The Economic Times
ଭୁବନେଶ୍ୱର : ଓଡ଼ିଶାକୁ ମୋଦୀ ସରକାର ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ମୋଦୀ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ ବିଜେପି କାର୍ଯ୍ୟକର୍ତାମାନେ ଦାୟିତ୍ୱ ନେବାକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପରାମର୍ଶ ଦେଇଛନ୍ତି।
ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ଯୋଶୀ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ପରିଦର୍ଶନରେ ଆସିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ଶୁଣିଥିଲେ। ରାଜ୍ୟରେ ଡିଏମ୍ଏଫ୍ ଫଣ୍ଡ୍ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନିଗୁଡ଼ିକର ସିଏସ୍ଆର୍ ପାଣ୍ଠିର ଠିକ୍ ବିନିଯୋଗ ନ ହୋଇପାରିବା ନେଇ କାର୍ଯ୍ୟକର୍ତାମାନେ ଅଭିଯୋଗ କରିଥିଲେ। ଏହା ସହ ରାଜ୍ୟରେ ନିମ୍ନମାନର ଲୁହାପଥର ଗୁଣ୍ଡର ରପ୍ତାନୀକୁ ନିୟନ୍ତ୍ରଣ କରିବାକୁ ସେମାନେ ଦାବି କରିଥିଲେ। ରାଜ୍ୟରେ ଥିବା ଏମ୍ସିଏଲ୍, ନାଲ୍କୋ ଆଦି ରାଷ୍ଟ୍ରାୟତ କମ୍ପାନିଗୁଡ଼ିକ ଖଣିଜ ଅଞ୍ଚଳର ରାସ୍ତାଘାଟ, ପାନୀୟ ଜଳ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି କାର୍ଯ୍ୟକର୍ତାମାନେ ଅଭିଯୋଗ କରିଥିଲେ।
ଡିଏମ୍ଏଫ୍, ଓମ୍ବାଡ୍ସି ଓ କାମ୍ପା ପାଣ୍ଠି ପରିଚାଳନାରେ ବ୍ୟାପକ ତ୍ରୁଟି ଓ ଦୁର୍ନୀତି ସମ୍ପର୍କରେ ତାଙ୍କ ମନ୍ତ୍ରଣାଳୟ ସଚେତନ ଥିବା ପ୍ରକାଶ କରି ଡିଏମ୍ଏଫ୍ ପ୍ରକଳ୍ପଗୁଡ଼ିକରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ଉଲ୍ଲେଖ ରହିବା ଅପରିହାର୍ଯ୍ୟ ବୋଲି ଶ୍ରୀ ଯୋଶୀ କହିଥିଲେ। ଏହି ଅବସରରେ ସାଂସଦ ଅଶ୍ୱିନୀ ବୈଷ୍ଣବ, ବିଧାୟିକା କୁସୁମ ଟେଟେଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Follow Us