ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ବିଜେଡି ନେତାଙ୍କ ବୈଠକକୁ ନେଇ ଚର୍ଚ୍ଚା

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ବିଜେଡି ନେତାଙ୍କ ବୈଠକକୁ ନେଇ ଚର୍ଚ୍ଚା

ଯାଜପୁରସଦର: ଯାଜପୁର ସର୍କିଟହାଉସ୍‌ରେ ଗତ ୧୯ତାରିଖ ସଂଧ୍ୟାରେ ଅନୁଷ୍ଠିତ ଜିଲ୍ଲା ପ୍ରଶାସନ ଓ ବିଜେଡି ନେତାଙ୍କ ବୈଠକକୁ ନେଇ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ କାରଣରୁ ଯାଜପୁର ଜିଲ୍ଲାପାଳ ବିଜେଡିର କିଛି ନେତା ଓ ଛାମୁଆ କର୍ମୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ତାଗିଦ୍‌ ପାଇଁ ଏହି ବୈଠକ ଡକାଯାଇଥିଲା ବୋଲି କୁହାଯାଉଛି। ବିଶେଷକରି କୁସୁମା ପ୍ରକଳ୍ପ ଓ ବେଆଇନ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସା‌ରେ, ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଆହ୍ବାନ କ୍ରମେ ହୋଇଥିବା ବୈଠକରେ ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ବିଜେଡି ନେତା ଭବପ୍ରସାଦ ଦାସ, ବଡ଼ଚଣା ବ୍ଲକ୍‌ ବିଜେଡି ସଭାପତି ଅରବିନ୍ଦ ସାମଲ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍‌ପି ଭିନିତ ଅଗ୍ରୱାଲ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ଯାଜପୁରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ ପ୍ରଶାସନର ସହଯୋଗ ସମ୍ପର୍କରେ ଆଲୋଚନା କରାଯିବା ସହିତ ବିଭିନ୍ନ ସ୍ଥାନରେ ଦେଖାଯାଉଥ‌ିବା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆଲୋଚନା କରାଯାଇଥିଲା। ନୂଆ ସରକାର ଆସିବା ପରେ ଅନେକ ଠିକା କାର୍ଯ୍ୟ ଠପ୍‌ ହେବା ସହ ବହୁ ଠିକାଦାର ନିଜର ପାଉଣା ପାଇବାରେ ସମସ୍ୟା ହେଉଛି। କିଛି ଦଳୀୟ ଠିକାଦାର ବିନା ଟେଣ୍ଡରରେ କାର୍ଯ୍ୟ କରି ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। ସେମାନଙ୍କ ବିଲ୍‌ କିପରି ପ୍ରଦାନ କରାଯିବ ? ସେ ନେଇ ବିସ୍ତୃତ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ହେଲେ ଏହି ବୈଠକ ପରେ ବିଂଝାରପୁର ବିଧାୟିକା ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ତାଙ୍କ ଅଞ୍ଚଳର ସସମ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଓ ଜିଲ୍ଲା ପ୍ରଶାସନ ନୀତିନିୟମ ଅନୁସାରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏ ସମ୍ପର୍କରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ପଚାରିବାରୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଅନ୍ୟ ଦଳର ବିଧାୟକମାନଙ୍କ ସହ ପ୍ରଶାସନ ଜରିଆରେ ସମନ୍ବୟ ରକ୍ଷାକରି ଜିଲ୍ଲାର ବିକାଶ, ନୂଆନୂଆ ପ୍ରକଳ୍ପର କାର୍ଯ୍ୟାରମ୍ଭ ଓ ପୁରୁଣା ନିର୍ମାଣାଧୀନ ପ୍ରକଳ୍ପ କିପରି ସମ୍ପୂର୍ଣ୍ଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି। ତେବେ ଏହି ବୈଠକରେ ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ସୁକିନ୍ଦା ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ କୋରେଇର ପୂର୍ବତନ ବିଧାୟକ ଅଶୋକ କୁମାର ବଳ ପ୍ରମୁଖଙ୍କୁ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe