୩୦ ବର୍ଷ ତଳର ଖବରକୁ ନେଇ ଚର୍ଚ୍ଚା: ଶିମିଳିପାଳ ହେବ ଚିତାଙ୍କ ବାସସ୍ଥଳୀ!

Advertisment
୩୦ ବର୍ଷ ତଳର ଖବରକୁ ନେଇ ଚର୍ଚ୍ଚା: ଶିମିଳିପାଳ ହେବ ଚିତାଙ୍କ ବାସସ୍ଥଳୀ!

ରୁଦ୍ରରଞ୍ଜନ ଶେଜପଡ଼ା

ବାଲେଶ୍ବର: ୩୦ ବର୍ଷ ତଳେ ଶିମିଳିପାଳରେ ‘ଚିତା’କୁ ନେଇ ଯେଉଁ ଚର୍ଚ୍ଚା ହୋଇଥିଲା, ଦୀର୍ଘ ବ୍ୟବଧାନ ପରେ ଏବେ ପୁଣିଥରେ ଦାନା ବାନ୍ଧିବାରେ ଲାଗିଛି। ‘ପ୍ରକଳ୍ପ ଚିତା’ ଅଧୀନରେ ନାମିବ୍ୟାରୁ ମଧ୍ୟପ୍ରଦେଶସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତା ଆସିବା ଏବଂ ଦୁବାଇ ସଫାରି ପାର୍କରୁ ଗୋଟିଏ ଲେଖାଏଁ ଅଣ୍ଡିରା ଓ ମାଈ ଚିତା ନନ୍ଦନକାନନକୁ ଅଣାଯିବା ନେଇ ନିଷ୍ପତ୍ତି ହେବା ଘଟଣା ପରେ ଏବେ ଦେଶର ଏହି ଷଷ୍ଠ ବୃହତ୍‌ ଜୈବମଣ୍ଡଳ ଚିତାବଂଶ ବୃଦ୍ଧି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ବୋଲି କୁହାଯାଉଛି।

୧୯୯୨ ମସିହା ଜାନୁଆରି ମାସ ‘ଇଣ୍ଡିଆ ଟୁଡେ’ରେ ଶିମିଳିପାଳରେ ଚିତା ଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ପାଟ୍ରୋଲିଂରେ ବାହରିଥିବା ବ୍ୟାଘ୍ର ପ୍ରକଳ୍ପର ତତ୍‌କାଳୀନ ଅତିରିକ୍ତ ନିର୍ଦ୍ଦେଶକ ପ୍ରଥମ କରି ଶିମିଳିପାଳରେ ଗୋଟିଏ ଚିତା ଦେଖିଥିବା ଦାବି କରିଥିଲେ। ତା’ର କିଛିଦିନ ପରେ ବ୍ୟାଘ୍ର ପ୍ରକଳ୍ପର ଅନ୍ୟଜଣେ ଅଧିକାରୀ ଏପରି ଏକ ଜୀବର ପାଦଚିହ୍ନ ଦେଖିଥିଲେ, ଯେଉଁ ଜୀବ ୧୧୦ କିଲୋମିଟର ପ୍ରତି ଘଣ୍ଟା ଦୌଡ଼ିପାରିବାର କ୍ଷମତା ରଖେ ବୋଲି ପରୀକ୍ଷାନିରୀକ୍ଷାରୁ ଆକଳନ କରାଯାଇଥିଲା। ତେଣୁ ଅଧିକାରୀ ଜଣକ ଉକ୍ତ ଜୀବ ଚିତା ହିଁ ହୋଇ ଥାଇପାରେ ବୋଲି ମତ ଦେଇଥିଲେ। ତେବେ, ସେହିଦିନଠୁ ଚିତାଙ୍କ ବଞ୍ଚି ରହିବା ଏବଂ ବଂଶବିସ୍ତାର ପାଇଁ ଆବଶ୍ୟକ ପରିସଂସ୍ଥାନ ଶିମିଳିପାଳରେ ରହିଥିବା କୁହାଯାଉଛି। ଚିତାମାନେ ଦୌଡ଼ିବା ପାଇଁ ବିସ୍ତୀର୍ଣ୍ଣ ଖୋଲା ଅଞ୍ଚଳ ଆବଶ୍ୟକ କରନ୍ତି। ବୁଦାଳିଆ ସ୍ଥାନ, ଘାସ ଥିବା ଅଞ୍ଚଳ, ଅଳ୍ପ ଗଛ ଥିବା ସମତୁଲ ଓ ଘାସ ଥିବା ଅଞ୍ଚଳରେ ରହିବାକୁ ସେମାନେ ପସନ୍ଦ କରନ୍ତି। ଅଧିକାଂଶ ସମୟ ଭୂମିରେ ରହୁଥିଲେ ବି ଗଛ ଚଢ଼ିବା ଚିତାଙ୍କର ଭାରି ପସନ୍ଦ। ଏହାସହ ଅପେକ୍ଷାକୃତ ଉଚ୍ଚ ତାପମାତ୍ରାରେ ବଞ୍ଚୁଥିବା ଚିତାଙ୍କ ପାଇଁ ଏଠିକା ପରିବେଶ ମଧ୍ୟ ଅନୁକୂଳ ହେବ। କାରଣ ଶୀତଋତୁକୁ ଛାଡ଼ି ଶିମିଳିପାଳରେ ବର୍ଷସାରା ହାରାହାରି ୨୨ରୁ ୨୫ ଡିଗ୍ରି ତାପମାତ୍ରା ରହିଥାଏ। ଯେଉଁଥିପାଇଁ ୨୭୫୦ ବର୍ଗ କିଲୋମିଟର ପରିମିତ ବିଶିଷ୍ଟ ଶିମିଳିପାଳରେ ଚିତାଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇ ଆସୁଛନ୍ତି। ଏହ‌ାଛଡ଼ା ନ୍ୟାସ୍‌ନାଲ୍‌ ଟାଇଗର କନ୍‌ଜରଭେସନ୍‌ ଅଥୋରିଟି (ଏନ୍‌ଟିସିଏ) ପକ୍ଷରୁ ବି ଶିମିଳିପାଳକୁ ଭାରତର ଦ୍ବିତୀୟ ସୁରକ୍ଷିତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଯଦି ଭବିଷ୍ୟତରେ ଭାରତ ଅଣାଯିବାକୁ ଥିବା କିଛି ଚିତାଙ୍କୁ ଏଠାରେ ରଖାଯାଏ, ତା’ ହେଲେ ସେମାନେ ମଧ୍ୟ ବାଘଙ୍କ ଭଳି ନିଶ୍ଚିତ ସୁରକ୍ଷିତ ରହିପାରିବେ । ସେମାନଙ୍କ ବଂଶ ବିସ୍ତାର ସମ୍ଭବ ବୋଲି ବନ୍ୟପ୍ରାଣୀ ବି‌ଶେଷଜ୍ଞମାନେ କହନ୍ତି।

ତେବେ, ଆବଶ୍ୟକ ପରିସଂସ୍ଥାନର ଅଭାବ ଥିବାରୁ ଓଡ଼ିଶାରେ ଚିତା ନଛାଡ଼ିବା ଉଚିତ ବୋଲିବନ୍ୟପ୍ରାଣୀ ବି‌ଶେଷଜ୍ଞ ବିଶ୍ବଜିତ ମହାନ୍ତି ‘ସମ୍ବାଦ’କୁ କହିଛନ୍ତି। ଅନ୍ୟପଟେ ଫକୀରମୋହନ ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ମିହିର ତନୟ ଦାସ କହିଛନ୍ତି, କୁନୋରେ ପରୀକ୍ଷାମୂଳକ ଭାବେ ଚିତା ଛଡ଼ାଯାଇଛି। ତେଣୁ, ଶିମିଳିପାଳରେ ଚିତା ଛାଡ଼ିବାରେ କୌଣସି ଅସୁବିଧା ନାହିଁ। ସେଥିପାଇଁ ବ୍ୟାପକ ଅଧ୍ୟୟନ ହେବା ଉଚିତ। ଯଦି ଏଠାରେ ଚିତାମାନେ ନିଜକୁ ଖାପଖୁଆଇ ନିଅନ୍ତି, ତେବେ ବନ୍ୟପ୍ରାଣୀ ଇତିହାସରେ ଚିତାଙ୍କୁ ନେଇ ଏକ ନୂଆ ପୃଷ୍ଠା ଯୋଡ଼ା ହେବ ବୋଲି ସେ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଜୈବବିବିଧତା ସହ ଖାପଖୁଆଇ ନପାରିବାରୁ ଭାରତରୁ ଚିତା ବଂଶ ଲୋପ ପାଇଗଲା। ୧୯୫୨ ମସିହାରେ ଏନେଇ ଘୋଷଣା ହେଲା। ଏପରି ସମୟରେ ଦେଶରେ ଚିତା ବଂଶ ବଢ଼ାଇବା ପାଇଁ ୨୦୦୯ ମସିହାରୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା। ଯେଉଁ ଉଦ୍ୟମରେ ଏବେ ଡେଣା ଲାଗିଛି। ‘ପ୍ରକଳ୍ପ ଚିତା’ ଅଧୀନରେ ନାମିବ୍ୟାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଅଣ୍ଡିରା ଓ ୩ଟି ମାଈ ଚିତା ଭାରତ ଅଣାଯାଇଛି। ଯେଉଁମାନେ ମଧ୍ୟପ୍ରଦେଶସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଅଛନ୍ତି। ଯାହା ସୂଚନା ରହିଛି; ଆଗାମୀ ୫ ବର୍ଷ ଭିତରେ ଭାରତକୁ ଆହୁରି ୫୦ଟି ଚିତା ଅଣାଯିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe