ପରବ ମଞ୍ଚରେ ଏକାଠି ହେଲେ ତାରା-ସପ୍ତଗିରି: ସମ୍ବର୍ଦ୍ଧିତ ହେବା ପରେ ତାରାଙ୍କ ପାଦ ଛୁଇଁ ପ୍ରଣାମ କଲେ ସପ୍ତଗିରି

ପରବ ମଞ୍ଚରେ ଏକାଠି ହେଲେ ତାରା-ସପ୍ତଗିରି: ସମ୍ବର୍ଦ୍ଧିତ ହେବା ପରେ ତାରାଙ୍କ ପାଦ ଛୁଇଁ ପ୍ରଣାମ କଲେ ସପ୍ତଗିରି

ଜୟପୁର: ଗୋଟିଏ ଦଳରୁ, କିନ୍ତୁ​ କେହି କାହା ଛାଇ ମାଡ଼ୁନଥିଲେ। ଜିଲ୍ଲା ସଭାପତି ଦାୟିତ୍ବ ଅଦଳବଦଳ ପରେ ଦୁଇ ନେତାଙ୍କ ଶିବିର ମଧ୍ୟରେ ଚାଲିଥିଲା ବୟାନବାଜି। ଆଜି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ ଉଦ୍‌ଘାଟନୀ ମଞ୍ଚ ଉଭୟ ନେତାଙ୍କୁ ଯୋଡ଼ିଛି। ନେତା, ଜନତା, ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କୋଳାକୋଳି ଦୃଶ୍ୟ ସବୁ ଚର୍ଚ୍ଚାରେ ଯବନିକା ପକାଇଛି।

କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦବିରୁ ମୀନାକ୍ଷୀ ବାହିନୀପତି ହଟିବା ପରେ ସାଂସଦ ସପ୍ତଗିରି ଓ ଜୟପୁର ବିଧାୟକ ବାହିନୀପତିଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ମୀନାକ୍ଷୀଙ୍କ ବଦଳରେ ନୂତନ ସଭାପତି ଭାବେ ଦୁର୍ଗା ଶଙ୍କର ସାହୁ (ବୁଲୁ)ଙ୍କ ନାମ ଘୋଷଣା ପରେ ବାହିନୀପତି ଗୋଷ୍ଠୀ ସପ୍ତଗିରିଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ପ୍ରତିବାଦରେ କଂଗ୍ରେସର ସମସ୍ତ ପଦ ପଦବିରୁ ଇସ୍ତଫା ଦେବାକୁ ମୀନାକ୍ଷୀ ରାଜ୍ୟ ଓ କେନ୍ଦ୍ର ନେତୃତ୍ବକୁ ଚିଠି ଲେଖିଥିଲେ। ଏହା ପରଠାରୁ ସପ୍ତଗିରିଙ୍କ କୋରାପୁଟ ଗସ୍ତ ସମୟରେ ଉଭୟ ନେତାଙ୍କୁ କେଉଁଠି ବି ଏକାଠି ଦେଖିବାକୁ ମିଳିନଥିଲା। ସରକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହୁଥିଲେ ମଧ୍ୟ ପରସ୍ପର କଥା ହେଉନଥିଲେ। ଏପରିକି କଂଗ୍ରେସର ନୂତନ ଜିଲ୍ଲା ସଭାପତି ବୁଲୁଙ୍କୁ ସମ୍ବର୍ଦ୍ଧନା ପାଇଁ ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ବାହିନୀପତି ଅନୁପସ୍ଥିତ ରହିଥିଲେ।

ଏତିକିରେ ସରିନଥିଲା ବିବାଦ। ଉଭୟ ନେତା ନିଜ ସମର୍ଥକଙ୍କୁ ଜିଲ୍ଲା କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ଅବସ୍ଥାପିତ କରିବାକୁ ଲାଗି ପଡ଼ିଥିଲେ। ସପ୍ତଗିରି ନିଜର ଏକାନ୍ତ ଅନୁଗତ ଯୁବ କଂଗ୍ରେସ ନେତା ରୂପକ ତୁରୁକଙ୍କୁ ଜିଲ୍ଲା କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। କିନ୍ତୁ ବାହିନୀପତି ନିଜ ଗୋଟି ଚାଳନାରେ ଅକ୍ଟୋବର ୧୩ ତାରିଖରେ ରୂପକ ତୁରୁକଙ୍କୁ ହଟାଇ ନିଜ ସମର୍ଥକ ତଥା ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ରଙ୍କୁ ମୁଖ୍ୟ ମୁଖପାତ୍ର ଭାବେ ଅବସ୍ଥାପିତ କରାଇଥିଲେ। ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଦୁଇ ଭେଟେରାନ୍ ନେତାଙ୍କ ଗୋଷ୍ଠୀ ବିବାଦକୁ ନେଇ ଦଳ ମଧ୍ୟ ଚିନ୍ତାରେ ପଡ଼ିଥିଲା। ଆଜି ପରବ ଉଦ୍‌ଘାଟନୀ ଉତ୍ସବରେ ଉଭୟ ନେତାଙ୍କ କୋଳାକୋଳି ଏବଂ ତାରାଙ୍କ ପାଦ ଛୁଇଁ ସପ୍ତଗିରି ଆଶୀର୍ବାଦ ନେବା ଦୃଶ୍ୟ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଉଭୟ ନେତାଙ୍କ ଶିବିରରେ ଆଶ୍ବସ୍ତି ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe