ତାଳଚେର ମେଡିକାଲ କଲେଜ: ୬ ମାସ ଭିତରେ ଆରମ୍ଭ ହେବ ରୋଗୀସେବା

୨୦୨୩ ଶିକ୍ଷାବର୍ଷରୁ ପାଠପଢ଼ା

ତାଳଚେର ମେଡିକାଲ କଲେଜ: ୬ ମାସ ଭିତରେ ଆରମ୍ଭ ହେବ ରୋଗୀସେବା

The New Indian Express

ଅନୁଗୁଳ : ତାଳଚେରରେ ନିର୍ମାଣ ହୋଇଥିବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)ରେ ୬ ମାସ ଭିତରେ ଚିକିତ୍ସାସେବା ଆରମ୍ଭ ହେବ। ୨୦୨୩ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବ। ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ଏହି ମେଡିକାଲ କଲେଜ ପରିଦର୍ଶନରେ ଆସିବେ। ଏଠାରେ ଭିତ୍ତିଭୂମି ଦେଖିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି।

ତାଳଚେର ମେଡିକାଲ କଲେଜ ଚାଲିବା ସଂପର୍କରେ ଆଲୋଚନା କରିବାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ବୃନ୍ଦା ଡିଙ୍କ ସମେତ ଏମ୍‌ସିଏଲ୍‌ ଓ ଡିଏମ୍‌ଇଟିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କଲେଜର ବର୍ତ୍ତମାନର ସ୍ଥିତିନେଇ ସମୀକ୍ଷା କରାଯିବା ସହ ଆସନ୍ତା ୨୦୨୩ ନୂତନ ଶିକ୍ଷାବର୍ଷରେ ମେଡିକାଲ କଲେଜରେ ନାମଲେଖା ସହ ପାଠପଢ଼ା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଏ ନେଇ ଏମସିଏଲ୍ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହିତ ଯଥାଶୀଘ୍ର ବୁଝାମଣାପତ୍ର ସ୍ବାକ୍ଷର କରିବାକୁ ସ୍ଥିର କରାଯାଇଛି। ଏହାସହିତ ଆସନ୍ତା ୬ ମାସ ମଧ୍ୟରେ ତାଳଚେର ମେଡିକାଲ କଲେଜରେ ଚିକିତ୍ସା ସେବା ଆରମ୍ଭ କରାଯିବ। ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ତାଳଚେର ମେଡିକାଲ କଲେଜର କୋଠା ଓ ଏହାର ଆନୁଷଙ୍ଗିକ କାର୍ଯ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe