ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା କୋର୍ଟ କହିଲେ- ସୁମିତଙ୍କ ଘରେ ରହିବେ ତପସ୍ୱିନୀ, ଖର୍ଚ୍ଚ ପାଇଁ ମାସକୁ ନେବେ ୧୭,୦୦୦

Advertisment
ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା କୋର୍ଟ କହିଲେ- ସୁମିତଙ୍କ ଘରେ ରହିବେ ତପସ୍ୱିନୀ, ଖର୍ଚ୍ଚ ପାଇଁ ମାସକୁ ନେବେ ୧୭,୦୦୦

ବ୍ରହ୍ମପୁର: ନ୍ୟାୟ ପାଇଁ ଦୀର୍ଘ ୪୪ଦିନର ସଂଘର୍ଷ ପରେ ଶେଷରେ ବୋହୂ ତପସ୍ବିନୀ ଦାଶ ତାଙ୍କର ହକ୍‌ ପାଇଛନ୍ତି। ତାଙ୍କ ଦ୍ବାରା ରୁଜୁ ‌କରାଯାଇଥିବା ଏକ ଅପିଲ୍‌ର ଶୁଣାଣି କରି ଜିଲ୍ଲାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆଇନ ଅନୁସାରେ ତପସ୍ବିନୀ ହେଉଛନ୍ତି ଡା. ସୁମିତ ସାହୁଙ୍କ ପତ୍ନୀ। ଏଣୁ ତପସ୍ବିନୀ ଶ୍ବଶୁରଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍‌ ନିର୍ଦ୍ଦେଶ ଦେଇଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ସେହିପରି ତପସ୍ବିନୀଙ୍କ ଦୈନନ୍ଦୀନ ଖର୍ଚ୍ଚ ପାଇଁ ଡା. ସୁମିତ ୧୦ତାରିଖ ସୁଦ୍ଧା ୧୭ହଜାର ଟଙ୍କା ପ୍ରଦାନ କରିବେ। ଟଙ୍କା ଗ୍ରହଣ ବାବଦରେ ତପସ୍ବିନୀ ଏକ ରସିଦ୍‌ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଉଭୟ ପକ୍ଷ ଉଭୟଙ୍କୁ କୌଣସି ପ୍ରକାର ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

publive-image

ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀଙ୍କ ତରଫରୁ ରୁଜୁ ହୋଇଥିବା ମୂଳ ପିଟିସନ୍‌ର ଶୁଣାଣି ସରିବା ପର୍ଯ୍ୟନ୍ତ ଜିଲ୍ଲାଜଜ୍‌ଙ୍କ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଜିଲ୍ଲାଜଜ୍‌ଙ୍କ ଏହି ନିର୍ଦ୍ଦେଶନାମାର ନକଲ ବ୍ରହ୍ମପୁର ଏସ୍‌.ପି., ବ୍ରହ୍ମପୁର ଉପଜିଲ୍ଲାପାଳ, ବୈଦ୍ୟନାଥପୁର ଥାନା ଅଧିକାରୀ ଓ ଛତ୍ରପୁର ସ୍ଥିତ ସୁରକ୍ଷା ଅଧିକାରୀଙ୍କୁ ପ୍ରେରଣ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିବା ଆଇନଜୀବୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପଟେ ଜିଲ୍ଲାଜଜ୍‌ଙ୍କ ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରାଯିବ ବୋଲି ଡା. ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ପରେ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂକୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ନଭେମ୍ବର ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୁର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଥିଲେ। ନ୍ୟାୟ ନମିଳିବାରୁ ଶେଷରେ ତପସ୍ବିନୀ କୋର୍ଟରେ ଆଶ୍ରୟ ନେଇଥିଲେ। ଡିସେମ୍ବର ୯ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ତପସ୍ବିନୀଙ୍କ ପିଟିସନ୍‌ ଉପରେ ଶୁଣାଣି କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟାରୁ ଗତ ମାସ ୧୦ତାରିଖ ସକାଳୁ ଡା. ସୁମିତ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ଦିନର ଛୁଟି ଆବେଦନ କରି କୁଆଡ଼େ ଚାଲି ଯାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଦିନ ଛୁଟି ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୮ଦିନ ଛୁଟି ନେଇଥିଲେ ଡା. ସୁମିତ। ଛୁଟି ଅବଧି ସରିବା ପରେ ଗତ ୨୩ତାରିଖରେ ପୁଣିଥରେ ଡା. ସୁମିତ ୧୫ଦିନ ପାଇଁ ଛୁଟି ଆବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe