ତାଳଚେର ମେଡିକାଲ କଲେଜ ପ୍ରସଂଗରେ ସଭିଏଁ ଚୁପ୍!

ଏମ୍‌ସିଏଲ୍ ପ୍ରତି ଏତେ ଦରଦ କାହିଁକି ? ପ୍ରକଳ୍ପ ଅନୁମୋଦନକୁ ବିତିଲା ୧୨ ବର୍ଷ

ତାଳଚେର ମେଡିକାଲ କଲେଜ ପ୍ରସଂଗରେ ସଭିଏଁ ଚୁପ୍!

Telegraph India

ଅନୁଗୁଳ : ଏମ୍‌ସିଏଲ୍‌ ନିଜ ପ୍ରତିଶ୍ରୁତି ରଖିଥିଲେ ଚଳିତ ଶିକ୍ଷାବର୍ଷରେ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌ ଏଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) ନାମରେ ନାମିତ ତାଳଚେର ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହୋଇଥାନ୍ତା। ମେଡିକାଲ ଶିକ୍ଷା କ୍ଷେତ୍ରରେ କେବଳ ମାଇଲ୍‌ଖୁଣ୍ଟ ହୋଇଥାନ୍ତା ତାହା ନୁହେଁ, ଉତ୍ତମ ଚିକିତ୍ସା ସୁବିଧା ମଧ୍ୟ ମିଳିପାରିଥାନ୍ତା। କେବଳ ଅନୁଗୁଳ ଜିଲ୍ଲା କାହିଁକି, ପଡ଼ୋଶୀ ଜିଲ୍ଲାଗୁଡ଼ିକର ଲୋକେ ବି ଉପକୃତ ହୋଇପାରିଥାନ୍ତେ। ହେଲେ ଅଂଚଳବାସୀଙ୍କ ଏହି ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲା ନାହିଁ। ରାଜ୍ୟର ଅନ୍ୟ ନୂତନ ମେଡିକାଲ୍‌ କଲେଜଗୁଡ଼ିକ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଥିଲାବେଳେ ତାଳଚେର ମେଡିକାଲ୍‌ କଲେଜର ଏଭଳି ସ୍ଥିତିକୁ ନେଇ ଦୀର୍ଘଦିନହେଲା ଲାଗି ରହିଥିବା ଅସନ୍ତୋଷ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ତେବେ ଏ ପ୍ରସଙ୍ଗରେ ଜିଲ୍ଲାର ନିର୍ବାଚିତ ଜନପ୍ରତିଧିମାନଙ୍କର ନିରବତା ବୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟଚକିତ କରିଛି।

କଳାହୀରାର ସହର ତାଳଚେର। ଏମ୍‌ସିଏଲର ୯ଟି କୋଇଲା ଖଣି ଏବେ ଚାଲିଛି। ମାଟିଖୋଳି ହଜାର ହଜାର କୋଟି ଟଙ୍କା ଏମ୍‌ସିଏଲ୍ ଆୟ କରୁଛି। ପ୍ରତିବଦଳରେ ତାଳଚେର ଉପଖଣ୍ଡବାସୀଙ୍କୁ ଦେଉଛି ଧୂଳିଧୂଆଁ ଆଉ କୋଇଲା ଗୁଣ୍ଡ। ଦେଶର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଅଂଚଳରେ ପରିଣତ ହୋଇସାରିଛି ତାଳଚେର। ମାତ୍ର ଉପଯୁକ୍ତ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି ଏଠାକାର ଲୋକେ। ବହୁବର୍ଷର ଦାବିରେ ପରିଶେଷରେ ୨୦୦୮ ମସିହାରେ ଏମସିଏଲ୍ ସହାୟତାରେ ତାଳଚେରରେ ଏକ ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଥିଲା। ତେବେ, ବହୁ ସଂଗ୍ରାମ ପରେ ଗତ ୩ ସେପ୍ଟେମ୍ବର ୨୦୧୫ରେ ଏହାର ଶିଳାନ୍ୟାସ ସମ୍ଭବ ହୋଇଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରକଳ୍ପର ଏହି ଶୁଭ ଦିଆଯାଇଥିଲା। ଶିଳାନ୍ୟାସ ସମୟରେ ପୁରୁଣା ଭିତ୍ତିଭୂମି ଉପଯୋଗ କରି ୨୦୧୬-୧୭ ଶିକ୍ଷାବର୍ଷଠାରୁ ମେଡିକାଲ କଲେଜରେ ନାମଲେଖା ହେବ ବୋଲି ଘୋଷଣା କରାଯାଇଥିଲା। ଏଥିସହିତ ୨୦୧୮ ମସିହା ସୁଦ୍ଧା ମେଡିକାଲ କଲେଜ ‌କୋଠାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଥିଲା।

ମାତ୍ର ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ମେଡିକାଲ କଲେଜ କାର୍ଯ୍ୟକ୍ଷମରେ ବିଳମ୍ବ ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳସ୍ବରୂପ, ଗତ ୨ ଅକ୍ଟୋବର ୨୦୧୯ ଗାନ୍ଧୀ ଜୟନ୍ତୀ ଦିନ ଏମ୍‌ସିଏଲ୍‌ ସିଏମ୍‌ଡି ବି.ଏନ୍.ଶୁକ୍ଲା ୨୦୨୦-୨୧ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ପ୍ରେସ୍ ବିଜ୍ଞପ୍ତି ଜାରି କରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ମେଡିକାଲ କଲେଜ କୋଠା ନିର୍ମାଣ କରୁଥିବା ଠିକାସଂସ୍ଥା ଏପର୍ଯ୍ୟନ୍ତ ଏମ୍‌ସିଏଲ୍‌କୁ କୋଠା ହସ୍ତାନ୍ତର କରିନାହିଁ। ଏମ୍‌ସିଏଲ୍‌ର ଏଭଳି ଅବହେଳା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଭିନ୍ନ ମୋଡ଼ ନେବାରେ ଲାଗିଛି। ମାତ୍ର କେନ୍ଦ୍ର କିମ୍ବା ରାଜ୍ୟ କ୍ଷମତାରେ ଥିବା ଦଳର ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ଏମ୍‌ସିଏଲ୍‌ର ଏଭଳି ଅବହେଳା ନେଇ ମୁହଁ ଖୋଲିନାହାନ୍ତି।

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସଭାପତି ଇଂ. ସସ୍ମିତା ବେହେରା କହିଛନ୍ତି ଯେ ତାଳଚେର ପ୍ରତି ଏଭଳି ଅବହେଳା ଆଉ ବରଦାସ୍ତଯୋଗ୍ୟ ନୁହେଁ। କଂଗ୍ରେସ ସରକାର ଅମଳରେ ତାଳଚେର ମେଡିକାଲ କଲେଜର ମୂଳଦୁଆ ପଡ଼ିଥିଲା। ମାତ୍ର ବର୍ତ୍ତମାନର କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ବିଜେଡି ସରକାରର ଆନ୍ତରିକତାର ଅଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଏଠାକାର ଅଯୋଗ୍ୟ ନେତୃତ୍ବ ହିଁ ଦାୟୀ ବୋଲି କହିବା ସହିତ ଏମ୍‌ସିଏଲ୍ ପ୍ରତି ଏତେ ଦରଦ କାହିଁକି ବୋଲି ଇଂ. ବେହେରା ପ୍ରଶ୍ନ କରିଛନ୍ତି। ରାଜନୈତିକ ଫାଇଦା ଉଠାଇବା ପାଇଁ ମେଡିକାଲ କଲେଜର ଶିଳାନ୍ୟାସ କରିଦିଆଗଲା। ତେବେ, ସ୍ଥାନୀୟ ନେତୃବନ୍ଦଙ୍କ ଅପାରଗତା ଓ ଆନ୍ତରିକତାର ଅଭାବ ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏମ୍‌ସିଏଲ୍ ପ୍ରେମରେ ପଡ଼ି ନେତାମାନେ ଚୁପ୍ ରହିଛନ୍ତି। ବର୍ତ୍ତମାନର ମହାମାରୀ ସମୟରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲେ ବହୁ ଲୋକ ଉପଯୁକ୍ତ ଚିକିତ୍ସା ସେବା ପାଇ ପାରିଥାନ୍ତେ ବୋଲି ଅନୁଗୁଳ ଡିଷ୍ଟ୍ରିକ୍ଟ ସିଟିଜେନ୍ ଏକ୍ସନ ଫୋରମ୍‌ର ସାଧାରଣ ସଂପାଦକ ବିଜୟ ମିଶ୍ର ଏକ ବିବୃତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe