। ସେ ସଂଗେ ସଂଗେ ଡ୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରୀ ସାହାଣୀ ନିଜ ଗାଡ଼ିରେ ରମାକାନ୍ତଙ୍କୁ ସୋର ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ବାଲେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ତେବେ ତହସିଲଦାର ଶ୍ରୀ ସାହାଣୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସବୁ ସରକାରୀ ଅଧିକାରୀ ନିଜ ଦାୟିତ୍ବରୁ ଊର୍ଦ୍ଧ୍ବକୁ ଯାଇ ଜଣେ ମଣିଷର କର୍ତ୍ତବ୍ୟ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe