Sambad English
ଅନୁଗୁଳ : ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)କୁ ଚାଲୁ କରିବା ଲାଗି ପୁଣିଥରେ କୋଇଲା ମନ୍ତ୍ରାଳୟ ଓ ଏମସିଏଲ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ତେବେ ଏଥିନେଇ ଅସହାୟତା ପ୍ରକାଶ କରିଛନ୍ତି ଏମସିଏଲ୍ କର୍ତ୍ତୃପକ୍ଷ। ମେଡିକାଲ କଲେଜ ପରିଚାଳନା ପାଇଁ ଅଭିଜ୍ଞତାସଂପନ୍ନ ପେସାଦାର ସଂସ୍ଥାଙ୍କ ନିକଟରୁ ଆଗ୍ରହପତ୍ର ମଗାଯାଇଥିଲାବେଳେ ଏଥିପାଇଁ କେହି ରାଜି ହେଉ ନ ଥିବା ସେମାନେ ଜଣାଇ ଦେଇଛନ୍ତି। ଫଳରେ ମେଡିକାଲ କଲେଜ ଖୋଲିବା ନେଇ ଅନିଶ୍ଚିତତା ବଢିଯାଇଛି।
ଏହି ମେଡିକାଲ କଲେଜ ପରିଚାଳନା ନେଇ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଏହା ବିଳମ୍ବିତ ହୋଇଥିଲା। ମେଡିକାଲ କଲେଜକୁ ରାଜ୍ୟ ସରକାର ପରିଚାଳନା କରନ୍ତୁ ବୋଲି ଏମସିଏଲ କହିଥିଲାବେଳେ ରାଜ୍ୟ ସରକାର ସଫା ସଫା ମନା କରି ଦେଇଥିଲେ। ବରଂ, ଏମସିଏଲ ପରିଚାଳନା ଦାୟିତ୍ବ ନିଜ ହାତରେ ରଖୁ ବୋଲି ଚାପ ପକାଇଥିଲେ।
ଗତ ୧୪ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦ୍ର କୋଇଲା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଏମ.ନାଗାରାଜୁ ଓ ଏମସିଏଲର ଅଧିକାରୀମାନଙ୍କୁ ମେଡିକାଲ କଲେଜ ଚଳାଇବା ନେଇ ଅନୁରୋଧ କରିଥିଲେ। ହେଲେ ୫ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଏତେ ଶୀଘ୍ର ଆରମ୍ଭ ହେବା ସହଜ ନୁହେଁ ବୋଲି ଜଣାପଡ଼ିଛି। କାରଣ ଏହି ମେଡିକାଲ କଲେଜ ପରିଚାଳନା ପାଇଁ ଏମସିଏଲ କର୍ତ୍ତୃପକ୍ଷ ଦୁଇଥର ଟେଣ୍ଡର ଆହ୍ବାନ କରି ସାରିଛନ୍ତି। କିନ୍ତୁ ଏ ଦିଗରେ କୌଣସି ଘରୋଇ ସଂସ୍ଥା ଆଗ୍ରହ ଦେଖାଇ ନାହାନ୍ତି। ଏବେ ତୃତୀୟଥର ପାଇଁ ଆଗ୍ରହ ପତ୍ର ଆହ୍ବାନ କରାଯାଇଛି। ଦୁଇ ଥର ଟେଣ୍ଡର ପ୍ରକ୍ରିୟା ବିଫଳ ହୋଇଥିବାରୁ ଏବେ ଏଥିନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ମେଡିକାଲ କଲେଜ ପରିଚାଳନା ନେଇ ଏମ୍ସିଏଲର ଅଭିଜ୍ଞତା ନ ଥିବାରୁ ସେମାନେ ସହଜରେ ରାଜି ହୋଇ ନ ଥିଲେ। ଏହାକୁ ନେଇ କିଛିଦିନ ଟଣାଓଟରା ଚାଲିବା ପରେ ଶେଷରେ ଏମସିଏଲ ମେଡିକାଲ କଲେଜ ପରିଚାଳନା ପାଇଁ ରାଜି ହୋଇଥିଲେ। ଏହାପରେ ଗତ ନଭେମ୍ବରରେ ମୁଖ୍ୟ ଶାସନ ସଚିବ ଏଥିନେଇ ସମୀକ୍ଷା କରିବା ସହ ୨୦୨୧-୨୨ ଶିକ୍ଷାବର୍ଷରୁ ନାମଲେଖା ହେବ ବୋଲି କହିଥିଲେ। ଗତ ଏପ୍ରିଲରେ ଏମସିଏଲର ନିର୍ଦେଶକ ଓ.ପି. ସିଂହ ମଧ୍ୟ ସମାନ କଥା ଦୋହରାଇଥିଲେ। ତେଣୁ ଏହି ମେଡ଼ିକାଲ କଲେଜକୁ ନେଇ ଆଶା ବଢିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କଥା ପାଦେ ବି ଆଗେଇପାରି ନାହିଁ।
ଅନ୍ୟପକ୍ଷରେ , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଶା ଦେଖାଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଚାଲିଥିବା ଗୁପ୍ତ ବିବାଦ ପାଇଁ ଏହା ଅଟକିଯାଇଥିବା ଜିଲ୍ଲାବାସୀ ଅଭିଯୋଗ କରୁଛନ୍ତି।
Follow Us