ଇଭିଏମ୍‌ ସମ୍ମୁଖରେ ସେଲ୍‌ଫି ନେବା ମହଙ୍ଗା ପଡ଼ିଲା: ନିୟନ୍ତ୍ରିତ ବଜାର କମିଟି କନିଷ୍ଠ ଆକାଉଣ୍ଟାଣ୍ଟ ନିଲମ୍ବିତ

ଇଭିଏମ୍‌ ସମ୍ମୁଖରେ ସେଲ୍‌ଫି ନେବା ମହଙ୍ଗା ପଡ଼ିଲା: ନିୟନ୍ତ୍ରିତ ବଜାର କମିଟି କନିଷ୍ଠ ଆକାଉଣ୍ଟାଣ୍ଟ ନିଲମ୍ବିତ

ରାଉରକେଲା: ଇଭିଏମ୍‌ ଓ ଭିଭିପାଟ୍‌ ମେସିନ ସମ୍ମୁଖରେ ସେଲ୍‌ଫି ନେବା ମହଙ୍ଗା ପଡ଼ିଛି। ନିୟମ ଉଲ୍ଲଂଘନ ପ୍ରମାଣିତ ହେବାପରେ ପାନପୋଷ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର କନିଷ୍ଠ ଆକାଉଣ୍ଟାଣ୍ଟ୍‌ ଅଜୟ କୁମାର ପ୍ରଧାନ ନିଲମ୍ବିତ ହୋଇଛନ୍ତି। ତେବେ ସେଲ୍‌ଫିରେ ଥିବା ଅନ୍ୟଦୁଇ କର୍ମଚାରୀଙ୍କ ପାଖକୁ କିନ୍ତୁ ତଦନ୍ତ ପହଞ୍ଚିପାରିନି।

ଗତ ସାଧାରଣ ନିର୍ବାଚନ ସମୟରେ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଷ୍ଟ୍ରଙ୍ଗ୍‌ରୁମ ସ୍ଥାପନ କରାଯାଇଥିଲା। ମତଦାନ ସରିବାପରେ ଇଭିଏମ୍‌ ଓ ଭିଭିପାଟ୍‌ ମେସିନକୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର ପାଇଁ ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟ କିଛି କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଷ୍ଟ୍ରଙ୍ଗରୁମ୍‌ ଭିତରେ ଶ୍ରୀ ପ୍ରଧାନ ସେଲ୍‌ଫି ନେଇ ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରିଥିଲେ। ନିୟମର ଖୋଲା ଉଲ୍ଲଂଘନ କରାଯାଇଥିବାରୁ ରାଜକୁମାର ୟାଦବ ନାମକ ଜଣେ ବ୍ୟକ୍ତି ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଏ ସଂପର୍କରେ ଲିଖିତ ଅଭିଯୋଗ ଦାଖଲକରି ପୁନଃମତଦାନ ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅଭିଯୋଗ ଆଧାରରେ ପାନପୋଷ ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ନ୍ୟସ୍ତ କରିଥିଲେ ଜିଲ୍ଲାପାଳ। ପାନପୋଷ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି କନିଷ୍ଠ ଆକାଉଣ୍ଟାଣ୍ଟ ଶ୍ରୀ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ସେଲ୍‌ଫିରେ ଆର୍‌ଏମ୍‌ସିର ଆଉ ଦୁଇଜଣ ପୋଜ୍‌ ଦେଇଥିଲେ। ସେମାନେ ମଧ୍ୟ ଷ୍ଟ୍ରଙ୍ଗ୍‌ରୁମ୍‌ ଭିତରେ ମହଜୁଦ ଥିଲେ। ତେବେ କୌଣସି କାରଣରୁ ଏଯାଏ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe