ପ୍ରଦୀପଙ୍କୁ ଯେଉଁ ଦଳ ପରିଚୟ, ସମ୍ମାନ ଦେଲା ସେହି ଦଳ ସହ ବେଇମାନୀ କଲେ: ତାରା

Advertisment
କମିଟି ଗଠନ ପରେ କଂଗ୍ରେସରେ କନ୍ଦଳ

ଜୟପୁର: କଂଗ୍ରେସ ପ୍ରଦୀପ ମାଝୀଙ୍କୁ ପରିଚୟ, ସମ୍ମାନ ତଥା ସମାଜରେ ପ୍ରତିଷ୍ଠା ଦେଲା ସେହି ଦଳକୁ ବେଇମାନ କରିଛନ୍ତି । ଟଙ୍କା ପାଇଁ ନିଜକୁ ବିକ୍ରି କରି ଦେଇଛନ୍ତି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଏପରିକି ଦଳ ଛାଡ଼ିବାର ମାତ୍ର ୧୫ଦିନ ପୂର୍ବରୁ ହିଁ ମାଝୀ ନୂଆ ଗାଡ଼ି କିଣିଛନ୍ତି। ଏହି ଗାଡ଼ି ତାଙ୍କୁ କିଏ ଦେଇଛି ତାହା ସମୟ ଆସିଲେ ସ୍ପଷ୍ଟ ହେବ। ଗତ କିଛି ମାସ ହେବ ପୂର୍ବତନ ସାଂସଦ ମାଝୀ ଗୋଷ୍ଠୀ ଗଠନ କରି ଦଳ ଛାଡ଼ିବା ପ୍ରସ୍ତୁତିରେ ଥିଲେ। ଏପରିକି ତାଙ୍କ ସହ ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା ବି ବିଜେଡିକୁ ଯିବେ ବୋଲି ମୁଁ ଦଳର ରାଜ୍ୟ ପ୍ରଭାରୀ, ପିସିସି ସଭାପତି ଓ ଏଆଇସିସିକୁ ବି ଅବଗତ କରିଥିଲି ବୋଲି କହିଛନ୍ତି ଜୟପୁର ବିଧାୟକ । ପୂର୍ବତନ ସାଂସଦ ଶ୍ରୀ ମାଝୀ କେବେ ବି କଂଗ୍ରେସ ଦଳର ନଥିଲେ।

ସେ ପୂର୍ବରୁ ଜନତା ଦଳରେ ଥିଲେ। ତାଙ୍କୁ କଂଗ୍ରେସକୁ ଆଣି ଜିଲ୍ଲାପରିଷଦ ସଭ୍ୟ ଜିତାଇବା ସହ ଜିଲ୍ଲାପରିଷଦ ଅଧ୍ୟକ୍ଷ କରାଯାଇଥିଲା। ଏହା ସହ ତାଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି, ଏଆଇସିସି ସଂପାଦକ, ରାଜ୍ୟ ଆଦିବାସୀ ସେଲ ରାଜ୍ୟ ସଭାପତି, ପିସିସିର ରାଜ୍ୟ କାର୍ଯ୍ୟକାରୀ ସଭାପତି, ଥରେ କଂଗ୍ରେସ ଟିକେଟରେ ସାଂସଦ, ଦୁଇଥର କଂଗ୍ରେସ ଟିକେଟରେ ନିର୍ବାଚନରେ ହାରିଥିଲେ ପ୍ରଦୀପ ମାଝୀ। ଏତେ ସବୁ ପଦ ପଦବୀ, ସାମାଜିକ ପ୍ରତିଷ୍ଠା, ସମ୍ମାନ ସବୁ କଂଗ୍ରେସ ତାଙ୍କୁ ଦେଇଥିଲା। ରାହୁଲ ଗାନ୍ଧୀଙ୍କ ପାଖ ଲୋକ ବୋଲି କହି ବୁଲୁଥିଲେ। ଏତେ ସବୁ ପଦପଦବୀ ପାଇବା ପରେ ତାଙ୍କୁ ଲୋକଙ୍କ ସେବା ଏବଂ କାମ କରି ପାରିଲେ ନାହିଁ କି ? ଯେହେତୁ ସେ କଂଗ୍ରେସ ଦଳର ନୁହନ୍ତି ତେଣୁ ସେ ଦଳ ଛାଡ଼ିଲେ ବୋଲି ବିଧାୟକ ବାହିନୀପତି ଆକ୍ଷେପ କରିଛନ୍ତି।

ମାଝୀ ଦଳର ସୁପ୍ରିମୋ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ବି ଅପପ୍ରଚାର କରିଥିଲେ। ତେବେ ପୂର୍ବରୁ ତାଙ୍କ ବିରୋଧରେ ଆଶୁ ପଦକ୍ଷେପ ଗ୍ରହଣ ନ କରି ଦଳର ହାଇକମାଣ୍ଡ ବଡ଼ ଭୁଲ କରିଛନ୍ତି । ଦଳର କିଏ ତାଙ୍କୁ କାମ କରିବାରେ ବାଧା ସୃଷ୍ଟି କରୁଥିଲା ସେ ସ୍ପଷ୍ଟ କରି ନାଁ ସହ ପ୍ରକାଶ କରନ୍ତୁ ତାହାର ଜବାବ ସେ ଦେବେ ବୋଲି କହିଛନ୍ତି ବିଧାୟକ ବାହିନୀପତି।

ବିଜେଡି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କାଳ ୨୫ବର୍ଷ ମଧ୍ୟରେ ଭଲ ନେତା ତିଆରି କରିପାରିଲେନି, ତାଙ୍କ ଦଳରେ ନେତା ଅଭାବ ଯୋଗୁଁ କଂଗ୍ରେସ ଦଳରୁ ନେତା ନେଲେ। ତେଣୁ ପ୍ରଦୀପ ମାଝୀଙ୍କୁ ନେଉଛନ୍ତି। ଅପରପକ୍ଷରେ ମହାଲିଙ୍ଗରେ ପ୍ରଧାନଶିକ୍ଷୟତ୍ରୀ ମମିତା ମେହର ହତ୍ୟା ମାମଲାକୁ ନେଇ ବିଜେଡି ଏବେ ବିବାଦରେ। ଏହି ଘଟଣାକୁ ଚପାଇବା ପାଇଁ ପ୍ରଦୀପ ମାଝୀଙ୍କୁ କଂଗ୍ରେସରୁ ଇସ୍ତଫା କରାଇ ଘଟଣାକୁ ବାଟବଣା କରିବା ଉଦ୍ୟମ କରାଯାଉଛି। ଏହି ମାମଲା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ଗଣମାଧ୍ୟମ ବି ଏହି ପ୍ରସଙ୍ଗକୁ ସ୍ବତନ୍ତ୍ର କରିଥିବାରୁ ଏହି ଘଟଣାକୁ ଅନ୍ୟ ଆଡକୁ ମୁହାଁଇବା ପାଇଁ ବିଜେଡିର ଏହା ଚାଲ୍ ବୋଲି ବିଧାୟକ ବାହିନୀପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe