ସ୍କୁଲ ଖୋଲିବା ନେଇ ଡିଇଓଙ୍କ ସହ ଆଲୋଚନା: ଶିକ୍ଷକଙ୍କ ଟିକାକରଣକୁ ପ୍ରାଧାନ୍ୟ

Advertisment

ସ୍କୁଲ ବୁଲି ତଦାରଖ କରିବେ ମନ୍ତ୍ରୀ, ଜାରି ରହିବ ଅନ୍‌ଲାଇନ୍‌ ପାଠପଢ଼ା

ସ୍କୁଲ ବୁଲି ତଦାରଖ କରିବେ ମନ୍ତ୍ରୀ, ଜାରି ରହିବ ଅନ୍‌ଲାଇନ୍‌ ପାଠପଢ଼ା

ସମୟସୀମା ମଧ୍ୟରେ ସ୍କୁଲ, କଲେଜକୁ ଜମିପଟ୍ଟା ମିଳିବ

Tribune India

ଭୁବନେଶ୍ବର : ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରାମର୍ଶକ୍ରମେ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ସହ ଆଲୋଚନା କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସ୍କୁଲଗୁଡ଼ିକର ସ୍ଥିତି ନେଇ ବ୍ୟାପକ ବିଚାରିବମର୍ଶ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଯୁଦ୍ଧକାଳୀନ ଭିତ୍ତିରେ କ୍ୟାମ୍ପସ ସଫେଇ କରିବା ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦୁଇଟି ଡୋଜ୍‌ ଟିକାକରଣକୁ ପ୍ରାଧାନ୍ୟ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଡିଇଓମାନଙ୍କୁ ନିର୍ଦେଶ ‌ଦିଆଯାଇଛି।

ଅପରାହ୍‌ଣରେ ଅନୁଷ୍ଠିତ ବୈଠକରେ ସ୍କୁଲ ସଫେଇ ସମେତ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ କଡ଼ାକଡ଼ି ପାଳନ କରିବା ନେଇ ଡିଇଓମାନଙ୍କ ସହ ଆଲୋଚନା ହୋଇଛି। ସ୍କୁଲ ଖୋଲିବା ପୂର୍ବରୁ ଡିଇଓମାନେ ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସି, ପ୍ରଧାନଶିକ୍ଷକଙ୍କ ସହ ବୈଠକ କରିବେ। ସ୍କୁଲ ଖୋଲିବା ପୂର୍ବରୁ ଆସବାବପତ୍ର, ପାଠାଗାର, ଲାବରେଟୋରି, ଷ୍ଟୋରେଜ୍‌ ରୁମ୍‌, ପାଣିଟାଙ୍କି, ରୋଷେଇ ଘର, ଶୌଚାଳୟ ସମେତ ସମସ୍ତେ ଚଳପ୍ରଚଳ କରୁଥିବା ଅଞ୍ଚଳ ବିଶୋଧନ କରିବାକୁ କୁହାଯାଇଛି। ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

କୌଣସି ବିଦ୍ୟାଳୟରେ ହଷ୍ଟେଲ ଯେପରି ନ ଖୋଲେ, ସେଥିପ୍ରତି କଡ଼ା ନଜର ରଖିବେ। ସାମାଜିକ ଦୂରତା ଓ ମାସ୍କକୁ ସୁନିଶ୍ଚିତ କରାଇବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍‌ ବାହାରେ ବି ପିଲାଙ୍କୁ ପଢ଼ାଇ ପାରିବେ। ତେବେ ପାଗ ଅନୁକୂଳ ଥିବା ଦରକାର। କୋଭିଡ୍‌-୧୯ ପାଇଁ ଜାରି ହୋଇଥିବା ହେଲ୍ପ-ଲାଇନ୍‌ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ। ପ୍ରତି ସ୍କୁଲରେ ସ୍ବତନ୍ତ୍ର ଭାବେ ଯେପରି ଆଇସୋଲେସନ୍‌ ରୁମ୍‌ ଖୋଲାଯିବ, ତାହାକୁ ସୁନିଶ୍ଚିତ କରାଇବେ। କ୍ୟାମ୍ପସରେ କୋଭିଡ୍‌ ମନିଟରିଂ ଟିମ୍‌ ଗଠନ ହେବ। ସେଥିରେ ଜଣେ ଲେଖାଏଁ ଶିକ୍ଷକ ଓ ଅଭିଭାବକ ରହିବେ। ସ୍କୁଲ ଖୋଲିବାର ୩୦ମିନିଟ୍‌ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍‌ ପର୍ଯ୍ୟନ୍ତ ଟିମ୍‌ର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିବେ। ପ୍ରତିଦିନ ସ୍କୁଲ ସଫେଇ କରାଯିବ। ତେବେ କୌଣସି ପିଲା ଯେପରି ଏହି ସଫେଇ କାର୍ଯ୍ୟରେ ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଆମମାନଙ୍କ ପାଇଁ ପିଲାଙ୍କ ସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହା ଉପ‌ରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ସ୍କୁଲ ଖୋଲିବାର ତଦାରଖ ପାଇଁ ପ୍ରତି ଜିଲ୍ଲା ପାଇଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ସେମାନେ ସ୍କୁଲ ଗସ୍ତ କରିବେ। ୨୬ରେ ମୁଁ ମଧ୍ୟ ବିଭିନ୍ନ ଜିଲ୍ଲା ଗସ୍ତ କରିବି। ବିଦ୍ୟାଳୟ ହଷ୍ଟେଲ ଖୋଲିବା ସମ୍ପର୍କରେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହୁଁ। ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଜିଲ୍ଲାପାଳଙ୍କୁ ସମସ୍ତ କ୍ଷମତା ଦିଆଯାଇଛି। କୋଉଠି ଯଦି କରୋନାର ଭୟାଭହତା ଅଛି ବା କଣ୍ଟେନମେଣ୍ଟ ଜୋନ୍‌, ମିନି କଣ୍ଟେନମେଣ୍ଟ ଜୋନ୍‌ ରହିଛି, ସେଭଳି ସ୍ଥିତିରେ ଜିଲ୍ଲାପାଳ ସେଠାରେ ସ୍କୁଲ ବନ୍ଦ କରିବା ସହ ପରବର୍ତ୍ତୀ ଅବସ୍ଥାରେ ଖୋଲିବା ନେଇ ନିଷ୍ପତ୍ତି ନେବେ। ଶିକ୍ଷକଙ୍କ ଟିକାକରଣଙ୍କୁ ପ୍ରାଥମିକତା ଦିଆଯାଉଛି। ଏବେ ସୁଦ୍ଧା ଅଧିକାଂଶ ଶିକ୍ଷକ/ଶିକ୍ଷୟିତ୍ରୀ ଦୁଇଟି ଟିକା ନେଇସାରିଥିବା ଜଣାପଡ଼ିଛି। ଯଦି କୌଣସି ସ୍ଥାନରେ ଶିକ୍ଷକ/ଶିକ୍ଷୟିତ୍ରୀ ଟିକା ନେଇନାହାନ୍ତି, ସେମାନଙ୍କୁ କିଭଳି ଶୀଘ୍ର ଟିକା ଦିଆଯିବ, ସେ ଦିଗରେ ପଦକ୍ଷେପ ନେବାକୁ ଡିଇଓମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe