ସୀମା ଲଙ୍ଘିବ ତାଳଚେର ତାତି, ପ୍ରଦୂଷଣ!, ସାର ପାଇଁ ଗଛକୁ ବଳି

Advertisment

ଛଅ ହଜାର ମୂଳ କାଟ୍‌, ଟଳିଲା ୧୭ବର୍ଷର ବର, ଓସ୍ତ, ଆଉ ଚାରି ହଜାରକୁ ଆଖି, ରାଜ୍ୟକୁ ନୂଆ ଅନୁମତି ମାଗିଲା କେନ୍ଦ୍ର

ଛଅ ହଜାର ମୂଳ କାଟ୍‌, ଟଳିଲା ୧୭ବର୍ଷର ବର, ଓସ୍ତ, ଆଉ ଚାରି ହଜାରକୁ ଆଖି, ରାଜ୍ୟକୁ ନୂଆ ଅନୁମତି ମାଗିଲା କେନ୍ଦ୍ର

ସୀମା ଲଙ୍ଘିବ ତାଳଚେର ତାତି, ପ୍ରଦୂଷଣ!, ସାର ପାଇଁ ଗଛକୁ ବଳି

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): ତତଲା ସହର ତାଳଚେର। ନିଦାଘରେ ଏଥର ପାରଦ ସିଧା ଡେଇଁଥିଲା ୪୬.୩ଡିଗ୍ରିକୁ। ଏ ତାତି ସୀମା ଲଙ୍ଘିବ ପଛେ, ଆଉ ତଳ ଗତି ନାହିଁ! କାରଣ, ଗୋଟିଏ ପଟେ ତାଳଚେରରେ ଖୁବ୍‌ଶୀଘ୍ର ସାର କାରଖାନା ଠିଆ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଏଥିପାଇଁ ଏକକାଳୀନ ୧୦ ହଜାର ଗଛ ମୂଳକାଟ୍‌ ହେବାକୁ ଯାଉଛି। ‘ଫନି’ ମାଡ଼ରେ ରାଜ୍ୟର ଲକ୍ଷ ଲକ୍ଷ ଗଛ ମାଟିରେ ଲୋଡ଼ି ପଡ଼ିଥିବା ବେଳେ ତାଳଚେର ମାଟିରୁ ହଠାତ୍‌ ଏତେଗୁଡ଼ିଏ ଗଛ ଉଭାନ କେବଳ ତାଳଚେର ତାତିକୁ ଶୀର୍ଷରେ ପହଞ୍ଚାଇବ ନାହିଁ, ପ୍ରଦୂଷିତ ପରିବେଶକୁ ଆହୁରି ଯେ ଭୟଙ୍କର ସ୍ଥିତିକୁ ଟାଣି ନେବ ସେ ସତର୍କ ଘଣ୍ଟି ବଜାଇଲାଣି।

ବନ ବିଭାଗ ତଥ୍ୟ ମୁତାବକ, ଏ ସବୁ ଗଛ ହେଉଛି ଏଫ୍‌ସିଆଇ କାରଖାନା ଭିତରର। ୨୦୦୨ମସିହାରୁ ପ୍ଲାଣ୍ଟ୍ ଅଚଳ ହୋଇଗଲା। ଦୀର୍ଘ ୧୭ବର୍ଷ କାଳ ଚଳପ୍ରଚଳ ବନ୍ଦ ହୋଇଗଲା। ଅନୁକୂଳ ପରିବେଶ ନେଇ ବୀଜରୋପଣ ହେଲା। ଯଦିଓ ଶାଳ, ପିଆଶାଳ ଭଳି ଗଛ ବଡ଼ ମୂଲ୍ୟବାନ ନୁହେଁ, ତଥାପି ସ୍ବତଃପ୍ରବୃତ୍ତ ଭାବେ ଠିଆ ହୋଇଥିବା ବଡ଼ ବଡ଼ ବର ଓ ଓସ୍ତ, ଚାକୁଣ୍ଡା ଭଳି ଦ୍ରୁମ ଗତ ୧୭ବର୍ଷ ହେଲା ଧୂଳିଧୂଆଁରେ ରୁନ୍ଧି ହେଉଥିବା ତାଳଚେରବାସୀଙ୍କ ସୁରକ୍ଷା ପାଇଁ ପରୋକ୍ଷରେ ରକ୍ଷାକବଚ ଦାୟିତ୍ବ ତୁଲାଉଥିଲା। ଯାହା ଏବେ ଧୂଳିସାତ୍‌ ହେବାକୁ ଯାଉଛି।

ପ୍ଲାଣ୍ଟ୍‌ କର୍ତୃପକ୍ଷ ପ୍ରଥମେ ୬ହଜାର ୫୦ଟି ଗଛ କାଟିବାକୁ ଜଙ୍ଗଲ ବିଭାଗଠୁ ଅନୁମତି ମାଗିଥିଲେ। ଗଛ କଟା ଦାୟିତ୍ବ ଓଡ଼ିଶା ବନ ଉନ୍ନୟନ ନିଗମ ହାତକୁ ଦିଆଯାଇଥିଲା। ଯାହା ପ୍ରାୟ କଟା ସରିଲାଣି। ମାଟିରେ ଗଣ୍ଡି ସବୁ ଗଡ଼ିଲାଣି। କିନ୍ତୁ, ଆଉ ୪ହଜାର ଗଛ ନ କାଟିଲେ ନ ଚଳେ ଭଳି ପରିସ୍ଥିତି ଉପୁଜିବାରୁ ରାଜ୍ୟ ସରକାରଙ୍କଠାରୁ ନୂଆ ଅନୁମତି ଲୋଡ଼ା ଯାଇଛି। ଅନୁମତି ମିଳିବା ମାତ୍ରେ ସେତକ ବି ଉଭାନ ହୋଇଯିବା ଏକ ପ୍ରକାର ଥୟ। ପୂର୍ବ ଭାରତ ପାଇଁ ତାଳଚେର ସାର କାରଖାନା ଯେମିତି ଦରକାର, ଉଗ୍ର ପ୍ରଦୂଷଣ ଭୋଗୁଥିବା ତାଳଚେରବାସୀଙ୍କ ପାଇଁ ଗଛ କାରଖାନା ଭଳି ଅତି ଜରୁରି। କିନ୍ତୁ, ପରିସ୍ଥିତି ଏମିତି ଉପୁଜିଛି ଯେ, ପ୍ରଗତି ପଥରେ ଶିଳ୍ପ ଓ ଗଛ ଏକାଠି ଚାଲି ପାରିବେ ନାହିଁ ତାହା ସ୍ପଷ୍ଟ ହୋଇଛି।

ଏତେ ବଡ଼ କ୍ଷତିର ଭରଣା ପାଇଁ କାରଖାନା କର୍ତୃପକ୍ଷ ୧୦ଗୁଣ ଗଛ ଲଗାଇବାକୁ ଟଙ୍କା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬୦ହଜାର ଚାରାରୋପଣ ପାଇଁ ଓଏଫ୍‌ଡିସିକୁ ୨କୋଟି ୮୪ଲକ୍ଷ ଟଙ୍କା କାରଖାନା କର୍ତୃପକ୍ଷ ଦେଇଥିବା ଅନୁଗୁଳ ବନଖଣ୍ଡର ଏସିଏଫ୍‌ ବାସୁଦେବ ନାୟକ ‘ସମ୍ବାଦ’କୁ କହିଛନ୍ତି। ତେବେ ୬ହଜାର ଗଛ ବାଦ୍‌ ଆଉ ଚାରି ହଜାର ଗଛ କାଟିବା ପାଇଁ କାରଖାନା କର୍ତୃପକ୍ଷ ଅନୁମତି ମାଗିଛନ୍ତି। ନୂଆ ଅନୁମତି ପ୍ରକ୍ରିୟା ଚାଲିଛି। ଯେହେତୁ ଏହା ଦେଶ ଓ ରାଜ୍ୟ ପାଇଁ ଏକ ଜରୁରୀ ପ୍ରକଳ୍ପ ସେଥିପାଇଁ ଅନୁମତି ଦିଆଯିବା ଦରକାର। ଗଛ ବଦଳରେ ୧୦ଗୁଣ ଚାରା ଲଗାଯିବାକୁ ଯୋଜନା ରହିଛି ବୋଲି ଶ୍ରୀ ନାୟକ ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe