ତାଳଚେର ସାର କାରଖାନା : ବିଦ୍ୟୁତ୍‌, ପାଣି ପାଇଁ କସରତ

Advertisment
ତାଳଚେର ସାର କାରଖାନା : ବିଦ୍ୟୁତ୍‌, ପାଣି ପାଇଁ କସରତ

କେନ୍ଦ୍ର ସାର ସଚିବ ଛବିଳେନ୍ଦ୍ର ରାଉଳ

ଅନୁଗୁଳ : ୨୦୧୮ ସେପ୍ଟେମ୍ବରରୁ ୨୦୧୯ଜୁନ୍‌। ପ୍ରଧାନମନ୍ତ୍ରୀ ମୋଦିଙ୍କ ତାଳଚେର ସାର କାରଖାନା ଶିଳାନ୍ୟାସ ପର୍ବକୁ ଆଠ ପୂରି ନଅ ମାସ ଚାଲିଲା। ଠିକଣା ସମୟରେ କାରଖାନା ଠିଆ କରାଇବା ପାଇଁ ଆରମ୍ଭ ହୋଇଯାଇଛି କସରତ। ସେଥିପାଇଁ କେନ୍ଦ୍ର ସାର ସଚିବ ଛବିଳେନ୍ଦ୍ର ରାଉଳ ଆଜି ତାଳଚେର ଗସ୍ତ କରି ଏ ପ୍ରସଙ୍ଗରେ ଜିଲ୍ଲାପାଳ ମନୋଜ ମହାନ୍ତି ଏବଂ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି।

କାରଖାନା ପୁନଃ କାର୍ଯ୍ୟକ୍ଷମ ଯୋଜନା ନେଇ ତାଳଚେର ଏଫ୍‌ସିଆଇ କ୍ୟାମ୍ପସ୍‌ ପରିସରରେ ଜିଲ୍ଲା ପ୍ରଶାସନ ସହ ସଚିବଙ୍କ ସମୀକ୍ଷା ବୈଠକ ହୋଇଥିଲା। କେବଳ ପାଣି ଓ ବିଦ୍ୟୁତ୍‌ କଥା ନୁହେଁ, ଜବରଦଖଲ, ପରିବେଶ ମଞ୍ଜୁରି ଓ ଆଇନଶୃଙ୍ଖଳା ପ୍ରସଙ୍ଗ ବି ଉଠିଥିଲା। ସ୍ଥାନୀୟ ବିକ୍ରମପୁର ଥାନାକୁ ଦୃଢ଼ ଓ ସଶକ୍ତ କରିବାକୁ ସଚିବ ଶ୍ରୀ ରାଉଳ ଏସ୍‌ପି ଶ୍ରୀ ମହାପାତ୍ରଙ୍କ ସହଯୋଗ ଲୋଡ଼ିଛନ୍ତି।
ସଚିବଙ୍କ କହିବା ମୁତାବକ, ଦୀର୍ଘ ୧୭ବର୍ଷ କାଳ ବନ୍ଦ ପଡ଼ିଥିବା କାରଖାନା ଜମିର ସମତୁଲ କାମ ବର୍ତ୍ତମାନ ସୁଦ୍ଧା ୯୫ପ୍ରତିଶତ ସରି ସାରିଛି। କାରଖାନାର ପାଚେରି କାମ ଶେଷ ହୋଇ ସାରିଲାଣି। ସରକାରୀସ୍ତରରେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ତେଣୁ ତା’ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତି (ପ୍ଲାଣ୍ଟ୍‌ ସାଇଟ୍‌) କାମ ଆମେ ଶେଷ କରି ସାରିଛୁ। କାରଖାନା ତିଆରି କାମ କେତେବେଳେ ବି ଆରମ୍ଭ ହୋଇପାରେ ବୋଲି ସଚିବ ଶ୍ରୀ ରାଉଳ ସମୀକ୍ଷା ବୈଠକ ପରେ ‘ସମ୍ବାଦ’କୁ ଆଜି ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି।

କିନ୍ତୁ, ବର୍ତ୍ତମାନ ସମସ୍ୟା ହେଉଛି, ଏତେ ବଡ଼ କାରଖାନା ଗଢ଼ିବା ପାଇଁ ୫ରୁ ୮ହଜାର ଶ୍ରମିକ, ଠିକାଦାର ଏଠାକୁ କାମ କରିବାକୁ ଆସିବେ। ପୂର୍ବରୁ ତାଳଚେର ମଣ୍ଡାପାଳ ନିକଟ ବ୍ରାହ୍ମଣୀରୁ କାରଖାନାକୁ ଜଳଯୋଗାଣ ହେଉଥିଲା। ମଣ୍ଡାପାଳରୁ ପୁଣି ଥରେ ଜଳଯୋଗାଣ ପାଇଁ ୬ଇଞ୍ଚ୍‌ ଡାୟାର ପାଇପ୍‌ ବିଛା କାମ ୪୫ପ୍ରତିଶତ ସରିଗଲାଣି। ଅବଶିଷ୍ଟ ପାଇପ୍‌ ସଂଯୋଗ ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। କାରଖାନାକୁ ବର୍ତ୍ତମାନ ୫ମେଗାୱାଟ୍‌ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ସଂଯୋଗ ଦରକାର। ବିିଏଚ୍‌ଇଏଲ୍‌କୁ ଏହାର ଟ୍ରାନ୍ସଫର୍ମର ବସାଇବାକୁ କୁହାଯାଇଛି।

ଭୁବନେଶ୍ବରୀ କୋଲ୍ ମାଇନିଂକୁ ଲାଗି ଅରଖପାଳ ଉତ୍ତର କୋଲ୍‌ ବ୍ଲକ୍‌କୁ କୋଇଲା ମନ୍ତ୍ରଣାଳୟ ସାର କାରଖାନା ପାଇଁ ଆବଣ୍ଟିତ କରିଛି। କିନ୍ତୁ ସ୍ଥାନୀୟ ଗୋଟିଏ ଗାଁର ଲୋକ ବିରୋଧ କରୁଥିବାରୁ କାମ ଆଗେଇ ପାରୁନାହିଁ। ତେଣୁ ତା’ର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ାଯାଇଛି ବୋଲି ଶ୍ରୀ ରାଉଳ କହିଛନ୍ତି।

କାରଖାନା ତିଆରି ପାଇଁ ରାସ୍ତାଘାଟ କାମ ତୁରନ୍ତ ଆରମ୍ଭ କରି ଦିଆଯିବ। ଏହି ପ୍ରୋଜେକ୍ଟରୁ ସେପ୍ଟେମ୍ବର ୨୦୨୩ ସୁଦ୍ଧା କମର୍ସିଆଲ୍ ପ୍ରଡକ୍ସନ କରାଯିବ ବୋଲି ଶ୍ରୀ ରାଉଳ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe